ଭୁବନେଶ୍ବରରେ ଆରଏସଏସ କାର୍ଯ୍ୟକାରୀ ମଣ୍ଡଳର ଦ୍ବିତୀୟ ଦିନ : ସାଙ୍ଗଠନିକ କାର୍ଯ୍ୟକ୍ରମର ବିସ୍ତାର ଉପରେ ହେବ ଆଲୋଚନା

Published By : Prameya-News7 Bureau | October 13, 2019 IST

ଭୁବନେଶ୍ବର ୧୩/୧୦: ଭୁବନେଶ୍ବର ସୋଆ ଅଡିଟୋରିୟମରେ ଆୟୋଜିତ ହେଉଥିବା ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ବାର୍ଷିକ ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ବୈଠକର ଆଜି ଦ୍ବିତୀୟ ଦିନ । ଏହି ଅବସରରେ ସଂଘ ପରିବାର ନିଜର ସାଙ୍ଗଠନିକ କାର୍ଯ୍ୟକ୍ରମର ବିସ୍ତାର ସହ ଦୃଢ଼ୀକରଣ ଦିଗରେ ମଧ୍ୟ ବିଚାରବିମର୍ଶ କରିବ ।

ଓଡ଼ିଶାରେ ସଂଘ ନିଜର ବ୍ୟାପକ କାର୍ଯ୍ୟକ୍ରମ ମାଧ୍ୟମରେ ସଙ୍ଗଠନ ବିସ୍ତାର ଉପରେ ଧ୍ୟାନ କେନ୍ଦ୍ରିତ କରିବ, ଯାହାକି ରାଜ୍ୟରେ ବିଜେପି ପାଇଁ ସହାୟକ ହେବ ବୋଲି ଅନୁମାନ କରାଯାଉଛି । ବୈଠକରେ ସଂଘର ଅଖିଳ ଭାରତୀୟ ପଦାଧିକାରୀ, ୧୧ଟି କ୍ଷେତ୍ରୀୟ ଅଧିକାରୀ, ୪୨ଟି ପ୍ରାଦେଶିକ ପ୍ରଚାରକଙ୍କ ସମେତ ସଂଘ ସହ ଜଡ଼ିତ ବିଜେପିର ଶୀର୍ଷ ପଦାଧିକାରୀଙ୍କ ୮ଟି ଛାମୁଆ ସଂଗଠନର ସାଂଗଠନିକ ଅଧିକାରୀ ସାମିଲ ହୋଇଛନ୍ତି ।

ସଂଘ ପରିବାର ଓ ବିଜେପି ଫୋକସରେ ଏବେ  ଓଡ଼ିଶା ରହିଥିବାରୁ ପ୍ରଥମ ଥର ପାଇଁ ଭୁବନେଶ୍ବରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଦେଶ ବିଦେଶରୁ ଆସିଥିବା ପ୍ରାୟ ୨ହଜାର ବୁଦ୍ଧିଜୀବୀ ଏଥିରେ ଯୋଗଦେଇଛନ୍ତି । ଆରଏସଏସ ମୁଖ୍ୟ ମୋହନ ଭାଗବତ ମଧ୍ୟ ଗତକାଲି ଭୁବନେଶ୍ବର ପହଞ୍ଚି ଥିବା ବେଳେ କାର୍ଯ୍ୟକ୍ରମ ଶେଷ ଯାଏ ଉପସ୍ଥିତ ରହିବେ । ସେହିପରି ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି. ନଡ୍ଡା ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ । ୧୫ରେ ଆସି ୧୮ ତାରିଖ ଯାଏଁ ନଡ୍ଡା ଓଡ଼ିଶାରେ ରହିବେ ବୋଲି ସୂଚନା ମିଳୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.