ଭୁବନେଶ୍ବରରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ମହାକୁମ୍ଭ : ଯୋଗଦେବେ ଆରଏସ୍ଏ‌ସ୍ ମୁଖ୍ୟ ମୋହନ ଭାଗବତ

Published By : Prameya-News7 Bureau | October 12, 2019 IST

ଭୁବନେଶ୍ବର ।୧୦: ଆରଏସଏସ ଫୋକସରେ ଓଡିଶା । ପ୍ରଥମ ଥର ପାଇଁ ଜାତୀୟ ସ୍ତରର ବୈଠକ ଓଡିଶାରେ ଆୟୋଜନ କରୁଛି ଆରଏସ୍‌ଏସ୍ । କେବଳ ସେତିକି ନୁହେଁ ବୈଠକ ସରିବା ଯାଏଁ ୯ଦିନ ଧରି ଓଡିଶାରେ ରହିବେ ଆରଏସଏସ ମୁଖ୍ୟ ମୋହନ ଭାଗବତ ।

ଆଜିଠାରୁ ଆସନ୍ତା ୨୦ ତାରିଖ ଯାଏଁ ୯ ଦିନ ଧରି ଭୁବନେଶ୍ବର ସୋଆ ୟୁନିଭରସିଟିରେ ଆୟୋଜିତ ହେବ ଆରଏସଏସର ଅଖିଳ କାର୍ଯ୍ୟକାରୀ ମଣ୍ଡଳ ବୈଠକ । ବିଜେପିର କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡା ମଧ୍ୟ ଏହି ବୈଠକରେ ସାମିଲ ହେବେ । ଆସନ୍ତା ୧୫ ତାରିଖରେ ସେ ଆସିବେ ବୋଲି କୁହାଯାଉଛି । ନଡ୍ଡା ୪ ଦିନ ଓଡିଶାରେ ରହିବେ । ନଡ୍ଡା ଏବଂ ମୋହନ ଭାଗବତଙ୍କ ସମେତ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପ୍ରାୟ ୩୦୦ ପଦାଧିକାରୀଙ୍କ ସମେତ ବିଜେପିର କିଛି ବରିଷ୍ଠ ନେତା ଓ କେନ୍ଦ୍ରମନ୍ତ୍ରୀ ମଧ୍ୟ ଏହି କର୍ମଶାଳାରେ ଭାଗ ନେବେ ।

ନଡ୍ଡାଙ୍କ ସହ ସଂଘର ବରିଷ୍ଠ ଅଧିକାରୀ ଭୈୟାଜି ଯୋଶୀ, ୧୧ କ୍ଷେତ୍ରୀୟ ଅଧିକାରୀ ଓ ୪୨ ପ୍ରାଦେଶିକ ପ୍ରଚାରକ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ମଣ୍ଡଳ ବୈଠକ ଅତି ଗୁରୁତ୍ବପୂର୍ଣ୍ଣ । ଏଥିରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ବର୍ଷ ତମାମର କାର୍ଯ୍ୟସୂଚୀ ସ୍ଥିର କରାଯିବ । ଏଥିସହ ମୋଦି ସରକାର ନେଇଥିବା ପଦକ୍ଷେପ ସଂପର୍କରେ ବିସ୍ତୃତ ଆଲୋଚନା ମଧ୍ୟ କରାଯିବ ।

ସବୁଠୁ ବଡ କଥା, ପ୍ରଥମ ଥର ପାଇଁ ଏପରି ଏକ ଜାତୀୟ ସ୍ତରର ବୈଠକ ଓଡ଼ିଶାରେ ଆୟୋଜନ କରୁଛି ଆରଏସଏସ୍ । କାହିଁକି ସଂଘ ଏତେବଡ଼ କାର୍ଯ୍ୟକ୍ରମ ଓଡ଼ିଶାରେ ଆୟୋଜନ କରୁଛି ସେନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ବିଜେପି ଓ ଆରଏସଏସର ଫୋକସରେ ରହିଛି କି ଓଡ଼ିଶା । ବିଜେପିର କିଛି ମହତ୍ବାକାଂକ୍ଷା ଅଛି କି ନାହିଁ ସେନେଇ ମଧ୍ୟ ଅଙ୍କକଷା ଚାଲିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.