ରାଜସ୍ଥାନ: ବିଜେପିକୁ ଘାରିଛି କଂଗ୍ରେସ ପରି ଭୟ ! ବିଧାୟକଙ୍କୁ ରିସର୍ଟରେ ରଖି ଦେବ ଟ୍ରେନିଂ

Published By : Prameya-News7 Bureau | June 06, 2022 IST

ଜୟପୁର : ଜୁନ ୧୦ରେ ରାଜସ୍ଥାନର ୪ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ । ଏହା ପୂର୍ବରୁ ନିଜର ବିଧାୟକଙ୍କୁ ପ୍ରଶିକ୍ଷଣ ଶିବିର ପାଇଁ ଏକ ରିସର୍ଟରେ ରଖିବ ବିଜେପି। ରାଜ୍ୟ ବିଜେପି ମୁଖପାତ୍ରଙ୍କ ସୂଚନା ଅନୁସାରେ, ବିଜେପିର ସମସ୍ତ ବିଧାୟକଙ୍କୁ ପାର୍ଟି କାର୍ଯ୍ୟାଳୟରୁ ବସ ଯୋଗେ ରିସର୍ଟ ନିଆଯିବ।

ବିଜେପି ମୁଖପାତ୍ର କହିଛନ୍ତି, ଦଳ ପ୍ରଶିକ୍ଷଣ ଶିବିରର ଆୟୋଜନ କରୁଛି । ଏଥିପାଇଁ ବିଧାୟକଙ୍କୁ ରିସର୍ଟ ନିଆଯାଉଛି । ସେ କହିଛନ୍ତି ଏହି ଶିବିରରେ ବିଧାୟକଙ୍କୁ ରାଜ୍ୟସଭା ନିର୍ବାଚନ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବା। ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ କଂଗ୍ରେସ ନିଜର ବିଧାୟକ ଏବଂ ସରକାରକୁ ସମର୍ଥନ କରୁଥିବା ନିର୍ଦଳୀୟ ବିଧାୟକଙ୍କୁ ଉଦୟପୁରର ଏକ ହୋଟେଲରେ ରଖିଛି।

ରାଜସ୍ଥାନର ୪ ରାଜ୍ୟସଭା ଆସନ ପାଇଁ କଂଗ୍ରେସ ମୁକୁଲ ୱାସନିକ୍, ପ୍ରମୋଦ ତିୱାରୀ ଏବଂ ରଣଦୀପ ସିଂ ସୁରଜେୱାଲାଙ୍କୁ ମୈଦାନକୁ ଓହ୍ଲାଇଛି। ଅନ୍ୟପଟେ ବିଜେପି ପୂର୍ବତନ ମନ୍ତ୍ରୀ ଘନଶ୍ୟାମ ତିୱାରୀଙ୍କୁ ପ୍ରାର୍ଥୀ କରିଛି । ସେହିପରି ମିଡିଆ ବ୍ୟବସାୟୀ ସୁଭାଷ ଚନ୍ଦ୍ରା ନିର୍ଦଳୀୟ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି । ସୁଭାଷ ଚନ୍ଦ୍ରାଙ୍କୁ ବିଜେପିର ସମର୍ଥନ ରହିଛି।

ସଂଖ୍ୟାବଳ ହିସାବରେ କଂଗ୍ରେସ ନିଜର ୧୦୮ ବିଧାୟକଙ୍କ ସହ ଦୁଇଟି ଆସନ ଏବଂ ବିଜେପି ନିଜର ୭୧ ବିଧାୟକଙ୍କ ସହ ଗୋଟିଏ ଆସନ ସହଜରେ ବିଜୟୀ ହୋଇପାରିବ। ଦୁଇ ଆସନ ଜିତିବା ପରେ କଂଗ୍ରେସ ନିକଟରେ ୨୬ ଏବଂ ଗୋଟିଏ ଆସନ ଜିତିବା ପରେ ବିଜେପି ନିକଟରେ ୩୦ ଭୋଟ ବଳକା ରହିବ । ଜଣେ ପ୍ରାର୍ଥୀ ଜିତିବା ପାଇଁ ୪୧ ବିଧାୟକଙ୍କ ଭୋଟ ଜରୁରୀ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.