ନୂଆଦିଲ୍ଲୀ: କେରଳବାସୀ ଏକ କ୍ରାଉଡଫଣ୍ଡିଂ ମାଧ୍ୟମରେ ସଂଗ୍ରହ କରିଛନ୍ତି ୩୪ କୋଟି। ଏହି କ୍ରାଉଡଫଣ୍ଡିଂକୌଣସି କାର୍ଯ୍ୟକ୍ରମ ପାଇଁ ନୁହେଁ କିମ୍ବା କୌଣସି ଆୟୋଜନ ପାଇଁ ନୁହେଁ। ବରଂ ଏହା ଜଣେ ଭାରତୀୟ ଯୁବକଙ୍କୁ ବିଦେଶରୁ ଫେରାଇ ଆଣିବା ପାଇଁ ଏକ ଚେଷ୍ଟା। ପ୍ରକୃତରେ କେରଳର ଜଣେ ଯୁବକ ଦୀର୍ଘ ୧୮ ବର୍ଷରୁ ଫସିଛନ୍ତି ସାଉଦି ଆରବରେ। କାରଣ ତାଙ୍କୁ ସାଉଦିରେ ମିଳିଛି ମୃତ୍ୟୁ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ। ଆଉ ଜେଲ୍ରୁ ବାହାରିବାକୁ ହିଁ ତାଙ୍କୁ ଦରକାର ୩୪ କୋଟିର ଜରିମାନା।
ସୂଚନାଯୋଗ୍ୟ, କେରଳ କୋଝିକୋଡେର ଅବଦୂର ରହିମ ୨୦୦୬ରେ ଡ୍ରାଇଭର ଭିସାରେ ରିୟାଧ ଯାଇଥିଲେ। ସେଠାରେ ସେ ଡ୍ରାଇଭିଂ ବ୍ୟତୀତ ଜଣେ ଦିବ୍ୟାଙ୍ଗ ଶିଶୁଙ୍କ ଯତ୍ନ ନେବା କାମ ମଧ୍ୟ କରୁଥିଲେ। ହେଲେ ଏକଦା ସେ ଉକ୍ତ ଦିବ୍ୟାଙ୍ଗ ବାଳକ ସହ ଯାତ୍ରା କରୁଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ଏଥିରେ ଉକ୍ତ ଦିବ୍ୟାଙ୍ଗ ବାଳକଙ୍କ ଠାରେ ଲାଗିଥିବା ଲାଇଫ୍ ସପୋର୍ଟ ସିଷ୍ଟମ ଅଲଗା ହୋଇଯାଇଥିଲା। ଆଉ ରହିମଙ୍କ ଉଦ୍ୟମ ସତ୍ତ୍ବେ ପିଲାଟିର ମୃତ୍ୟୁ ହୋଇଯାଇଥିଲା।
ଘଟଣାରେ ତାଙ୍କୁ ୨୦୧୮ରେ ମୃତ୍ୟୁ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଶୁଣାଇଥିଲେ ସାଉଦି କୋର୍ଟ। ତେବେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ପରେ ଜଣାପଡ଼ିଥିଲା ଯେ, ଯଦି ୩୪ କୋଟି ଟଙ୍କାର ଜରିମାନା ବା ବ୍ଲଡ୍ ମନି ଦିଆଯାଉଛି ତେବେ ତାଙ୍କୁ ମୁକ୍ତ କରାଯିବ।
ଏହା ପରେ ଅବଦୂରଙ୍କ ରହିମଙ୍କ ମୁକ୍ତି ପାଇଁ ଲିଗାଲ ଆକ୍ସନ ଟିମ୍ ଏକ କ୍ୟାମ୍ପେନ ଆରମ୍ଭ କରିଥିଲେ। ଇନଫ୍ଲୁଏନ୍ସର, ଏନଆରଆଇ, ବ୍ୟବସାୟୀ ଏବଂ ସମାଜସେବୀମାନେ ଏହି କ୍ୟାମ୍ପେନରେ ସାମିଲ୍ ହୋଇଥିଲେ। ବିଭିନ୍ନ ରାଲି ମଧ୍ୟ ହୋଇଥିଲା। ଲିଗାଲ କମିଟି କ୍ରାଉଡଫଣ୍ଡିଂ ପାଇଁ ‘ସେଭ ଅବଦୁଲ ରହିମ’ ନାମରେ ଏକ ଆପ୍ ଲଞ୍ଚ କରଥିଲେ। ଏଥିରେ ହିଁ ୩୦ କୋଟି ଟଙ୍କା ସଂଗ୍ରହ ହୋଇଥିଲା।
ତେବେ ସଂଗ୍ରହ ହୋଇଥିବା ଏହି ଟଙ୍କା ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଦ୍ବାରା ରିୟାଧରେ ଥିବା ଭାରତୀୟ ଦୂତାବାସକୁ ପଠାଯିବ । ଯାହାଦ୍ବାରା ରହିମଙ୍କ ମୁକ୍ତ କରାଯାଇପାରିବ। ସେପଟେ ଏହି ଉଦ୍ୟମ ପାଇଁ ରହିମ ଲୋକଙ୍କୁ ଏବଂ ଲିଗାଲ କମିଟିକୁ ଧନ୍ୟବାଦ ଦେଇଛନ୍ତି। ଆଉ ଏହାକୁ ‘ପ୍ରକୃତ କେରଳ ଷ୍ଟୋରୀ’ ବୋଲି କହିଛନ୍ତି।
ଘଟଣାକୁ ଦେଇ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ କହିଛନ୍ତି, ‘‘ରାଜ୍ୟ ଭାଇଚାରକୁ କୌଣସି ସାମ୍ପ୍ରଦାୟିକତା ଭାଙ୍ଗିପାରିବନାହିଁ। ଜଣେ ବ୍ୟକ୍ତିଙ୍କ ଜୀବନ ପାଇଁ ଆଜି ସବୁ ମାଲାୟଲି ଏକାଠି ହୋଇଛନ୍ତି। ସମେସ୍ତ ମଣିଷ ପ୍ରତି ମଣିଷର ଭଲପାଇବାର ଏକ ଉଦାହରଣ ସୃଷ୍ଟି କରିଛନ୍ତି ।’’