ଏମ୍‌ସିଡି ନିର୍ବାଚନରେ ବିଜୟୀ ହୋଇଥିବା ଆପ୍ କାଉନସିଲରଙ୍କୁ କିଣିବାକୁ ଚେଷ୍ଟା କରୁଛି ବିଜେପି: ଆପ୍‌ ସାଂସଦ ସଞ୍ଜୟ ସିଂହ

Published By : Prameya-News7 Bureau | December 10, 2022 IST

ନୂଆଦିଲ୍ଲୀ: ଦିଲ୍ଲୀ ମ୍ୟୁନିସିପାଲିଟି ନିର୍ବାଚନରେ ଆପ୍‌ର ବିପୁଳ ବିଜୟ ପରେ ପୁଣିଥରେ ଆରମ୍ଭ ହୋଇଯାଇଛି ନିର୍ବାଚନୀ ହାଟ। ପ୍ରାର୍ଥୀ କିଣାବିକାରେ ବ୍ୟସ୍ତ ରାଜନୈତିକ ଦଳ। ଏମିତି ଅଭିଯୋଗ ଆଣିଛି ଆମ୍‌ ଆଦ୍‌ମୀ ପାର୍ଟି। ବିଜେପି ଆପ୍‌ର କାଉନସିଲରଙ୍କ କିଣିବାକୁ ଚେଷ୍ଟା କରୁଛି ବୋଲି ଆପ୍ ଅଭିଯୋଗ ଲଗାଇଛି। ନିକଟ ଏମ୍‌ସିଡି ନିର୍ବାଚନରେ ବିଜୟୀ ହୋଇଥିବା ଆପ୍ ପ୍ରାର୍ଥୀଙ୍କୁ ବିଜେପି ଟଙ୍କା ଲୋଭ ଦେଖାଇ କିଣିବାକୁ ଚେଷ୍ଟା କରୁଛି। ଦଳ ପୁଣିଥରେ ହୀନ ରାଜନୀତି ଆରମ୍ଭ କରିଛି ବୋଲି ଆଜି ଗୁରୁତର ଅଭିଯୋଗ ଆଣିଛନ୍ତି ସାଂସଦ ସଞ୍ଜୟ ସିଂହ।

୩ ଆପ୍ କାଉନିସିଲର(ଡ. ରୋନାକ୍ଷୀ ଶର୍ମା, ଅରୁଣ ନାୱରିଆ ଓ ଜ୍ୟୋତି ରାଣୀ)ଙ୍କ ସହ ମିଶି ଆଜି ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ସଞ୍ଜୟ ସିଂହ ବିଜେପି ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ ଗତ ନିର୍ବାଚନ ତୁଳନାରେ ଏଥର ମାତ୍ର ୩୦ ଆସନ ଜିତିବା ଓ ୮୦ଟି ଆସନ ହରାଇବା ପରେ ବିଜେପି ପୁଣିଥରେ ତାର ହୀନ ରାଜନୀତି ଆରମ୍ଭ କରିଦେଇଛି।

ଠିକ୍ ଯେମିତି ମହାରାଷ୍ଟ୍ର, ଅରୁଣାଚଳ ପ୍ରଦେଶ,ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ଗୋଆ ଏବଂ ଗୁଜରାଟ ଭଳି ରାଜ୍ୟରେ ଘୋଡ଼ା ବେପାର କରି ବିଧାୟକ କିଣିଥିଲା। ଠିକ୍ ସେହିପରି ଦିଲ୍ଲୀର ପ୍ରତିନିଧିମାନଙ୍କୁ ମଧ୍ୟ କିଣିବାକୁ ଚେଷ୍ଟା କରିଛି। ଯେଉଁମାନେ ଏଭଳି କରି ଗଣଥନ୍ତ୍ରର ହତ୍ୟା କରୁଛନ୍ତି ଓ ଲୋକମତକୁ ଅପମାନିତ କରୁଛନ୍ତି ସେମାନଙ୍କୁ ଗିରଫ କରାଯାଉ ବୋଲି ଶ୍ରୀ ସିଂହ ଦିଲ୍ଲୀ ପୁଲିସ କମିଶନରଙ୍କୁ ନିବେଦନ କରିଛନ୍ତି।

ସେ କହିଛନ୍ତି “ବିଜେପିକୁ ଏମିତି ଏକ ଅଲଜ୍ଜା ପାର୍ଟି ଯେ ଆମ ଠାରୁ ୩୦  ସିଟ୍ ହାରିବା ପରେ ବି କହୁଛନ୍ତି ଯେ କାଉସିଲର ସବୁ ଆମର ହେବେ।”  ଆପର ଅଭିଯୋଗ ଅନୁସାରେ, ଯୋଗେନ୍ଦ୍ର ଚାନ୍ଦୋଲିଆ ନାମକ ଜଣେ ବ୍ୟକ୍ତି ଆପ୍ କାଉନସିଲର ଶ୍ରୀମତୀ ଶର୍ମାଙ୍କୁ ଫୋନ୍ କରିଥିଲେ। କହିଥିଲେ ଯେ ବିଜେପି ରାଜ୍ୟ ପ୍ରବକ୍ତା ଆଦେଶ କୁମାର ଗୁପ୍ତା ତାଙ୍କ ସହ ଆଲୋଚନା କରିବାକୁ ଚାହୁଁଛନ୍ତି। ଏବଂ କାଉନସିଲରଙ୍କୁ କିଣିବାକୁ ୧୦୦ କୋଟି ଟଙ୍କା କଥା ଉଠାଇଥିଲେ ବୋଲି ସଞ୍ଜୟ ସିଂହ କହିଛନ୍ତି। ୧୦ କାଉନସିଲରଙ୍କୁ କିଣିବାକୁ ୧୦୦ କୋଟି ଧାର୍ଯ୍ୟ ହୋଇଥିଲା। ପ୍ରତ୍ୟେକଙ୍କୁ ୧୦ କୋଟି ଟଙ୍କା ଦେବାକୁ ସ୍ଥିର କରିଥିଲା ଭାରତୀୟ ଖୋକାପାର୍ଟି(ବିଜେପିକୁ ଆପ୍‌ର କଟାକ୍ଷ ସମ୍ବୋଧନ) ବୋଲି ସେ କହିଛନ୍ତି।

ସେହିପରି ନାୱରିଆ କହିଥିଲେ ଯେ ତାଙ୍କୁ ଧମକ ଦିଆଯାଉଛି। କାଉସିଲର ଭାବେ ଶପଥ ନେବା ପୂର୍ବରୁ ତାଙ୍କୁ ହତ୍ୟା କରାଯିବ ବୋଲି ତାଙ୍କୁ ଧମକ ମିଳିଥିବା ନାୱରିଆ କହିଛନ୍ତି। ସେହିପରି ଜ୍ୟୋତିରାଣୀଙ୍କ କହିବା କଥା ହେଲା ଯେ ତାଙ୍କୁ ୫୦ ଲକ୍ଷ ଟଙ୍କା ଯଚାଯାଇଛି। ଏହି ଆପ୍ କାଉନସିଲର କେଜରିୱାଲ୍‌ଙ୍କ ପଛରେ ଛିଡ଼ା ହୋଇଛି ବୋଲି ସଞ୍ଜୟ ସିଂହ କହିଛନ୍ତି।  

ସୂଚନା ଥାଉକି ବୁଧବାର ଏମ୍‌ସିଡି ନିର୍ବାଚନରେ ଆପ ବିଜେପିକୁ ଅତି ଖରାପ ଭାବରେ ହରାଇ ୨୫୦ ଆସନ ମଧ୍ୟରୁ ୧୩୪ ୱାର୍ଡ ହାତେଇଥିଲା। ବିଜେପିର ୧୫ ବର୍ଷର ଶାସନକୁ ଶେଷ କରି ଆପ୍ ବିଜୟୀ ହେବା ସହିତ କଂଗ୍ରେସ ମାତ୍ର ୯ଟି ଆସନରୀ ସୀମିତ ରହିଯାଇଥିଲା। ସେହିପରି ବିଜେପି ୧୦୪ ଆସନ ଜିତି ଦ୍ୱିତୀୟ ସ୍ଥାନରେ ରହିଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.