ଶତାୟୁ ଗ୍ୱେନ୍ଡୋଲିନ୍ ହୋର୍ଙ୍କୁ ରାଣୀଙ୍କ ତରଫରୁ ଆସିଲା ଅଭିନନ୍ଦନ ବାର୍ତ୍ତା, ଟେଲିଗ୍ରାମରେ ପହଞ୍ଚିଲା ଶୁଭେଚ୍ଛା
14/09/2022 at 9:55 AM

ନୂଆଦିଲ୍ଲୀ ୧୪/୦୯: ବ୍ରିଟେନ୍ରେ ୧୦୦ ବର୍ଷ ବୟସରେ ପାଦ ଥାପୁଥିବା ବ୍ୟକ୍ତିଙ୍କୁ ରାଣୀ ଏଲିଜାବେଥ୍ ୨ୟ ଅଭିନନ୍ଦନ ବାର୍ତ୍ତା ପଠାଇଥାନ୍ତି । ଏହା ପରେ ପ୍ରତି ବର୍ଷ ସେମାନଙ୍କୁ ଜନ୍ମଦିନ ଶୁଭେଚ୍ଛା ବାର୍ତ୍ତା ଟେଲିଗ୍ରାମ୍ ରାଣୀଙ୍କ ତରଫରୁ ଆସିଥାଏ । ତେବେ ଗତ ୮ ତାରିଖରେ ରାଣୀ ଏଲିଜାବେଥ୍ ୨ୟଙ୍କ ପରଲୋକ ହେବା ପରେ ୧୦୦ ବର୍ଷ ବୟସରେ ପାଦ ଥାପିଥିବା ଗ୍ୱେନ୍ଡୋଲିନ୍ ହୋର୍ ରାଣୀଙ୍କ ତରଫରୁ ନିଜର ୧୦୦ତମ ଜନ୍ମଦିନ ଶୁଭେଚ୍ଛା କାର୍ଡ ପାଇବାର ଆଶା ଛାଡ଼ିଦେଲେ ।
କିନ୍ତୁ ଆଶ୍ଚର୍ଯ୍ୟର କଥା, ତାଙ୍କ ୧୦୦ତମ ଜନ୍ମଦିନର ଦିନକ ପୂର୍ବରୁ ଗତ ଶୁକ୍ରବାର ଗ୍ୱେନ୍ଡୋଲିଙ୍କ ପାଖକୁ ରାଣୀଙ୍କ ତରଫରୁ ଡାକ ଯୋଗେ ଏକ ଶୁଭେଚ୍ଛା କାର୍ଡ ପହଞ୍ଚିଲା । ଏହା ତାଙ୍କ ପାଇଁ ସବୁଠୁ ବଡ଼ ସର୍ପ୍ରାଇଜ୍ ଥିଲା । ରାଣୀଙ୍କ ତରଫରୁ ମିଳିଥିବା ଏହି ସର୍ପ୍ରାଇଜ୍ ଟେଲିଗ୍ରାମ୍ ଦେଖିବା ପରେ ସେ ଭାବବିହ୍ୱଳ ହୋଇପଡ଼ିଲେ । ଆଶା ପୂରଣ ହେବାର ଖୁସି ଓ ରାଣୀଙ୍କୁ ହରାଇବାର ଦୁଃଖରେ ସେ କାନ୍ଦି ପକାଇଲେ ।
ଗତ ଦଶନ୍ଧି ଧରି ଗ୍ୱେନ୍ଡୋଲି ନିଜର ୧୦୦ତମ ଜନ୍ମଦିନକୁ ନେଇ ଖୁବ୍ ଉତ୍ସାହିତ ଥିଲେ । ରାଣୀଙ୍କ ତରଫରୁ ଟେଲିଗ୍ରାମ୍ ଆସିବା ବିଷୟରେ ସେ ଅନେକ ସମୟରେ ଚର୍ଚ୍ଚା କରୁଥିଲେ । କିନ୍ତୁ ରାଣୀଙ୍କ ପରଲୋକ ଖବର ଶୁଣିବା ପରେ ସେ ଖୁବ୍ ଭାଙ୍ଗିପଡ଼ିଲେ । ଜନ୍ମଦିନ ଶୁଭେଚ୍ଛା ରୂପେ ଟେଲିଗ୍ରାମ୍ ପାଇବାର ଆଶା ତାଙ୍କର ମଉଳିଗଲା । କିନ୍ତୁ ଯେତେବେଳେ ରାଣୀଙ୍କ ତରଫରୁ ତାଙ୍କ ପାଖକୁ ଟେଲିଗ୍ରାମ୍ ଆସିଲା, ସେ ନିଜକୁ ସମ୍ଭାଳି ପାରିଲେ ନାହିଁ । ଏହି ମୁହୂର୍ତ୍ତ ତାଙ୍କ ପାଇଁ ଅତ୍ୟନ୍ତ ସ୍ମରଣୀୟ ବୋଲି ଗ୍ୱେନ୍ଡୋଲିନ୍ଙ୍କ ଝିଆରୀ ଗଣମାଧ୍ୟମକୁ କହିଛନ୍ତି ।