Royal Enfield ବଜାରରୁ ଫେରସ୍ତ ମଗାଇଲେ ୫ହଜାର ମୋଟର ସାଇକେଲ, ଜାଣନ୍ତୁ କାହିଁକି?
9/03/2023 at 8:31 PM

ନୂଆଦିଲ୍ଲୀ ୯।୩: ରୟାଲ ଏନଫିଲ୍ଡ ସାରା ବିଶ୍ୱରେ ତାଙ୍କର ପରଫର୍ମାନ୍ସ ବାଇକ୍ ଲାଗି ବେଶ୍ ପ୍ରଶିଦ୍ଧ। ଏବେ କମ୍ପାନୀର ଦମଦାର ବାଇକ୍ ‘ହିମାଲୟନ’ରେ ବୈଷୟିକ ତ୍ରୁଟି ଦେଖାଯାଇଛି। ଏହା ଜଣାପଡିବା ପରେ ରୟାଲଏନଫିଲ୍ଡ ଏହି ବାଇକ୍ର କିଛି ୟୁନିଟ୍ ବଜାରରୁ ଫେରସ୍ତ ମଗାଇଛନ୍ତି। ଗତ ଫେବୃଆରୀ ୨୭ ତାରିଖରେ ରୟାଲ ଏନଫିଲ୍ଡ ୟୁଏସ ନ୍ୟାସନାଲ ହାଇୱେ ଟ୍ରାଫିକ ସେଫ୍ଟି ଆଡମିନେଷ୍ଟ୍ରେସନ (ଏନଏଚଟିଏସଏ) ଙ୍କୁ ୧ ମାର୍ଚ୍ଚ ୨୦୧୭ ଓ ୨୮ ଫେବୃଆରୀ ୨୦୨୧ ମଧ୍ୟରେ ନିର୍ମିତ ହିମାଲୟନ ବାଇକ୍ରେ ବ୍ରେକିଂ ସମସ୍ୟା ଦେଖା ଯାଇପାରେ ବୋଲି ସୂଚିତ କରିଛନ୍ତି। ଏଣୁ କମ୍ପାନୀ ସମସ୍ୟା ଥିବା ୪,୮୯୧ ୟୁନିଟ୍ ବଜାରରୁ ଫେରସ୍ତ ମାଗିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଏହି ମାମଲା ଭାରତର ନୁହେଁ , ଆମେରିକା ବଜାରର। ଏଣୁ ଆପଣଙ୍କୁ ଚିନ୍ତିତ ହେବାର କୌଣସି କାରଣ ନାହିଁ। ଗ୍ଲୋବାଲ ମିଡିଆ ରିପୋର୍ଟ ଅନୁସାରେ ଏହି ସମସ୍ୟା କମ୍ପାନୀ ଦ୍ୱାରା ବାଇକରେ ବ୍ୟବହାର କରାଯାଇଥିବା କ୍ୟାଲିପର୍ସ ସମ୍ପର୍କିତ। ଯାହା ଶୀତ ଋତୁରେ ସଡ଼କ ସଫା ରଖିବା ପାଇଁ ବ୍ୟବହାର କରାଯାଉଥିବା ଲୁଣ ଯୋଗୁ ଖରାପ ହୋଇଥାଏ। ଏଣୁ କମ୍ପାନୀ ପ୍ରଭାବିତ ମୋଟର ସାଇକେଲଗୁଡିକର ଫ୍ରଣ୍ଟ ଓ ରିୟର ବ୍ରେକ୍ କ୍ୟଲିପର୍ସ ବଦଳାଇବା ପାଇଁ ସ୍ୱେଚ୍ଛାକୃତ ଘୋଷଣା କରିଛନ୍ତି।

ପ୍ରାରମ୍ଭିକ ପର୍ଯ୍ୟାୟରେ କମ୍ପାନୀକୁ ବ୍ରିଟେନ ବଜାରରୁ ଏଥିଲାଗି ପ୍ରତିକ୍ରିୟା ମିଳିଥିଲା। ତେବେ ରିକଲ ଆମେରିକା ବଜାର ପାଇଁ କରାଯାଇଛି। ସମ୍ଭବତଃ ଆଗାମୀ ସମୟରେ ଅନ୍ୟ ଗ୍ଲୋବାଲ ମାର୍କେଟ ଯେପରି ୟୁକେ, ୟୁରୋପ, ଜାପାନ ଓ ସାଉଥ କୋରିଆରେ ମଧ୍ୟ ରିକଲ ଘୋଷଣା କରିପାରନ୍ତି। ତେବେ ଏପର୍ଯ୍ୟନ୍ତ କମ୍ପାନୀ ପକ୍ଷରୁ ଅଧିକାରୀକ ଘୋଷଣା କରାଯାଇ ନାହିଁ।
କଣ ରହିଛି ସମସ୍ୟା
କମ୍ପାନୀ ଅନୁସାରେ ଏହି ସମସ୍ୟା ଯୋଗୁ ବ୍ରେକ୍ ଲଗାଇବା ବେଳେ ଅସାଧାରଣ ଶବ୍ଦ ବାହାରିପାରେ। ଏହା କ୍ୟାଲିପର୍ସ ପାଖରେ ଜଳିବାର ଗନ୍ଧବି ସୃଷ୍ଟି କରିପାରେ। ଚାଳକଙ୍କୁ ରୟାଲ ଏନଫିଲ୍ଡ ହିମାଲୟନକୁ ମାନୁଆଲ ପୁସ୍ କରିବାରେ ବି ସମସ୍ୟା ହୋଇପାରେ। ତେବେ ଭାରତୀୟ ବଜାରରେ ଚାଲିଥିବା ରୟାଲ ଏନଫିଲ୍ଡ ମୋଟର ସାଇକେଲମାନଙ୍କରେ ଏପର୍ଯ୍ୟନ୍ତ ଏପରି କୌଣସି ସମସ୍ୟା ଉପୁଜି ନାହିଁ।