କମ୍ବୋଡିଆ ୦୨/୧୨: ଅନ୍ତିମ ସଂସ୍କାର ସମୟରେ ଚାଉଳରୁ ତିଆରି ‘ହାଣ୍ଡିଆ’ ପିଇ ୭ ଜଣଙ୍କ ଜୀବନ ଯାଇଛି। ଏହା ସହ ୧୩୦ରୁ ଅଧିକ ଲୋକ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। କମ୍ବୋଡ଼ିଆର ଛନାଙ୍ଗ ପ୍ରାନ୍ତରେ ଏକ ଗାଁରେ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମ ପାଇଁ ମଦ୍ୟପାନର ବ୍ୟବସ୍ଥା ହୋଇଥିଲା।
ତେବେ ଚାଉଳରୁ ତିଆରି ମାଦକ ଦ୍ରବ୍ୟ ଯାହାକୁ ହାଣ୍ଡିଆ ବୋଲି ମଧ୍ୟ କୁହାଯାଏ ତାହାକୁ ଶତାଧିକ ଲୋକେ ପାନ କରିଥିଲେ। ହାଣ୍ଡିଆ ପିଇବା ପରେ ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାକୁ ଲାଗିଥିଲା। ପରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ୭ ଲୋକଙ୍କ ଜୀବନ ଯାଇଥିବା ବେଳେ ଏବେ ବି ଶତାଧିକ ଲୋକେ ମୃତ୍ୟୁ ସହ ସଂଘର୍ଷ କରୁଥିବା ଜଣାପଡ଼ିଛି।
ଚାଉଳ ବା ଭାତରୁ ପ୍ରସ୍ତୁତ ମଦରେ ବିଷାକ୍ତ ପଦାର୍ଥ ମିଶିଥିବାରୁ ଲୋକଙ୍କ ଜୀବନ ଯାଇଥିବା ସ୍ବାସ୍ଥ୍ୟ ବିଭାଗ ସନ୍ଦେହ କରୁଛି। ତେଣୁ ଏହାକୁ ଗୁରୁତର ସହ ନେଇ ବିଭାଗ ଯାଞ୍ଚ କରୁଥିବା ଜଣାପଡ଼ିଛି। ଅନେକ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ କିଛି ସୁସ୍ଥ ହୋଇ ଫେରିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, କମ୍ବୋଡିଆରେ ଏହି ମାମଲା ପ୍ରଥମ ନୁହେଁ। ଏହା ପୂର୍ବରୁ ୨୦୧୮ରେ କ୍ରେଟି ଜିଲ୍ଲାରେ ବିଷାକ୍ତ ମଦ୍ୟପାନ କରି ୧୪ ଗାଁର ଲୋକେ ମୃତ୍ୟୁ ବରଣ କରିଥିବା ବେଳେ ୨୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇଥିଲେ। ଗତ ଜୁନ ମାସରେ ହାଣ୍ଡିଆ ପିଇ ୭ ଜଣଙ୍କ ଜୀବନ ଯାଇଥିବା ବେଳେ ୩୦ରୁ ଅଧିକ ଲୋକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।