ସ୍ପେସ ଷ୍ଟେସନରୁ ମହକାଶଚାରୀଙ୍କୁ ଉଦ୍ଧାର କରିବ ରୁଷ: ପଠାଇବ ଶୋୟୁଜ୍ ମହାକାଶଯାନ
11/01/2023 at 8:51 PM

ନୂଆଦିଲ୍ଲୀ, ୧୧/୦୧: ମହାକାଶଚାରୀଙ୍କୁ ପୃଥିବୀକୁ ଆଣିବ ଶୋୟୁଜ୍ ଏମଏସ-୨୩ ରକେଟ୍। ୩ ମହାକାଶଚାରୀଙ୍କୁ ପୃଥିବୀକୁ ଆଣିବା ପାଇଁ ଦ୍ବିତୀୟ ଶୋୟୁଜ୍ ରକେଟ୍ ଲଞ୍ଚ କରିବ ରୁଷୀୟ ମହାକାଶ ସଂସ୍ଥା ରୋସକସମୋସ୍। ପୂର୍ବରୁ ଏହି ମହକାଶଯାତ୍ରୀ ଫେରିବାକୁ ଥିବା ଏମଏସ-୨୨ ମହାକାଶଯାନରେ ତ୍ରୁଟି ଯୋଗୁଁ ନୂତନ ରକେଟ୍ ଲଞ୍ଚ କରାଯାଉଛି।
ପ୍ରକୃତରେ ଏହି ତିନି ମହାକାଶଚାରୀଙ୍କୁ ନେଇ ଫେରିବାକୁ ଥିବା ରକେଟ୍ର କ୍ୟାପସୁଲ୍ରେ ତ୍ରୁଟି ଫଳରେ ଅନ୍ୟ ଏକ ରକେଟ୍ ଜରିଆରେ ସେମାନଙ୍କୁ ଫେରାଇ ଆଣିବାକୁ ନିଷ୍ପତ୍ତି ହୋଇଛି। କ୍ୟାପସୁଲରେ ଏକ ଛିଦ୍ର ଯୋଗୁଁ ଏଥିରୁ କୁଲାଣ୍ଟ ନିର୍ଗତ ହେଉଛି। ଫଳରେ ଏହା ମହାକାଶଚାରୀଙ୍କୁ ନେଇ ଆସିପାରିବନାହିଁ। ଏହି ନୂଆ ଶୋୟୁଜ୍ ସ୍ପେସ୍କ୍ରାଫ୍ଟ ଦୁଇ ଋୁଷୀୟ ଏବଂ ଜଣେ ଆମେରିକୀୟ ମହାକାଶଚାରୀଙ୍କୁ ନେଇ ଇଣ୍ଟରନାସନାଲ ସ୍ପେସ ଷ୍ଟେସନରୁ ଫେରିବ।
’ମହାକାଶଚାରୀ ସର୍ଗେଇ ପ୍ରୋକୋପିଭ୍, ଡିମିତ୍ରି ପେଟେଲିନ୍ ଏବଂ ଫ୍ରାନସିସ୍କୋ ରୁବିଓଙ୍କୁ ଇଣ୍ଟରନାସନାଲ ସ୍ପେସ ଷ୍ଟେସନକୁ (ଆଇଏସଏସ) ରୁ ଫେରିବା ସମୟକୁ ବଢ଼ାଯାଇଛି। ସେମାନେ ପୃଥିବୀକୁ ଶୋୟୁଜ୍ ଏମଏସ-୨୩’ ରକେଟ୍ରେ ଫେରିବା ନେଇ ରୋସକସମୋସ୍ ତରଫରୁ କୁହାଯାଇଛି। ତେବେ ଏମଏସ-୨୩ ଫେବୃଆରୀ ୨୦ ରେ ଲଞ୍ଚ କରାଯିବ, ଏବଂ ଏହି ଲଞ୍ଚ ମାନବବିହୀନ ହେବ। ତେବେ ଖରାପ ହୋଇଯାଇଥିବା ଏମଏସ-୨୨, ବିନା କ୍ରୁରେ ପୃଥିବୀକୁ ଓହ୍ଲାଇବ ବୋଲି ରସକୋସମୋସ୍ ତରଫରୁ କୁହାଯାଇଛି।
ଶୋୟୁଜ୍ ଏମଏସ-୨୨ରେ ଥିବା ଛିଦ୍ରକୁ ଡିସେମ୍ବର ୨୦୨୨ ଜଣାପଡ଼ିଥିଲା। ଯାଞ୍ଚ ପରେ ଜଣାପଡ଼ିଥିଲା ଯେ ଶୋୟୁଜ୍ ଏମଏସ-୨୨ କ୍ୟାପସୁଲ୍ର ବାହ୍ୟ ରେଡିଏଟରରେ ଏକ କ୍ଷୁଦ୍ର ଛିଦ୍ର ହୋଇଛି ଫଳରେ ଏଥିରୁ ବାଷ୍ପ ନିର୍ଗତ ହେଉଛି। ଏହି କ୍ୟାପସୁଲ ଏବେ ଆଇଏସଏସରେ ରହିଛି। ଏହା ତିନି କ୍ରୁ ମେମ୍ବରକୁ ଧରି ମାର୍ଚ୍ଚ ମାସରେ ପୃଥିବୀକୁ ଫେରିଥାନ୍ତା। ତେବେ ଏହି ଛିଦ୍ର ମହାକାଶରେ ଥିବା ସୂକ୍ଷ୍ମ ପଥର ଖଣ୍ଡ ଯୋଗୁଁ ହୋଇଥିବା ନେଇ ଜଣାପଡ଼ିଥିଲା। ଏହା ଫଳରେ ମହାକାଶଚାରୀଙ୍କୁ କୌଣସି କ୍ଷତି ହେବନାହିଁ ବୋଲି ରସକୋସମୋସ ଏବଂ ନାସା ତରଫରୁ କୁହାଯାଇଥିଲା।
ତେବେ ଏହି ତିନି ମହକାଶଚାରୀଙ୍କ ବ୍ୟତୀତ ଆଉ ୪ ମହାକାଶଚାରୀ ବର୍ତ୍ତମାନ ଆଇଏସଏସରେ ରହିଛନ୍ତି। ନାସାର ନିକୋଲ ମ୍ୟାନ୍ ଏବଂ ଜୋଶ୍ କାଶାଡା। ଜାପାନର କୋଇଚି ଓ୍ବାକାଟ୍ ଏବଂ ରସକୋମୋସର ଆନ୍ନା କିକିନା ରହିଛନ୍ତି।
