କନଷ୍ଟ୍ରକସନ୍ କମ୍ପାନୀ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର : ଚୋରି ଧରା ପକାଇ ଦେଇଥିବାରୁ ମାରିଦେଇଛି ରୁମମେଟ୍!

Published By : Prameya-News7 Bureau | February 22, 2020 IST

ଭୁବନେଶ୍ବର ୨୨/୨: ଭୁବନେଶ୍ବର ପଟିଆ  ଅଂଚଳରେ ଥିବା ଏକ କଷ୍ଟ୍ରକସନ କମ୍ପାନୀରେ ଯୁବକଙ୍କୁ ହତ୍ୟା ଅଭିଯୋଗ । ନିଜ ରୁମରେ ରହୁଥିବା କିଛି ଯୁବକ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତକ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲା ବାଲିସୁଆଁର ଗାଁର ଚିନ୍ମୟ ସ୍ବାଇଁ । ପୂର୍ବ ଶତୃତାକୁ ନେଇ ରୁମରେ ରହୁଥିବା ଅନ୍ୟ ଜଣେ ଯୁବକ ଚିନ୍ମୟଙ୍କୁ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ଇନଫୋସିଟି ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଚୋରି କରୁଥିବା ବେଳେ ଧରା ପକାଇ ଦେଇଥିବାରୁ ହତ୍ୟା ।ପଟିଆସ୍ଥିତ ଏକ କନଷ୍ଟ୍ରକସନ କମ୍ପାନୀରେ କାମ କରୁଥିବା ଚିନ୍ମୟଙ୍କୁ ତାଙ୍କ ରୁମମେଟ୍ ହତ୍ୟା କରିଥିବା ନେଇ ଇନଫୋସିଟି ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ । ଶୁକ୍ରବାର ଅପରାହ୍ନରେ ଚିନ୍ମୟ ଘର ଭିତରେ ଆତ୍ମହତ୍ୟା ଉଦ୍ୟମ କରିଥିବା ନେଇ କମ୍ପାନୀ କର୍ମଚାରୀ ଖବର ଦେବା ସହ ଚିନ୍ମୟଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ ।ହେଲେ ସେଠାରେ ପହଂଚିବା ବେଳେ ଚିନ୍ମୟଙ୍କ ମୃତ୍ୟୁ ଘଟିଥିବା ଡାକ୍ତର କହିଥିଲେ । ଚିନ୍ମୟଙ୍କ ସେଭଳି କୌଣସି ଅସୁବିଧା ନ ଥିବା ବେଳେ ସେ କାହିଁକି ଆତ୍ମହତ୍ୟା କରିବେ ବୋଲି ପରିବାର ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି । ଏଭଳି କି ଚିନ୍ମୟଙ୍କ ମୁହଁ ଓ ପେଟରେ ଲାଗିଥିବା କ୍ଷତ ଚିହ୍ନ ଦେଖିବା ପରେ ତାଙ୍କୁ ସୁଚିନ୍ତିତ ହତ୍ୟା କରାଯାଇଥିବା ପରିବାରେ ଲୋକେ ଅଭିଯୋଗ କରିଛନ୍ତି ।

କିଛି ଦିନ ତଳେ କମ୍ପାନୀର କିଛି ସାମଗ୍ରୀ ଚୋରି ହେଉଥିବା ବେଳେ କମ୍ପାନୀର କିଛି କର୍ମଚାରୀଙ୍କୁ ଧରିଥିଲେ ଚିନ୍ମୟ । ସେମାନଙ୍କ ମଧ୍ୟରେ ଚିନ୍ମୟଙ୍କ ଜଣେ ରୁମମେଟ୍ ମଧ୍ୟ ରହିଥିଲେ । ଏହାକୁ ନେଇ ଚିନ୍ମୟଙ୍କ ରୁମମେଟ୍ ଚିନ୍ମୟଙ୍କୁ ପାନେ ଦେବା ପାଇଁ ଯୋଜନାରେ ରହିଥିଲା । ଚିନ୍ମୟଙ୍କ ରୁମମେଟ୍ ହିଁ ତାଙ୍କୁ ହତ୍ୟା କରିବା ପରେ ଏହାକୁ ଆତ୍ମହତ୍ୟା ରୂପ ଦେବାକୁ ଚେଷ୍ଟା କରୁଥିବା ଚିନ୍ମୟଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଇନଫୋସିଟି ଥାନା ପୋଲିସ ଘଟଣା ସମ୍ପର୍କରେ ଏକ ମାମଲା ରୁଜୁ କରି  ତଦନ୍ତ ଆରମ୍ଭ କରିଛନ୍ତି । ଫରେନସିକ ଅଧିକାରୀ ଘଟଣାସ୍ଥଳକୁ ଯାଇ ଅଧିକ ତଦନ୍ତ ଆରମ୍ଭ କରିଛନ୍ତି । ଯଥାଶୀଘ୍ର ଘଟଣା ପଛର ରହସ୍ୟ ଉନ୍ମୋଚନ ହେବ ବୋଲି ପୋଲିସ ଆଶା ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.