ଗାଙ୍ଗୁଲିଙ୍କ ଠାରୁ କ୍ରିକେଟ୍‌ ଶିଖିବାକୁ କୋଲକାତା ଆସିବେ ଫୁଟବଲ୍‌ ଷ୍ଟାର ରୋନାଲଡିନୋ

Published By : Prameya-News7 Bureau | October 02, 2023 IST

କୋଲକାତା,୨/୧୦: ଭାରତ ଆସୁଛନ୍ତି ବ୍ରାଜିଲର ମହାନ ଫୁଟବଲ ଖେଳାଳି ତଥା ବିଶ୍ୱକପ୍‌ ବିଜେତା ରୋନାଲଡିନୋ। ତାଙ୍କର ରହଣିରେ ଭାରତରେ ଥିବା ତାଙ୍କ ପ୍ରଶଂସକଙ୍କୁ ମଧ୍ୟ ଭେଟିବେ। ରୋନାଲଡିନୋ ଦୁର୍ଗା ପୂଜା ପୂର୍ବରୁ କୋଲକାତା ଗସ୍ତ କରିବା ନେଇ ଏକ ପୋଷ୍ଟ ସେୟାର କରିଛନ୍ତି। ଏହା ଭାରତ ଫୁଟବଲ୍ର ହବ୍‌ ସହରକୁ ପ୍ରଥମ ଗସ୍ତ କରିବା ନେଇ ଖବର ପରେ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢିଯାଇଛି।

ରୋନାଲ୍ଡିନୋ ତାଙ୍କ ଅଫିସିଆଲ୍ ଫେସବୁକ୍ ପୋଷ୍ଟରେ ଲେଖିଛନ୍ତି ଯେ, “ସମସ୍ତଙ୍କୁ ନମସ୍କାର, ମୁଁ ଅକ୍ଟୋବର ମଧ୍ୟଭାଗରେ କୋଲକାତା ଗସ୍ତ କରିବି। ମୁଁ ଜାଣେ କୋଲକାତାରେ ବ୍ରାଜିଲର ବହୁତ ପ୍ରଶଂସକ ଅଛନ୍ତି ଏବଂ ମୁଁ ସେମାନଙ୍କୁ ଭେଟିବା ପାଇଁ ବହୁତ ଉତ୍ସାହିତ ଅଛି। ”

ସେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ ଭେଟିବେ ଏବଂ ତାଙ୍କୁ ଏକ ଜର୍ସି ଉପହାର ଦେବେ। ରୋନାଲ୍ଡିନୋ ଆହୁରି କହିଛନ୍ତି ଯେ ସେ ସିଟି ଆଇକନ୍ ସୌରଭ ଗାଙ୍ଗୁଲିଙ୍କଠାରୁ କ୍ରିକେଟ୍ ଶିଖିବାକୁ ପସନ୍ଦ କରିବେ। “ମୁଁ ଜାଣେ ଭାରତରେ କ୍ରିକେଟ୍ ବହୁତ ଲୋକପ୍ରିୟ ଏବଂ ଏଥର ମୁଁ ବଙ୍ଗଳାର ଦାଦାଙ୍କ ଠାରୁ କ୍ରିକେଟ୍ ଶିଖିବାକୁ ଚାହୁଁଛି।’

ଏଥିସହ ରୋନାଲଡିନୋ ଏକ ଫ୍ରେଣ୍ଡଲି ଫୁଟବଲ୍ ମ୍ୟାଚ୍ ପାଇଁ ହୀରାଖଣ୍ଡ ହାରବର୍ ଏଫସି ଷ୍ଟାଡିୟମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହାଛଡା, ତାଙ୍କ ଗସ୍ତ ସମୟରେ ସେ ପ୍ରାୟୋଜକମାନଙ୍କ ସହ କଥାବାର୍ତ୍ତା କରିବେ। ରୋନାଲଡିନୋଙ୍କୁ ସମ୍ମାନିତ କରିବା ଏବଂ ଫୁଟବଲକୁ ପ୍ରୋତ୍ସାହିତ କରିବା ପାଇଁ ଏକ କାର୍ଯ୍ୟକ୍ରମର ଆୟୋଜନ କରିବେ। ସେ ଦୁର୍ଗାପୂଜାରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।

ବିଶେଷ ସୂତ୍ରରୁ ଖବର ଅନୁଯାୟୀ ବ୍ରାଜିଲର ଅକ୍ଟୋବର ୧୬ରେ ଢାକା ଗସ୍ତ ପୂର୍ବରୁ ଦୁଇ ଦିନ ରହିବେ ବୋଲି ଆଶା କରାଯାଉଛି। ସେ ଏକ ଫୁଟବଲ୍ ମ୍ୟାଚ୍ରେ ଅଂଶଗ୍ରହଣ କରିବା ବ୍ୟତୀତ ୨୦୦୨ ବିଶ୍ୱକପ୍ ବିଜେତା ଫୁଟବଲ୍ ଏକାଡେମୀ ପ୍ରଶିକ୍ଷାର୍ଥୀଙ୍କୁ ଭେଟିବେ। ସହରରେ ଦୁର୍ଗା ପୂଜା ପେଣ୍ଡାଲ୍‌ର ଅନାବରଣ କରିବେ। ପ୍ରକାଶଥାଉକି ଏହା ପୂର୍ବରୁ ଷ୍ଟାର ଫୁଟବଲ ଖେଳାଳି ପେଲେ, ଡିଏଗୋ ମାରାଡୋନା ଏବଂ ଲିଓନେଲ ମେସି ଭାରତ ଗସ୍ତ କରିଛନ୍ତି। ୨୦୨୩ ଜୁଲାଇରେ ଫିଫା ବିଶ୍ୱକପ ବିଜେତା ତଥା ଆର୍ଜେଣ୍ଟିନାର ତାରକା ଫୁଟବଲର୍ ଲିଓନେଲ ମେସିଙ୍କ ସାଥୀ ଗୋଲକିପର ଏମିଲିଆନୋ ମାର୍ଟିନେଜ କୋଲକାତା ଗସ୍ତ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.