ଗୁରମିତ୍ ରାମ ରହିମ ସଯା କାଟୁଥିବା ଜେଲରେ ସୁରକ୍ଷା ବ୍ୟବସ୍ଥା ଢିଲା : ଜେଲ କୋଠରୀରୁ ଜବତ ହେଲା ଏହି ଜିନିଷ
9/06/2019 at 3:48 PM

ରୋହତକ ୯/୬ : ଡେରା ସଚ୍ଚା ସଉଦା ମୁଖ୍ୟ ଗୁରମିତ ରାମ ରହିମ ସିଂହ ଜେଲରେ ବନ୍ଦୀ ଥିବାବେଳେ ସୁରକ୍ଷା ବ୍ୟବସ୍ଥାକୁ ନେଇ ବଡ ଖୁଲାସା ହୋଇଛି । ରାମ ରହିମ ଦୁଷ୍କର୍ମ ଓ ହତ୍ୟା ମାମଲାରେ ୨୦ ବର୍ଷ କାରାଦଣ୍ଡ ସଯା କାଟୁଛି । ରାମ ରହିମର ସୁରକ୍ଷା ବ୍ୟବସ୍ଥା ଅତ୍ୟନ୍ତ ଢିଲା ଥିବା ଜଣାପଡିଛି । ସୁନରୀୟ ଜେଲର ସୁରକ୍ଷା ବ୍ୟବସ୍ଥା ଢିଲା ଥିବା ଜାଣିବା ପରେ ହଇଚଇ ସୃଷ୍ଟି ହୋଇଛି । ରାମ ରହିମ ରହୁଥିବା ଜେଲ କୋଠରୀରେ ଏକ ପ୍ୟାକେଟରୁ ୬ଟି ମୋବାଇଲ ଜବତ ହୋଇଛି । ଜେଲ କୋଠରୀ ଭିତରୁ ମୋବାଇଲ ଫୋନ ଜବତ ହେବା ପଛରେ ଜେଲ କର୍ମଚାରୀଙ୍କ ହାତ ଥିବା ସନ୍ଦେହ କରାଯାଉଛି ।

ପୋଲିସ କହିବାନୁଯାୟୀ, ମୋବାଇଲ ଫୋନ ବାହାରୁ ଭିତରକୁ ଫୋପଡ଼ା ଯାଇଛି । କିନ୍ତୁ ବାହାରୁ କୌଣସି ଜିନିଷ ଜେଲ କୋଠରୀ ଭିତରକୁ ଆସିବା ଭଳି ଜାଗା ହିଁ ନାହିଁ । ଏପରିକି ମୋବାଇଲ ମଧ୍ୟ ଆସିବା ପାଇଁ କୌଣସି ରାସ୍ତା ନାହିଁ ।
ସୂଚନା ଅନୁଯାୟୀ, ଗୁରୁବାର ଦିନ ପାଖାପାଖି ସନ୍ଧ୍ୟା ୬ଟା ସମୟରେ ସୁନରୀୟ ଜେଲର ୧ ନମ୍ବର କୋଠରୀ ଖୋଲା ଯିବାରଥିଲା । ଏହାପୂର୍ବରୁ ୱାଡେନ ଅଜିତ ସିଂହ କୋଠରୀ ବାହାର ଜାଗା ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ୧ ନମ୍ବର ଓ ୨ ନମ୍ବର କୋଠରୀ ବାହାରେ ତାଙ୍କୁ ୨ଟି ଫ୍ରୁଟି ପ୍ୟାକେଟ ମିଳିଥିଲା । ଦୁଇଟି ପ୍ୟାକେଟ ଟେପରେ ବନ୍ଦ ହୋଇ ରହିଥିଲା ।

ପ୍ୟାକେଟ ଉଠାଇବାରୁ ତାଙ୍କୁ ଏହା ସାମାନ୍ୟ ଓଜନ ଠାରୁ ଅଧିକ ଓଜନିଆ ଜଣାପଡିଲା । ଯାହାଫଳରେ ତାଙ୍କୁ ସନ୍ଦେହ ହୋଇଥିଲା । ସନ୍ଦେହ ହେବାରୁ ସେ କୋଠରୀ ଇନଚାର୍ଜ କୃଷ୍ଣ କୁମାର ଏବଂ ଉପ ସହାୟକ ଅଧିକ୍ଷକଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ । ଅଧିକାରୀ ଦୁଇଟି ଫ୍ରୁଟି ପ୍ୟାକେଟ ଖୋଲିବାରୁ ଦୁଇଟି ପାକେଟରୁ ୩ଟି ଲେଖାଏଁ ମୋବାଇଲ ବାହାରିଥିଲା । ଜେଲ କର୍ମଚାରୀ ଧର୍ମବୀର ସିଂଙ୍କ ଅଭିଯୋଗ କ୍ରମେ ଶିବାଜୀ ନଗର ଥାନା ପୋଲିସ ଅଜଣା ଅଭିଯୁକ୍ତ ବିରୋଧରେ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ।