ସେମି ଫାଇନାଲ୍‌ ପୂର୍ବରୁ ରୋହିତଙ୍କ ବଡ଼ ଟିପ୍ପଣୀ, ଦଳ ଉପରେ ଚାପକୁ ନେଇ ଦେଲେ ବଡ଼ ଜବାବ

Published By : Prameya-News7 Bureau | November 14, 2023 IST

ମୁମ୍ବାଇ: ଆଇସିସି ବିଶ୍ଵକପ୍ ୨୦୨୩ର ପ୍ରଥମ ସେମି ଫାଇନାଲ୍‌ ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୁମ୍ବାଇର ଓ୍ଵାଙ୍ଖେଡ଼େ ଷ୍ଟାଡିୟମରେ ଖେଳାଯିବ। ଏହି ଗୁରୁତ୍ଵପୂର୍ଣ୍ଣ ମୁକାବିଲାର ପୂର୍ବ ସନ୍ଧ୍ୟାରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନେକ ପ୍ରଶ୍ନର ଜବାବ ଦେଇଛନ୍ତି। ଏହା ସହିତ ସେ ସାଥୀ ଖେଳାଳିଙ୍କୁ ଲଗାତାର ସମର୍ଥନ କରିବା ଉପରେ ଗୁରୁତ୍ଵ ଦେଇଛନ୍ତି।

ଟସ୍ ଗୁରୁତ୍ଵପୂର୍ଣ୍ଣ ହେବନି

ରୋହିତଙ୍କ ମତରେ ଓ୍ଵାଙ୍ଖେଡ଼େ ଖେଳାଯିବାକୁ ଥିବା ସେମି ଫାଇନାଲ୍ ମ୍ୟାଚ୍‌ରେ ଟସ୍‌ର ଭୁମିକା ସେତେ ଗୁରୁତ୍ଵ ବହନ କରିବ ନାହିଁ। ଏଠାରେ ଖେଳିଥିବା ଗତ ୪-୫ ମ୍ୟାଚ୍‌ରେ ମୋତେ ଜଣା ପଡ଼ିଲା ନାହିଁ ଯେ ଏହା ଓ୍ଵାଙ୍ଖେଡ଼େ ନା କଣ। ଏମିତିରେ ବି ମୁଁ ଏଠାରେ ଟସ୍ ବିଷୟରେ ଅଧିକ ଚିନ୍ତା କରେନି। ତେଣୁ ମୁଁ ନିଶ୍ଚିତ ଏଠାରେ ଟସ୍ ବଡ଼ ଭୂମିକା ଗ୍ରହଣ କରିବ ନାହିଁ ବୋଲି ଭାରତୀୟ ଅଧିନାୟକ କହିଛନ୍ତି।

ସେମି ଫାଇନାଲ୍‌ର ଚାପ

ଅଧିନାୟକ କହିଛନ୍ତି, ଭାରତୀୟ କ୍ରିକେଟ୍‌ ଖେଳାଳି ହିସାବରେ ଆମ ଉପରେ ସର୍ବଦା ଚାପ ରହିଥାଏ। ତେଣୁ ସେମି ଫାଇନାଲ୍‌ରେ ମଇଦାନକୁ ଓହ୍ଲାଇବା ସମୟରେ ଭିନ୍ନ ଚାପ ରହିବ ନାହିଁ। ଏହା ଲିଗ୍ ହେଉ କି ସେମି ଫାଇନାଲ୍ ବିଶ୍ଵକପ୍‌ରେ ଚାପ ସର୍ବଦା ରହିଥାଏ। ଆମେ ପ୍ରଥମ ମ୍ୟାଚ୍‌ରୁ ନେଇ ଅନ୍ତିମ ମ୍ୟାଚ୍ ଯାଏଁ ଭଲ ଭାବେ ମୁକାବିଲା କରିଥାଉ। ବାସ୍ ଆମର ଧ୍ୟାନ କେବଳ  ପରବର୍ତ୍ତୀ ଦୁଇଟି ମ୍ୟାଚ୍ ଉପରେ ରହିଛି।

ଅଧିନାୟକ ଉପରେ କଣ କହିଲେ

ରୋହିତ କହିଛନ୍ତି, ମୋ ପାଖରେ  କୌଣସି ମନ୍ତ୍ର ନାହିଁ। ଅଧିନାୟକ ଯଦି ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ଦିଅନ୍ତି, ତେବେ ଆପଣଙ୍କୁ ଖେଳିବାର ଦିଗ ମିଳିଯାଏ। ଆମେ ଖେଳାଳିଙ୍କୁ ସମର୍ଥନ କରୁ ଏବଂ ଭୂମିକା ଦେଇଥାଉ। ସେମାନଙ୍କ ସହ ଛିଡ଼ା ହୋଇଥାଉ। ଆମେ ଏହି ବିଚାରକୁ ଆପଣାଇବା ପାଇଁ ରାହୁଲ ଦ୍ରାବିଡ଼ଙ୍କୁ ଶ୍ରେୟ ଦେବାକୁ ଚାହୁଁ। ଆମେ ଭବିଷ୍ୟତରେ ମଧ୍ୟ ଏମିତି କରିବା ଜାରି ରଖିବୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.