କୋଲକାତା: ଜୁନ ୧ ତାରିଖରୁ ଆରମ୍ଭ ହେଉଥିବା ଆଗାମୀ ଟି-୨୦ ବିଶ୍ଵକପ୍ ପାଇଁ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ଦିଲ୍ଲୀ କ୍ୟାପିଟାଲ୍ସର ନିର୍ଦ୍ଦେଶକ ସୌରଭ ଗାଙ୍ଗୁଲି ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ଇନିଂସ ଓପନ କରିବା ଉଚିତ୍। ଏହା ଦଳର ରଣନୀତି ଦୃଷ୍ଟିରୁ ଭଲ ରହିବ।
କୋହଲି ଚଳିତ ଆଇପିଏଲ୍ରେ ଦମଦାର ପ୍ରଦର୍ଶନ କରିଛନ୍ତି। ସେ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍ରେ ୬୭ ବଲ୍ରୁ ଶତକ ହାସଲ କରିଥିଲେ। ହେଲେ ଷ୍ଟ୍ରାଇକରେଟ୍କୁ ନେଇ କୋହଲିଙ୍କୁ ସମାଲୋଚନାର ଶିକାର ହେବାକୁ ମଧ୍ୟ ପଡ଼ିଛି। କିନ୍ତୁ ଗାଙ୍ଗୁଲିଙ୍କ କହିବା କଥା କୋହଲିଙ୍କ ପାଖରେ ୪୦ ବଲରୁ ଶତକ ଲଗାଇବାର ସାମର୍ଥ୍ୟ ରହିଛି। ମୋର ବ୍ୟକ୍ତିଗତ ମନ୍ତବ୍ୟ, କୋହଲି ଓ ରୋହିତ ଟି-୨୦ ବିଶ୍ଵକପ୍ରେ ଓପନିଂ କରିବା ଉଚିତ୍। ରୋହିତ ଓ କୋହଲି ଦିନିକିଆ ବିଶ୍ଵକପ୍ରେ ମଧ୍ୟ ନିଜର ଦକ୍ଷତା ଓ ସାମର୍ଥ୍ୟ ଦେଖାଇ ସାରିଛନ୍ତି। ଦୁଇ ଖେଳାଳି ପ୍ରଥମ ବଲରୁ ଆକ୍ରମଣ କରିବା ଜାଣିଛନ୍ତି। ଏମିତି ହେଲେ ପ୍ରଥମ ସାତ-ଆଠ ଓଭରରେ ବିପକ୍ଷ ଦଳ ଉପରେ ଚାପ ପକାଯାଇ ପାରିବ ବୋଲି ଗାଙ୍ଗୁଲି କହିଛନ୍ତି।
ସୂଚନାଯୋଗ୍ୟ, ଟି-୨୦ ବିଶ୍ଵକପ୍ ୨୦୨୪ ପାଇଁ ଶୀଘ୍ର ଭାରତୀୟ ଦଳ ଘୋଷଣା ହେବ। ୧୫ ଜଣିଆ ଦଳରେ ସ୍ଥାନ ପାଇବା ପାଇଁ ଅନେକ ଦାବିଦାର ଅଛନ୍ତି। ଗାଙ୍ଗୁଲିଙ୍କ ଅନୁଯାୟୀ ଚୟନ କମିଟି, ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ଓ ରୋହିତ ଶର୍ମା ଟି-୨୦ ବିଶ୍ଵକପ୍ ପାଇଁ ଦଳର ସର୍ବୋତ୍ତମ ହିତ ପାଇଁ ନିର୍ଣ୍ଣୟ ନିଅନ୍ତୁ। ବିଶ୍ଵକପ୍ ଦଳରେ ଯୁବ ଓ ଅନୁଭବ ଖେଳାଳିଙ୍କ ମିଶ୍ରଣ ରହିବା ଉଚିତ୍।
ଗାଙ୍ଗୁଲି ଏହା ମଧ୍ୟ କହିଛନ୍ତି ଟି-୨୦ ବିଶ୍ଵକପ୍ ପାଇଁ ଚୟନ କେବଳ ଆଇପିଏଲ୍ ୨୦୨୪ର ଗୋଟିଏ ସିଜିନର ପ୍ରଦର୍ଶନ ଉପରେ ଆଧାରିତ ହେବା ଉଚିତ୍ ନୁହେଁ। ଆପଣଙ୍କୁ ପ୍ରତିଟି ପ୍ରଦର୍ଶନ ଦେଖିବାକୁ ପଡ଼ିବ। ମୋତେ ବିଶ୍ଵାସ ଯେ ଚୟନକର୍ତ୍ତା ନିଜର ଅଭିଜ୍ଞତା ଓ ପରିପକ୍ଵ ହିସାବରେ ଆଇପିଏଲ୍ର ଗୋଟିଏ ସିଜିନର ପ୍ରଦର୍ଶନ ଆଧାରରେ ଦଳ ଚୟନ କରିବେ ନାହିଁ।