ନ୍ୟୁୟର୍କ: ବୋଲରଙ୍କ ଶାଣିତ ବୋଲିଂ ପରେ ଅଧିନାୟକ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ଏବଂ ଋଷଭ ପନ୍ତଙ୍କ ଉପଯୋଗୀ ବ୍ୟାଟିଂ ବଳରେ ଭାରତ ଟି-୨୦ ବିଶ୍ଵକପର ନିଜର ପ୍ରଥମ ମ୍ୟାଚ୍ରେ ଆୟରଲାଣ୍ଡକୁ ୮ ଓ୍ଵିକେଟ୍ରେ ପରାସ୍ତ କରିଛି। ଏଥିସହ ରୋହିତ ବାହିନୀ ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛନ୍ତି। ଆୟରଲାଣ୍ଡ ଦ୍ଵାରା ଧାର୍ଯ୍ୟ ୯୭ ରନର ବିଜୟ ଲକ୍ଷ୍ୟକୁ ଭାରତ ୧୨.୨ ଓଭରରେ କେବଳ ୨ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି। ରୋହିତ ଶର୍ମା ୫୨ ରନ କରି ରିଟାୟର୍ଡ ହଟ୍ ହୋଇଥିଲେ। ଋଷଭ ପନ୍ତ ୩୬ ରନର ଅପରାଜିତ ଇନିଂସ ଖେଳି ବିଜୟ ସୂଚକା ଛକା ମାରିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା ଆୟରଲାଣ୍ଡ ୧୬ ଓଭରରେ ୯୬ ରନରେ ଅଲଆଉଟ୍ ହୋଇଥିଲା। ଡେଲାନି ସର୍ବାଧିକ ୨୬ ରନ କରିଥିଲେ। ବୋଲିଂରେ ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ସର୍ବାଧିକ ୨୭ ରନ ଦେଇ ୩ଟି ଓ୍ଵିକେଟ୍ ନେଇ ଥିବା ବେଳେ ଯଶପ୍ରୀତ ବୁମରା ଓ ଅର୍ଶଦୀପ ସିଂ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।
Also read: ରାଜନୀତି ମୈଦାନରେ କମାଲ କଲେ ପଠାନ ଓ ଆଜାଦ, ଫ୍ଲପ୍ ହେଲେ ଏହି ଖେଳାଳି
୯୭ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଭାରତ ୨୨ ରନ ସ୍କୋରରେ ପ୍ରଥମ ଓ୍ଵିକେଟ୍ ହରାଇଥିଲା। ଓପନିଂ କରିଥିବା ବିରାଟ କୋହଲି(୧) ଆଉଟ୍ ହୋଇଥିଲେ। ଏହା ପରେ ରୋହିତ ଶର୍ମା ତିନି ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଋଷଭ ପନ୍ତଙ୍କ ସହ ଦଳର ଇନିଂସକୁ ଆଗେଇ ନେଇଥିଲେ। ରୋହିତ ଶର୍ମା ଦମଦାର ବ୍ୟାଟିଂ କରିଥିଲେ। ସେ ଅର୍ଦ୍ଧଶତକ ହାସଲ କରିବା ସହ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ରେ ୪୦୦୦ ରନ ପୂରଣ କରିଛନ୍ତି। ବିଜୟର ନିକଟତର ହେବା ସମୟରେ ରୋହିତଙ୍କ ହାତରେ ବଲ୍ ବାଜିଥିଲା ଏବଂ ସେ ରିଟାୟର୍ଡ ହୋଇଥିଲେ। ସେ ୩୭ ବଲ୍ରୁ ୪ ଚୌକା ଓ ୩ ଛକା ସହ ୫୨ ରନ କରିଥିଲେ। ସୂର୍ଯ୍ୟକୁମାର ଯାଦବ ବଡ ସଟ୍ ଖେଳିବାକୁ ଯାଇ ୨ ରନ କରି ପାଭିଲିୟନ ଫେରିଥିଲେ। ଋଷଭ ପନ୍ତ ୨୬ ବଲ୍ରୁ ୩ ଚୌକା ଓ ୨ ଛକା ସହ ୩୬ ରନ କରି ଅପରାଜିତ ରହି ଦଳକୁ ୧୨.୨ ଓଭରରେ ଜିତାଇଛନ୍ତି।
ଆୟରଲାଣ୍ଡ ଇନିଂସ
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଆୟରଲାଣ୍ଡ ଆରମ୍ଭରୁ ନିୟମିତ ଓ୍ଵିକେଟ୍ ହରାଇ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଦଳର ଜଣେ ହେଲେ ବ୍ୟାଟର ଭାରତୀୟ ବୋଲରଙ୍କ ଉଚିତ୍ ମୁକାବିଲା କରି ପାରି ନ ଥିଲେ। ଦୁଇ ଓପନର ଆଣ୍ଡ୍ର୍ୟୁ ବଲବର୍ଣ୍ଣିଏ(୫) ଓ ପଲ୍ ଷ୍ଟିୟର୍ଲିଂ(୨) ଆଉଟ୍ ହୋଇଥିଲେ। ମଧ୍ୟକ୍ରମରେ ଲୋରକାନ ଟକର(୧୦), ହାରି ଟେକ୍ଟର(୪), କର୍ଟିସ କ୍ୟାମ୍ପର(୧୨) ବିଫଳ ହୋଇଥିଲେ। ତେବେ ଗେରେଥ ଡେଲାନି ୧୪ ବଲ୍ରୁ ଦ୍ରୁତ ବ୍ୟାଟିଂ କରି ଅପରାଜିତ ୨୬ ରନ କରି ଅପରାଜିତ ଅଛନ୍ତି। ତାଙ୍କର ଏହି ବ୍ୟାଟିଂ ଯୋଗୁଁ ଆୟରଲାଣ୍ଡ ୯୬ ରନର ସମ୍ମାନଜନକ ସ୍କୋର କରି ପାରିଛି। ଜୋସୁଆ ଲିଟିଲ୍ ୧୪ ରନ କରିଛନ୍ତି। ଶେଷରେ ଆୟରଲାଣ୍ଡ ୧୬ ଓଭରରେ ୯୬ ରନରେ ଅଲଆଉଟ୍ ହୋଇଛି।
ବୋଲିଂରେ ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ୪ ଓଭରରେ ୨୭ ରନ ଦେଇ ୩ ସଫଳତା ହାସଲ କରିଛନ୍ତି। ଯଶପ୍ରୀତ ବୁମରା ୩ ଓଭରରେ ୬ରନ ଦେଇ ୨ଟି ଏବଂ ଅର୍ଶଦୀପ ସିଂ ୩୫ ରନ ଦେଇ ୨ଟି ଓ୍ଵିକେଟ୍ ଅକ୍ତିକାର କରିଛନ୍ତି।