ବିରାଟ କୋହଲିଙ୍କ ପରେ ରୋହିତ ଶର୍ମା ହେବେ ଟି-୨୦ ଅଧିନାୟକ ! ନଜର ପକାନ୍ତୁ ହିଟ୍‌ମ୍ୟାନ୍‌ଙ୍କ ରେକର୍ଡ ଉପରେ…

Published By : Prameya-News7 Bureau | September 16, 2021 IST

ନୂଆଦିଲ୍ଲୀ ୧୬/୦୯ : ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ ପରେ ଟି-୨୦ ଫର୍ମାଟ୍‌ର ଅଧିନାୟକ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି । ୨୦୧୭ ମସିହାରୁ ଅଧିନାୟକ ଦାୟିତ୍ବ ସମ୍ଭାଳୁଥିବା କୋହଲି ଇସ୍ତଫା ଦେବା ନେଇ ଘୋଷଣା କରିବା ପରେ ଏବେ କିଏ ଦଳର ମଙ୍ଗ ଧରିବ ସେ ନେଇ ଆରମ୍ଭ ହୋଇଯାଇଛି କଳ୍ପନାଜଳ୍ପନା ।

ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ ପରେ ରୋହିତ ଶର୍ମା ଭାରତୀୟ ଦଳର ଅଧିନାୟକ ଭାର ସମ୍ଭାଳିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ୩୪ ବର୍ଷୀୟ ରୋହିତ ପୂର୍ବରୁ ମଧ୍ୟ ଟି-୨୦ ଏବଂ ଦିନିକିଆରେ ଭାରତୀୟ ଦଳର ଅଧିନାୟକ ପଦରେ ରହିସାରିଛନ୍ତି । ଏହା ସହିତ ରୋହିତ ଶର୍ମା ଆଇପିଏଲ ଫ୍ରାଞ୍ଚାଇଜ୍ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ମଧ୍ୟ ରହିଛନ୍ତି । ତାଙ୍କ ନେତୃତ୍ବରେ ପାଞ୍ଚ ପାଞ୍ଚଥର IPL ଚାମ୍ପିୟନ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ ।

ରୋହିତ ଶର୍ମା ବର୍ତ୍ତମାନ ସୁଦ୍ଧା ୧୯ଟି ଟ୍ବେଣ୍ଟି ଟ୍ବେଣ୍ଟି ମ୍ୟାଚ୍‌ରେ ଭାରତର ଅଧିନାୟକ ରହିଛନ୍ତି । ଯେଉଁଥିରେ ଭାରତ ୧୫ଟିରେ ଜିତିଥିବା ବେଳେ ମାତ୍ର ୪ଟିରେ ପରାଜିତ ହୋଇଛି । ରୋହିତ ଅଧିନାୟକତ୍ବରେ ଭାରତର ବିଜୟ ହାର ରହିଛି ୭୮.୯୪ ପ୍ରତିଶତ । ସେହିଭଳି ଦିନିକିଆ ମ୍ୟାଚରେ ସଫଳତାର ସହ ଅଧିନାୟକ ଦାୟିତ୍ବ ତୁଲାଇସାରିଛନ୍ତି ରୋହିତ । ସେ ଦିନିକିଆରେ ମୋଟ ୧୦ଟି ମ୍ୟାଚରେ ଅଧିନୟେକ ଭାର ନେଇଥିବା ବେଳେ ୮ଟିରେ ଦଳକୁ ବିଜୟୀ କରାଇଛନ୍ତି ଏବଂ ମାତ୍ର ୨ଟିରେ ଦଳ ପରାଜିତ ହୋଇଛି । ଅଧିନାୟକ ଭାବେ ଦିନିକିଆରେ ରୋହିତଙ୍କ  ଓ୍ବିନିଂ ରେଟ୍‌ ୮୦ ପ୍ରତିଶତ ।

ପୂର୍ବରୁ ରୋହିତ ଶର୍ମାଙ୍କ ନେତୃତ୍ବରେ ୨୦୧୮ ମସିହାରେ ନିଦାହାସ୍ ଟ୍ରଫି ଜିତିଥିବା ଭାରତ । ଏହି ଟୁର୍ଣ୍ଣାମେଣ୍ଟ ଶ୍ରୀଲଙ୍ଗାରେ ଆୟୋଜିତ ହୋଇଥିଲା ଏବଂ ଏଥିରେ ବାଂଲାଦେଶ ମଧ୍ୟ ଭାଗ ନେଇଥିଲା । ସେହିଭଳି ୨୦୧୮ରେ ଏସିଆ କପ୍‌ରେ ମଧ୍ୟ ଟିମ୍‌ ଇଣ୍ଡିଆର ଅଧିନାୟକ ଭାର ରୋହିତ ଶର୍ମାଙ୍କ ହାତରେ ଥିଲା ।

ଆଇପିଏଲ କଥା କହିବାକୁ ଗଲେ, ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ରୋହିତ ଶର୍ମା ମୋଟ ୧୨୩ଟି ମ୍ୟାଚ୍‌ରେ ଅଧିନାୟକତ୍ବ କରିଛନ୍ତି । ଯେଉଁଥିରେ ୭୨ଟିରେ ଦଳ ବିଜୟୀ ହୋଇଥିବା ବେଳେ ୪୭ଟିରେ ପରାଜିତ ହୋଇଛି ଏବଂ ୪ଟି ମ୍ୟାଚ୍‌ ଟାଏ ହୋଇଛି । ତାଙ୍କ ନେତୃତ୍ବ​‌ରେ ଏମ୍‌ଆଇ ୨୦୧୩, ୨୦୧୫, ୨୦୧୭, ୨୦୧୯ ଏବଂ ୨୦୨୦ରେ ଆଇପିଏଲ୍‌ ମୂକୁଟ ପିନ୍ଧିସାରିଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.