ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ଦ୍ଵିତୀୟ ଟେଷ୍ଟରେ ନିୟମିତ ଅଧିନାୟକ ରୋହିତ ଶର୍ମା ଖେଳିବେ କି ନାହିଁ। ଏହାର ବଡ ସୂଚନା ଦେଇଛନ୍ତି କାମଚଳା ଅଧିନାୟକ କେଏଲ ରାହୁଲ। ରାହୁଲ ରବିବାର କହିଛନ୍ତି, ବାଂଲାଦେଶ ବିପକ୍ଷରେ ଡିସେମ୍ବର ୨୨ରେ ମୀରପୁରରେ ଆରମ୍ଭ ହେଉଥିବା ଦ୍ଵିତୀୟ ଟେଷ୍ଟରେ ରୋହିତ ଖେଳିବେ କି ନାହିଁ ତାହା ଆଗାମୀ ଦିନେ କି ଦୁଇ ଦିନରେ ଜଣା ପଡିବ। ଭାରତ ପ୍ରଥମ ଟେଷ୍ଟକୁ ୧୮୮ ରନରେ ଜିତି ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ରେ ୧-୦ରେ ଅଗ୍ରଣୀ ହାସଲ କରିଛି।
ଦିନିକିଆ ଶୃଙ୍ଖଳାରେ ଆଙ୍ଗୁଠିରେ ଆଘାତ ଲାଗିବା କାରଣରୁ ରୋହିତ ଶର୍ମା ପ୍ରଥମ ଟେଷ୍ଟରୁ ବାଦ୍ ପଡିଥିଲେ। ଏହି କାରଣରୁ କେଏଲ ରାହୁଲଙ୍କୁ ପ୍ରଥମ ଟେଷ୍ଟରେ ଅଧିନାୟକତ୍ଵ କରିବାକୁ ପଡିଥିଲା। ଦ୍ଵିତୀୟ ଟେଷ୍ଟ ପୂର୍ବରୁ ରୋହିତଙ୍କ ଖେଳିବା ନେଇ କେଏଲ ରାହୁଲଙ୍କୁ ସାମ୍ବାଦିକ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ରାହୁଲ କହିଛନ୍ତି, ରୋହିତ ଶର୍ମାଙ୍କ ଫିଟନେସ୍କୁ ନେଇ ଦଳ ପ୍ରବନ୍ଧକ ଆଗାମୀ ଦୁଇ କିମ୍ବା ତିନି ଦିନରେ କିଛି କହି ପାରିବେ। ବର୍ତ୍ତମାନ ତାଙ୍କ ଫିଟନେସ୍କୁ ନେଇ ମୋ ନିକଟରେ କୌଣସି ସୂଚନା ନାହିଁ। ଡିସେମ୍ବର ୨୨ରେ ଢାକାରେ ଦ୍ଵିତୀୟ ଟେଷ୍ଟ ଖେଳାଯିବ।
ପ୍ରଥମ ମ୍ୟାଚ୍ରେ ଅଧିନାୟକ ଦାୟିତ୍ଵ ସମ୍ଭାଳିଥିବା ରାହୁଲ ଦଳର ପ୍ରଦର୍ଶନକୁ ଖୁବ୍ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ପ୍ରତ୍ୟେକ ଖେଳାଳି ନିଜ ନିଜର ଭୂମିକା ଭଲ ଭାବେ ନିର୍ବାହ କରିଛନ୍ତି। କେବଳ ବ୍ୟାଟିଂରେ ନୁହେଁ ଦଳ ଫିଲ୍ଡିଂରେ ବି ଦମଦାର ପ୍ରଦର୍ଶନ କରିଛି।