MI ପ୍ରଶଂସକଙ୍କ ପାଇଁ ଖବର, ସବୁ ମ୍ୟାଚ୍ ଖେଳି ନପାରନ୍ତି ରୋହିତ୍, ସୂର୍ଯ୍ୟକୁମାରଙ୍କୁ ମିଳିପାରେ କ୍ୟାପ୍ଟେନ୍ସି

Published By : Prameya-News7 Bureau | March 29, 2023 IST

ନୂଆଦିଲ୍ଲୀ: ଆସନ୍ତା ମାର୍ଚ୍ଚ ୩୧ରୁ ଆଇପିଏଲର ୧୬ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ସବୁ ଟିମ୍ ଏବଂ ଖେଳାଳି ପ୍ରସ୍ତୁତି କରୁଛନ୍ତି । ଏହାରି ଭିତରେ ରୋହିତ ଶର୍ମାଙ୍କୁ ନେଇ ଏକ ଖବର ସାମନାକୁ ଆସିଛି । ଆଇପିଏଲର ଆସନ୍ତା ସଂସ୍କରଣରେ ରୋହିତ ଶର୍ମା କିଛି ନିର୍ଦ୍ଦିଷ୍ଟ ମ୍ୟାଚ୍ ଖେଳି ପାରନ୍ତି । ତେବେ ନିଜ ୱାର୍କଲୋଡ୍ କମ କରିବା ପାଇଁ ରୋହିତ୍ କିଛି ମ୍ୟାଚରେ ବିଶ୍ରାମ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ ଭାରତୀୟ ଟିମ ଆଗରେ ଅନେକ ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ରହିଛି । ଏଥିରେ ଅଷ୍ଟ୍ରେଲିଆ ବିପକ୍ଷରେ ଆଇସିସି ୱାର୍ଲଡ ଟେଷ୍ଟ ଚାମ୍ପିୟନଶିପ, ଅକ୍ଟୋବର-ନଭେମ୍ୱରରେ ଆଇସିସି କ୍ରିକେଟ୍ ବିଶ୍ୱକପ ସାମିଲ ରହିଛି । ରିପୋର୍ଟ ଅନୁସାରେ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଟିମର ଷ୍ଟାର୍ ବ୍ୟାଟର ସୂର୍ଯ୍ୟକୁମାର ଯାଦବଙ୍କୁ ମୁମ୍ୱାଇ ଇଣ୍ଡିଆନ୍ସର ଅଧିନାୟକ ଦାୟିତ୍ୱ ମିଳିପାରେ ।

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ପରେ ରୋହିତ୍ ଶର୍ମା ନିଜ ବୟାନରେ ଆଇପିଏଲ ସମୟରେ ବିଶ୍ରାମର ଗୁରୁତ୍ୱ ଜୋର ଦେଇଥିଲେ । ସେ କହିଥିଲେ ଯେ ଆଇପିଏଲ ମ୍ୟାଚ୍ ସମୟରେ ବିଶ୍ରାମ ନେବା ଫଳରେ ଫ୍ରେସ୍ ଅନୁଭବ ହୋଇଥାଏ । ତେବେ ଚଳିତ ବର୍ଷ ଭାରତୀୟ ଅଧିନାୟକ ଏହା କରି ଅନ୍ୟଙ୍କ ପାଇଁ ଉଦାହରଣ ପାଲଟିବେ ବୋଲି ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟରେ କୁହାଯାଇଛି । ମୁମ୍ୱାଇ ଇଣ୍ଡିଆନର ଅଧିନାୟକ ଚଳିତ ବର୍ଷ ସବୁ ମ୍ୟାଚ୍ ନ ଖେଳିଳେ ମଧ୍ୟ ଟିମ୍ ସହ ଯୋଡି ହୋଇ ରହିବେ ଏବଂ ସୂର୍ଯ୍ୟକୁମାର ସହଯୋଗ କରିବେ ।

ଉଲ୍ଲେଖଯୋଗ୍ୟ ଯେ ବର୍ତ୍ତମାନ ସମୟରେ ଭାରତୀୟ ଟିମର ଦୁଇ ଷ୍ଟାର ଖେଳାଳି ଶ୍ରେୟସ୍ ଆୟର ଏବଂ ଜଶପ୍ରୀତ ବୁମରାହ ଆହତ ଯୋଗୁଁ ଦଳରୁ ବାହାରେ ରହିଛନ୍ତି । ବର୍ତ୍ତମାନ ସମୟରେ ଟିମ ଇଣ୍ଡିଆ ଅନ୍ୟ କୌଣସି ଖେଳାଳିଙ୍କ ଆହତ ଭାରି ପଡ଼ିପାରେ । ପୂର୍ବରୁ ଅନେକ ଥର ଆହତ ଯୋଗୁଁ ଟିମରୁ ବାଦ ପଡ଼ୁଥିବା ରୋହିତ ଚଳିତ ବର୍ଷ ଏହି ବିପଦ ଉଠାଇବାକୁ ଚାହିଁବେ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.