ମ୍ୟାଚ୍ ମଝିରେ ହସ୍ପିଟାଲ୍ ଗଲେ ରୋହିତ ଶର୍ମା, ଓପନିଂ କରିବାକୁ ଓହ୍ଲାଇଲେ ନାହିଁ ଭାରତୀୟ ଅଧିନାୟକ
7/12/2022 at 4:19 PM

ଢାକା: ଭାରତୀୟ ଅଧିନାୟକ ରୋହିତ ଶର୍ମା ବୁଧବାର ବାଂଲାଦେଶ ବିପକ୍ଷରେ ଖେଳାଯାଉଥିବା ଦ୍ଵିତୀୟ ଦିନିକିଆରେ ଆହତ ହୋଇଛନ୍ତି। କ୍ୟାଚ୍ ଧରିବାକୁ ଉଦ୍ୟମ କରୁଥିବା ସମୟରେ ତାଙ୍କ ବାମ ଆଙ୍ଗୁଠିରେ ଆଘାତ ଲାଗିଛି। ଏହା ପରେ ସ୍କାନ ପାଇଁ ତାଙ୍କୁ ହସ୍ପିଟାଲ୍ ନିଆଯାଇଛି। ଦ୍ଵିତୀୟ ସ୍ଲିପରେ ଫିଲ୍ଡିଂ କରୁଥିବା ରୋହିତ ମହମ୍ମଦ ସିରାଜଙ୍କ ଇନିଂସର ଦ୍ଵିତୀୟ ଓଭରର ଚତୁର୍ଥ ବଲରେ ଅନାମୁଲ ହକଙ୍କ କ୍ୟାଚ୍ ଛାଡିଥିଲେ। ଏହି ସମୟରେ ବଲ୍ ବାଜିବାରୁ ତାଙ୍କ ବାମ ହାତରୁ ରକ୍ତ ବାହାରିଥିଲା।
ଭାରତୀୟ କ୍ରିକେଟ୍ ବୋର୍ଡ(ବିସିସିଆଇ) ଟ୍ଵିଟ୍ କରି ସୂଚନା ଦେଇଛି ଯେ, ଦ୍ଵିତୀୟ ଦିନିକିଆରେ ଫିଲ୍ଡିଂ ସମୟରେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ଆଙ୍ଗୁଠିରେ ଆଘାତ ଲାଗିଛି। ବିସିସିଆଇର ମେଡିକାଲ ତାଙ୍କ ଆଘାତର ଆକଳନ କରୁଛନ୍ତି। ସ୍କାନ ପାଇଁ ରୋହିତଙ୍କ ହସ୍ପିଟାଲ୍ ନିଆଯାଇଛି।
Update: India Captain Rohit Sharma suffered a blow to his thumb while fielding in the 2nd ODI. The BCCI Medical Team assessed him. He has now gone for scans. pic.twitter.com/LHysrbDiKw
— BCCI (@BCCI) December 7, 2022
ଆଘାତ ଲାଗିବା ପରେ ରୋହିତ ଶର୍ମା ଓପନିଂରେ ବ୍ୟାଟିଂ କରିବାକୁ ଓହ୍ଲାଇ ନାହାନ୍ତି। ତାଙ୍କ ସ୍ଥାନରେ ବିରାଟ କୋହଲି ଶିଖର ଧାଓ୍ଵନଙ୍କ ସହ ମଇଦାନକୁ ଓହ୍ଲାଇଛନ୍ତି। ଭାରତର ବୋଲିଂ ସମୟରେ ଆଘାତ ଲାଗିବା ପରେ ରୋହିତ ତୁରନ୍ତ ପଡିଆ ଛାଡିଥିଲେ। ତାଙ୍କ ସ୍ଥାନରେ ରଜତ ପାଟିଦାର ଫିଲ୍ଡିଂ କରିବାକୁ ଓହ୍ଲାଇଥିଲେ।
ପ୍ରଥମ ଏକଦିବସୀୟ ମ୍ୟାଚ୍ ଜିତି ବାଂଲାଦେଶ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ହାସଲ କରିଛି। ଯଦି ରୋହିତ ଶର୍ମାଙ୍କ ଆହତ ଗମ୍ଭୀର ଥାଏ ଦଳ ପାଇଁ ଏହା ବଡ ଝଟକା ହୋଇପାରେ। କାରଣ ଏବେ ଆହୁରି ଗୋଟିଏ ଦିନିକିଆ ବାକି ରହିଛି। ଏହା ପରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଖେଳାଯିବ। ରୋହିତ ଶର୍ମା ଟେଷ୍ଟ ଦଳ ନେତୃତ୍ଵ ମଧ୍ୟ ନେବେ। ସୂଚନାଯୋଗ୍ୟ, ଟି-୨୦ ବିଶ୍ଵ କପ୍ ୨୦୨୨ ପରେ ରୋହିତ ଶର୍ମା ବିରତ ନେଇ ପଡିଆକୁ ଫେରିଛନ୍ତି। ସେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ ଖେଳିନଥିଲେ।