ବାବର ଆଜମଙ୍କ ବିଶ୍ଵ ରେକର୍ଡ ଧ୍ଵସ୍ତ କଲେ ରୋହିତ ଶର୍ମା, ରଚିଲେ ଇତିହାସ

Published By : Prameya-News7 Bureau | November 06, 2022 IST

ମେଲବର୍ଣ୍ଣ: ଜିମ୍ବାଓ୍ଵେ ବିପକ୍ଷରେ ଭାରତର ଧମାକାଦାର ବିଜୟ ସହିତ ଭାରତୀୟ ଅଧିନାୟକ ରୋହିତ ଶର୍ମା ଇତିହାସ ରଚିଛନ୍ତି। ରୋହିତ ଶର୍ମା ବାବର ଆଜମଙ୍କ ବିଶ୍ଵ ରେକର୍ଡ ଧ୍ଵସ୍ତ କରି ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଜିତିବାର ଅଧିନାୟକ ଉପଲବ୍ଧି ହାସଲ କରିଛନ୍ତି। ଜିମ୍ବାଓ୍ଵେ ବିପକ୍ଷରେ ରୋହିତ ଶର୍ମାଙ୍କ ଏହି ବିଜୟ କ୍ରିକେଟ୍‌ର ସବୁଠୁ ଛୋଟ ଫର୍ମାଟ୍‌ରେ ୨୧ତମ ବିଜୟ ଥିଲା। ଗତ ବର୍ଷ ବାବର ଆଜମ ଟି-୨୦ ଅନ୍ତର୍ଜାତୀୟରେ ଅଧିନାୟକ ଭାବେ ୨୦ଟି ମ୍ୟାଚ୍‌ରେ ବିଜୟ ହାସଲ କରିଥିଲେ।

ବାବର ଆଜମଙ୍କ ନେତୃତ୍ଵରେ ପାକିସ୍ତାନ ୨୦୨୧ରେ ରେକର୍ଡ ୨୦ ଅନ୍ତର୍ଜାତୀୟ ମ୍ୟାଚ୍  ଜିତିଥିଲା। ମାତ୍ର ଏବେ ଏହି ରେକର୍ଡ ଭାରତୀୟ ଅଧିନାୟକ ରୋହିତ ଶର୍ମା ଭାଙ୍ଗିଛନ୍ତି। ଟି-୨୦ ବିଶ୍ଵ କପ୍‌ରେ ଚାରୋଟି ମ୍ୟାଚ୍ ଜିତିବା ପରେ ରୋହିତ ଶର୍ମାଙ୍କ ନାମରେ ମୋଟ୍ ୨୧ ମ୍ୟାଚ୍  ଜିତିବାର ରେକର୍ଡ ହୋଇ ଯାଇଛି।ରୋହିତ ଏବଂ ବାବରଙ୍କ ବ୍ୟତୀତ ଏହି ତାଲିକାରେ ତୃତୀୟରେ ଅଛନ୍ତି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ। ଧୋନୀଙ୍କ ନେତୃତ୍ଵରେ ଭାରତ ୨୦୧୬ରେ ୧୫ଟି ମ୍ୟାଚ୍ ଜିତିଥିଲା।

ଟି-୨୦ ବିଶ୍ଵ କପ୍‌ରେ ଭାରତ ପ୍ରଥମ ମ୍ୟାଚ୍‌ରେ ଚିର ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନକୁ ହରାଇଥିଲା। ଏହାପରେ ନେଦରଲାଣ୍ଡକୁ ମାତ୍ ଦେଇଥିଲା। ଦୁଇଟି ମୁକାବିଲା ଜିତିବା ପରେ ତୃତୀୟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ହାତରୁ ପରାଜିତ ହୋଇଥିଲେ ହେଁ ଭାରତ ବାଂଲାଦେଶକୁ ହରାଇ ପୁଣି ଥରେ  ଜୋରଦାର ପ୍ରତ୍ୟାବର୍ତ୍ତନ କରିଥିଲା। ତିନି ବିଜୟ ସହିତ ରୋହିତ ବାବର ଆଜମଙ୍କ ରେକର୍ଡର ସମକକ୍ଷ ହୋଇଥିଲେ। ହେଲେ ଜିମ୍ବାଓ୍ଵେ ବିପକ୍ଷ ବିଜୟ ସହିତ ଏହି ରେକର୍ଡ ରୋହିତ ନିଜ ନାମରେ କରିବାରେ ସଫଳ ହୋଇଛନ୍ତି। ରୋହିତ ଏବେ ଏହି ରେକର୍ଡକୁ ଆହୁରି ବଢାଇବାକୁ ଚାହିଁବେ।

ନଭେମ୍ବର ୧୦ରେ ଭାରତ ଟି-୨୦ ବିଶ୍ଵ କପ୍‌ର ଦ୍ଵିତୀୟ ସେମି ଫାଇନାଲ୍‌ରେ ଇଂଲଣ୍ଡକୁ ଭେଟିବ। ଯଦି ଭାରତ ଏହି ମ୍ୟାଚ୍ ଜିତେ ତେବେ ଫାଇନାଲ୍‌ରେ ପ୍ରବେଶ କରିବ। ତେଣୁ ରୋହିତ ଶର୍ମାଙ୍କ ନିକଟରେ ବିଜୟ ରେକର୍ଡକୁ ଆଗକୁ ବଢାଇବାର ସୁଯୋଗ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.