ସଚିନ-କୋହଲିଙ୍କ କ୍ଲବରେ ସାମିଲ୍ ହେଲେ ରୋହିତ ଶର୍ମା, ଷଷ୍ଠ ଭାରତୀୟ ଭାବେ ହାସଲ କଲେ ଉପଲବ୍ଧି
12/09/2023 at 5:17 PM

ନୂଆଦିଲ୍ଲୀ: ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଏସିଆ କପ୍ ୨୦୨୩ରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ମୁକାବିଲାରେ ଏକ ଖାସ୍ ଉପଲବ୍ଧି ହାସଲ କରିଛନ୍ତି। ରୋହିତ ଶର୍ମା ଦିନିକିଆ କ୍ରିକେଟ୍ରେ ୧୦ ହଜାର ରନ ପୂରଣ କରିଛନ୍ତି। ଏହି ଉପଲବ୍ଧି ହାସଲ କରିବାରେ ସେ ଷଷ୍ଠ ଭାରତୀୟ ବ୍ୟାଟର। ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ଼, ମହେନ୍ଦ୍ର ସିଂହ ଧୋନୀ ଓ ବିରାଟ କୋହଲି ଏହି ସଫଳତା ହାସଲ କରି ସାରିଛନ୍ତି।
ରୋହିତ ଶର୍ମା ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇବା ପୂର୍ବରୁ ତାଙ୍କୁ ୧୦ ହଜାର ରନ ପୂରଣ ପାଇଁ ୨୨ ରନ ଦରକାର ଥିଲା। ରୋହିତ ୨୪୧ ଇନିଂସରେ ୧୦ ହଜାର ରନ ପୂରଣ କରିଛନ୍ତି। ରୋହିତ ଆଜି ମ୍ୟାଚ୍ରେ ୫୩ ରନ କରିଛନ୍ତି। ଏଥିସହିତ ସେ ୨୪୧ ଇନିଂସରୁ ୪୮.୯୩ ହାରରେ ୯୦.୨୮ ଷ୍ଟ୍ରାଇକ୍ ରେଟ୍ରେ ୧୦ ହଜାର ୩୧ ରନ କରିଛନ୍ତି। ଏଥିରେ ୩୦ ଶତକ ଓ ୫୦ ଅର୍ଦ୍ଧଶତକ ସାମିଲ୍।
ଅଧିକ ପଢନ୍ତୁ- ରୋହିତ ଶର୍ମାଙ୍କୁ କଡ଼ା ସମାଲୋଚନା, ବରିଷ୍ଠ ଖେଳାଳି କହିଲେ- ମୁଁ ଯଦି ଅଧିନାୟକ ହୋଇଥାନ୍ତି ଅଶ୍ୱିନୀ…
ଉଲ୍ଲେଖନୀୟ ଏସିଆ କପ୍ରେ ଭାରତର ପାକିସ୍ତାନ ବିପକ୍ଷ ଦ୍ଵିତୀୟ ମୁକାବିଲାରେ ରୋହିତ ଦମଦାର ଅର୍ଦ୍ଧଶତକ ହାସଲ କରିଥିଲେ। ଏଥିସହିତ ସେ ଦିନିକିଆରେ ୫୦ତମ ଅର୍ଦ୍ଧଶତକ ପୂରଣ କରିଥିଲେ। ଏବେ ସେ ଆଉ ଏକ ଉପଲବ୍ଧି ହାସଲ କରିଛନ୍ତି।
ଦ୍ରୁତତମ ୧୦ ହଜାର
ଏହା ବ୍ୟତୀତ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟରେ ୧୦ ହଜାର ରନ ପୂରଣ କରିବାରେ ଦ୍ଵିତୀୟ ଦ୍ରୁତତମ ବ୍ୟାଟର। ଦ୍ରୁତତମ ୧୦ ହଜାର ରନ ପୂରଣ କରିବାରେ ଶୀର୍ଷରେ ଅଛନ୍ତି ବିରାଟ କୋହଲି। କୋହଲି ୨୦୫ ଇନିଂସରେ ୧୦ ହଜାର ରନ ପୂରଣ କରିଥିଲେ। ଏଥିରେ ତୃତୀୟରେ ଅଛନ୍ତି ସଚିନ ତେନ୍ଦୁଲକର। ସେ ୨୫୯ ଇନିଂସରେ ଏହି କୀର୍ତ୍ତିମାନ ସ୍ଥାପନ କରିଥିଲେ।