ବିଶାଖାପାଟଣା ଟେଷ୍ଟରେ ରନ୍ ବର୍ଷା ସହ ରୋହିତ ଶର୍ମାଙ୍କ ରେକର୍ଡ ବର୍ଷା, ଜାଣନ୍ତୁ କେଉଁ କେଉଁ କ୍ଷେତ୍ରରେ ହେଲେ ୧ ନମ୍ବର

Published By : Prameya-News7 Bureau | October 05, 2019 IST

ବିଶାଖାପାଟଣା ୫| ୧୦: ବିଶାଖାପାଟଣା ଟେଷ୍ଟରେ ରନ୍‌ ବର୍ଷା ସହ ରୋହିତ ଶର୍ମାଙ୍କ ରେକର୍ଡ ବର୍ଷା । ଜଣେ ଓପନ୍‌ର ଭାବେ ପ୍ରଥମ ଟେଷ୍ଟ ଇନିଂସ୍‌ ଆରମ୍ଭ କରିଥିବା ରୋହିତ ଶର୍ମା ଦୁଇଟି ଶତକ ମାରି ରେକର୍ଡ କରିଛନ୍ତି । ରୋହିତ ପ୍ରଥମ ଇନିଂସ୍‌ରେ ୧୭୬ ରନ୍ କରିଥିବା ବେଳେ ଦ୍ବିତୀୟ ଇନିଂସ୍‌ରେ ୧୨୭ ରନ୍‌ କରିଛନ୍ତି । ଏଥିସହ ଗୋଟିଏ ଟେଷ୍ଟ ମ୍ୟାଚ୍‌ରେ ୧୩ ଟି ଛକା ମାରି ବିଶ୍ବ ରେକର୍ଡର ଅଧିକାରୀ ହୋଇଛନ୍ତି । କେବଳ ସେତିକି ନୁହେଁ କ୍ରିକେଟ୍‌ର ୩ ଟି ଯାକ ଫର୍ମାଟ୍‌ରେ ଗୋଟିଏ ଲେଖାଏଁ ମ୍ୟାଚ୍‌ରେ ସର୍ବାଧିକ ଛକା ମାରିବାରେ ବିଶ୍ବର ଏକମାତ୍ର ଖେଳାଳି ହୋଇଛନ୍ତି  ରୋହିତ ଶର୍ମା । ଏହି ଟେଷ୍ଟ ମ୍ୟାଚ୍‌ ପୂର୍ବରୁ ଟେଷ୍ଟ ସ୍କାର୍ଡରେ ସ୍ଥାନ ପାଇବାକୁ ସଂଘର୍ଷ କରୁଥିଲେ ରୋହିତ । ଏବେ ଦୁଇଟି ସେଞ୍ଚୁରୀ ମାରି ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଛନ୍ତି ।…..

{"id":166667}

ହିଟ୍‌ ମ୍ୟାନ୍‌ ରୋହିତ ଏବେ ରେକର୍ଡମ୍ୟାନ୍‌ । ବିଶାଖପାଟଣା ଟେଷ୍ଟରେ ଦେଖିବାକୁ ମିଳିଛି ରୋହିତ ରାଜ । ଦ୍ବିତୀୟ ଇନିଂସରେ ବି ସେଞ୍ଚୁରୀ ମାରି ରୋହିତ ଶର୍ମା ହୋଇଛନ୍ତି ଅନେକ ରେକର୍ଡର ଅଧିକାରୀ । ଓପନିଂ ବ୍ୟାଟସମ୍ୟାନ୍ ଭାବେ ପ୍ରଥମ ମ୍ୟାଚ୍‌ରେ ଦୁଇଟି ଯାକ ଇନିଂସ୍‌ରେ ଶତକ ମାରିଛନ୍ତି ରୋହିତ ଶର୍ମା । ଅନ୍ୟପକ୍ଷରେ ରୋହିତ ଦ୍ବିତୀୟ ଭାରତୀୟ ଓପନର ଭାବେ କୌଣସି ଏକ ଟେଷ୍ଟ ମ୍ୟାଚ୍‌ର ଦୁଇଟି ଯାକ ଇନିଂସ୍‌ରେ ଶତକ ହାସଲ କରିଛନ୍ତି।

{"id":166668}

୧୯୭୮-୭୯ରେ ସୁନିଲ ଗାଭାସ୍କର ଏକ ଟେଷ୍ଟ ମ୍ୟାଚ୍‌ରେ ଓପନିଂ କରି ଦୁଇଟି ଯାକ ଇନିଂସ୍‌ରେ ଶତକ ହାସଲ କରିଥିଲେ। ସେହିପରି ୬ଷ୍ଠ ଭାରତୀୟ ଭାବେ ରୋହିତ କୌଣସି ଏକ ଟେଷ୍ଟର ଦୁଇଟି ଯାକ ଇନିଂସରେ ଶତକ କରିଛନ୍ତି। ଟେଷ୍ଟ କ୍ରିକେଟକୁ ଟିମ୍‌ ଇଣ୍ଡିଆକୁ ନୂଆ ଅବତାରରେ ଫେରିଥିବା ରୋହିତ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ମ୍ୟାଚରେ କରିଛନ୍ତି ଏକାଧିକ ରେକର୍ଡ ।

{"id":166669}

ରୋହିତ ବିଶ୍ବର ଏକମାତ୍ର ବ୍ୟାଟସମ୍ୟାନ୍ ଯିଏକି ଟେଷ୍ଟ କ୍ରିକେଟ୍‌ରେ ଗୋଟିଏ ମ୍ୟାଚ୍‌ରେ ସର୍ବାଧିକ ୧୩ ଟି ଛକା ମାରିଛନ୍ତି । ୧୨୭ ରନ୍‌ କରି ମହାରାଜାଙ୍କ ବଲ୍‌ରେ ଆଉଟ୍ ହେବା ପୂର୍ବରୁ ରୋହିତ ଶର୍ମା ଦ୍ବିତୀୟ ଇନିଂସ୍‌ରେ ୭ଟି ଛକା ମାରିଥିଲେ । ରୋହିତ ପ୍ରଥମ ଇନିଂସ୍‌ରେ ୬ଟି ଛକା ମାରିଥିଲେ । ଏହି ରେକର୍ଡ ୱାସିମ୍‌ ଆକ୍ରମଙ୍କ ନାଁରେ ଥିଲା । ଏଥିସହ ରୋହିତ ୩ ଟି ଯାକ ଫର୍ମାଟରେ ଗୋଟିଏ ମ୍ୟାଚ୍‌ରେ ସର୍ବାଧିକ ଛକା ମାରିବାରେ ବିଶ୍ବର ପ୍ରଥମ ବ୍ୟାଟସମ୍ୟାନ୍‌ ହୋଇଛନ୍ତି ।

{"id":166670}

୨୦୧୩ ବେଙ୍ଗାଲୁରୁରେ ଖେଳାଯାଉଥିବା ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆର ଗୋଟିଏ ମ୍ୟାଚ୍‌ରେ ରୋହିତ ୧୬ଟି ଛକା ମାରିଛନ୍ତି । ସେହିପରି ୨୦୧୭ରେ ଶ୍ରୀଲଙ୍କା ବିପକ୍ଷ ଟି-୨୦ରେ ସେ ସର୍ବାଧିକ ୧୦ଟି ଛକା ମାରି ରେକର୍ଡ କରିଥିଲେ । ରୋହିତ ଦ୍ବିତୀୟ ଇନିଂସ୍‌ରେ ଦକ୍ଷିଣ ଆଫ୍ରିକା ବୋଲର ଡେନ୍‌ ପିଟ୍‌ଙ୍କୁ ଛକା ମାରି ରୋହିତ ନବଜ୍ୟୋତ ସିଂ ସିଦ୍ଧୁଙ୍କ ରେକର୍ଡ ବି ଭାଙ୍ଗିଥିଲେ । ଗୋଟିଏ ମ୍ୟାଚ୍‌ରେ ୮ରୁ ଅଧିକ ଛକା ମାରିବାରେ ସେ ଭାରତର ପ୍ରଥମ ବ୍ୟାଟସ୍‌ମ୍ୟାନ୍‌ ହୋଇଯାଇଥିଲେ ।

{"id":166671}

 ପୂର୍ବରୁ ଗୋଟିଏ ଟେଷ୍ଟରେ ସିଦ୍ଧୁ ୧୯୯୪ ମସିହାରେ ୮ଟି ଛକା ମାରି ରେକର୍ଡ ବୁକରେ ସାମିଲ ହୋଇଥିଲେ । ଦ୍ବିତୀୟ ଇନିଂସ୍‌ରେ ଅର୍ଦ୍ଧଶତକ ହାସଲ କରି ଟିମ୍‌ ଇଣ୍ଡିଆର ପୂର୍ବତନ ବ୍ୟାଟସମ୍ୟାନ ରାହୁଲ ଡ୍ରାଭିଡ୍‌ଙ୍କ ରେକର୍ଡ ମଧ୍ୟ ଭାଙ୍ଗି ଦେଇଥିଲେ ରୋହିତ। ଟେଷ୍ଟ କ୍ୟାରିୟରରେ ଏହା ରୋହିତଙ୍କ ୧୨ ତମ ଅର୍ଦ୍ଧଶତକ। ଘରୋଇ ମାଟିରେ ଖେଳା ଯାଉଥିବା ଟେଷ୍ଟ ମ୍ୟାଚ୍‌ରେ କ୍ରମାଗତ ଭାବେ ରାହୁଲ ଡ୍ରାଭିଡ୍‌ ୬ଥର ୫୦ରୁ ଅଧିକ ସ୍କୋର କରିଥିଲେ।  

{"id":166672}

ଭାରତର ପ୍ରଥମ ଇନିଂସ୍‌ରେ ୭ ୱିକେଟ୍‌ ହରାଇ ୫୦୨ ରନ୍ କରି ପାଳି ଘୋଷଣା କରିଥିଲା । ଯେଉଁଥିରେ ରୋହିତ ଶର୍ମା ୧୭୬ ରନ୍‌ର ଜବରଦସ୍ତ ଇନିଂସ ଖେଳିଥିବା ବେଳେ ମୟଙ୍କ ଅଗ୍ରୱାଲ୍‌ ୨୧୫ ରନ୍‌ କରିଥିଲେ । ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ୍‌ରେ ଡିକକ୍‌ଙ୍କ ୧୧୧ ଓ ୟଲଗରଙ୍କ ୧୬୦ ରନ୍‌ ସହାୟତାରେ ୪୩୧ ରନ୍ କରି ଅଲଆଉଟ୍ ହୋଇଥିଲା । ପ୍ରଥମ ଇନିଂସ୍‌ରେ ଭାରତ ପକ୍ଷରୁ ଅଶ୍ବିନୀ ସର୍ବାଧିକ ୭ଟି ୱିକେଟ୍‌ ନେଇଥିବା ବେଳେ ଜାଡେଜା ୨ ଓ ଇଶାନ୍ତ ଶର୍ମା ଗୋଟିଏ ୱିକେଟ୍‌ ନେଇଥିଲେ ।ଭାରତ ଦ୍ବିତୀୟ ଇନିଂସ୍‌ରେ ୩ ୱିକେଟ୍‌ ୨୫୫ କରି ପାଳି ଘୋଷଣା କରିଛି । ଦକ୍ଷିଣ ଆଫ୍ରିକା ଆଗରେ ୩୯୫ ରନ୍‌ରେ ଟାର୍ଗେଟ୍‌ ରହିଛି । ଆଉ ଗୋଟିଏ ଦିନର ଖେଳ ବାକି ଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.