ଟି-୨୦ ଫର୍ମାଟ୍‌ରେ ଆଉ ଦେଖିବାକୁ ମିଳିବେନି ରୋହିତ ଏବଂ କୋହଲି ! ହାର୍ଦ୍ଦିକ ହୋଇ ପାରନ୍ତି ନିୟମିତ ଅଧିନାୟକ

Published By : Prameya-News7 Bureau | January 09, 2023 IST

ନୂଆଦିଲ୍ଲୀ: ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ପ୍ରଶଂସକଙ୍କ ପାଇଁ ଏହି ଖବର ନିରାଶଜନକ ହୋଇପାରେ। ଟି-୨୦ ଫର୍ମାଟ୍‌ରେ ଆଉ ଦେଖିବାକୁ ମିଳିବ ନାହିଁ ରୋହିତ ଏବଂ ବିରାଟଙ୍କ ଚୌକା-ଛକା। ଏକ ଦଶନ୍ଧିରୁ ଅଧିକ ସମୟ ଧରି  ଭାରତୀୟ ଦଳର ବ୍ୟାଟିଂର ସ୍ତମ୍ଭ ରହିଥିବା ଏହି ଦୁଇ ବ୍ୟାଟସମ୍ୟାନ ଟି-୨୦ ଫର୍ମାଟ୍‌ ପାଇଁ ଚୟନ କମିଟିଙ୍କ ନଜରରେ ଫିଟ୍ ନଥିବା ଜଣା ପଡିଛି। ଚୟନ କମିଟି ଖୁବ୍ ଶୀଘ୍ର ଏହି ବିଷୟରେ ଦୁଇ ଖେଳାଳିଙ୍କ ସହ ଆଲୋଚନା କରିବେ।

ବିସିସିଆଇ ମତରେ ଆସନ୍ତା ବର୍ଷ ଓ୍ଵେଷ୍ଟଇଣ୍ଡିଜ ଏବଂ ଆମେରିକାରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ଵ କପ୍‌ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ଵରେ ଯୁବ ଦଳକୁ ପ୍ରସ୍ତୁତ କରାଯାଉ। ଏନଡିଟିଭିର ଏକ ରିପୋର୍ଟ ଅନୁଯାୟୀ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଖୁବ୍ ଶୀଘ୍ର ଏହି ଫର୍ମାଟ୍‌ର ନିୟମିତ ଅଧିନାୟକ କରାଯିବ।

ଅନ୍ୟପଟେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ତାରକା ଯୋଡି ଏ ପର୍ଯ୍ୟନ୍ତ ଟି-୨୦ ଫର୍ମାଟ୍‌ରୁ ଅବସର ନେବାର କୌଣସି ଯୋଜନା କରି ନାହାନ୍ତି। ଦୁହେଁ ଏହି ଛୋଟ ଫର୍ମାଟ୍‌ ପାଇଁ ନିଜକୁ ଉପଲବ୍ଧ ରଖିଛନ୍ତି। ତେବେ ନୂତନ ଚୟନ କମିଟି ଖୁବ୍ ଶୀଘ୍ର ଏହି ଦୁଇ ଖେଳାଳିଙ୍କ ସହ ଏ ସଂପର୍କରେ ଆଲୋଚନା ପାଇଁ ଯୋଜନା କରିଛି।

ଅନ୍ୟପକ୍ଷେ ରୋହିତ ଶର୍ମାଙ୍କୁ ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରଶ୍ନ ପଚରାଯାଇଥିଲା। ଉତ୍ତରରେ ହିଟ୍‌ମ୍ୟାନ୍ କହିଛନ୍ତି, ବର୍ତ୍ତମାନ କୌଣସି ଫର୍ମାଟ୍‌ରୁ ଅବସର ନେବାର ତାଙ୍କର କୌଣସି ଯୋଜନା ନାହିଁ। ସେ ଭାରତୀୟ ଦଳ ପାଇଁ ସବୁ ଫର୍ମାଟ୍‌ରେ ଖେଳିବାକୁ ଚାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.