ବିରାଟଙ୍କ ପରେ ଏବେ ସୋସାଲ ମିଡିଆରେ ଅନୁଷ୍କାଙ୍କୁ ଅନଫଲୋ କଲେ ରୋହିତ ଶର୍ମା, ମିଳୁଛି ବିବାଦର ସୂଚନା
25/07/2019 at 10:28 PM

ଆରମ୍ଭ ହେବାକୁ ଯାଉଛି ଟିମ୍ ଇଣ୍ଡିଆର ୱେଷ୍ଟଇଣ୍ଡିଜ୍ ଟୁର। ତେବେ ଗସ୍ତ ଆରମ୍ଭ ହେବା ପୂର୍ବରୁ ଦୁଇ ଖେଳାଳିଙ୍କ ମଧ୍ୟରେ ବିବାଦ ଏବେ ପାଲଟିଛି ଚିନ୍ତାର କାରଣ। ଗତ ଆଇସିସି ୱାର୍ଲଡ କପ୍ ସେମିଫାଇନାଲରେ ଇଣ୍ଡିଆର ପରାୟଜକୁ ନେଇ କ୍ୟାପ୍ଟେନ ବିରାଟ କୋହଲୀ ଏବଂ ଓପ୍ନର ରୋହିତ ଶର୍ମାଙ୍କ ମଧ୍ୟରେ ମତଭେଦ ହୋଇଥିବା ଶୁଣା ଯାଉଥିଲା। ତେବେ ସିଓଏ ବରାବର ଖବରକୁ ଖଣ୍ଡନ କରୁଥିଲେ। ହେଲେ ସୋସାଲ ମିଡିଆରୁ ଏବେ ବିବାଦ ପଦାରେ ପଡି ହାଟରେ ଗଡଗଡଉଛି। ରୋହିତ ପ୍ରଥମେ ଇଂଷ୍ଟା ପେଜରୁ କ୍ୟାପ୍ଟେନ ବିରାଟଙ୍କୁ ଅନଫଲୋ କରିଦେଇଥିବା ବେଳେ ଏବେ ଅନୁଷ୍କାଙ୍କୁ ଅନଫଲୋ କରିଛନ୍ତି।

ସେପଟେ ବିରାଟ କିନ୍ତୁ ତାଙ୍କ ସୋସାଲ ମିଡିଆ ପେଜରୁ ରୋହିତ ଓ ତାଙ୍କ ପତ୍ନୀ ଋତିକା ସଚଦେବଙ୍କୁ ଏବେ ବି ଫଲୋ କରୁଛନ୍ତି। ଏହାଛଡା ବିରାଟ କି ରୋହିତ କେହି ଖୋଲାଖୋଲି କିଛି ମତ କି ମନ୍ତବ୍ୟ ଦେଉନାହାନ୍ତି। ଏଣୁ ଉଭୟଙ୍କ ବିବାଦକୁ ନେଇ ସ୍ପଷ୍ଟ ହୋଇ ପାରୁନାହାନ୍ତି ସେମାନଙ୍କ ଫ୍ୟାନ୍। ହେଲେ ସିଓଏ ଏବେବି କହୁଛନ୍ତି ଏହା କେବଳ ଏକ ଗୁଜବ।

ତେବେ ଏକ ପ୍ରମୁଖ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ବିରାଟ ଓ ରୋହିତଙ୍କ ମଧ୍ୟରେ ବିବାଦ ନୂଆ କଥା ନୁହେଁ । ଏଥିପାଇଁ ଶିଖର ଧାୱନ ଓ ରୋହିତ ଶର୍ମା ଅନେକ ପୂର୍ବରୁ ବିରାଟଙ୍କ ମ୍ୟାନେଜମେଣ୍ଟ କମ୍ପାନୀ ଛାଡି ସାରିଛନ୍ତି। ଟିମର ବୋଲିଂ କୋଚ ଭରତ ଅଋଣ ବି ସେମାନଙ୍କ ବିବାଦ କଥାକୁ ଅସ୍ୱୀକାର କରିଥିଲେ। କିନ୍ତୁ ୱାର୍ଲଡକପ୍ ସେମିରେ ହାରିବା ପରେ ରୋହିତ ପତ୍ନୀ ଓ ପିଲାଙ୍କୁ ଧରି ଆଗୁଆ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବା କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଥିବା ସନ୍ଦେହକୁ ଦୃଢ କରିଛି। ହେଲେ ଏବେ ୱେଷ୍ଟଇଣ୍ଡିଜ ଟୁର ଆରମ୍ଭ ହେବା ପରେ ଜଣାପଡିବ କିପରି ଅଛି ଓପ୍ନର ଓ କ୍ୟାପ୍ଟେନଙ୍କ ସମ୍ପର୍କ ।