IPL ନ ଜିତିଲେ କ’ଣ ହେଲା…ଏବେ ରୋହିତଙ୍କ ପାଖରେ WTC Final ଜିତି ଇତିହାସ ରଚିବାର ରହିଛି ସୁଯୋଗ
31/05/2023 at 9:49 PM

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍(IPL)ର ୧୬ତମ ସଂସ୍କରଣ ସମାପ୍ତ ପରେ କ୍ରିକେଟ୍ ପ୍ରଶଂସକଙ୍କ ନଜର ଆଇସିସି ବିଶ୍ଵ ଟେଷ୍ଟ ଚାମ୍ପିଅନସିପ୍(WTC)ର ଫାଇନାଲ୍ ମୁକାବିଲା ଉପରେ ରହିଛି। ଡବ୍ଲ୍ୟୁଟିସିର ଫାଇନାଲ୍ ମୁକାବିଲା ଜୁନ ୭ରେ ଲଣ୍ଡନର ଓଭାଲ ମଇଦାନରେ ଖେଳାଯିବ। ଭାରତୀୟ ଦଳ ଟେଷ୍ଟ ମାନ୍ୟତାରେ ଶୀର୍ଷରେ ଥିବା ବେଳେ ଅଷ୍ଟ୍ରେଲିଆ ଦ୍ଵିତୀୟ ସ୍ଥାନରେ ରହିଛି। ତେଣୁ ଦୁଇ ଦଳ ମଧ୍ୟରେ ସଂଘର୍ଷପୂର୍ଣ୍ଣ ମୁକାବିଲା ହେବାର ଆଶା କରାଯାଉଛି।
ଫାଇନାଲ୍ ମ୍ୟାଚ୍ ପାଇଁ ବିରାଟ କୋହଲି ସମେତ ଟିମ୍ ଇଣ୍ଡିଆର ଅନେକ ଖେଳାଳି ଅଭ୍ୟାସ୍ ଆରମ୍ଭ କରି ଦେଲେଣି। ଅଧିନାୟକ ରୋହିତ ଶର୍ମା ମେ ୩୦ ତାରିଖରେ ଦଳ ସହ ଯୋଗ ଦେଇ ସାରିଛନ୍ତି। ଏମିତିରେ ରୋହିତ ଶର୍ମାଙ୍କ ପାଇଁ ଫାଇନାଲ୍ ମୁକାବିଲା ଖାସ୍ ହେବାକୁ ଯାଉଛି। ରୋହିତ ନିଜ ଅଧିନାୟକତ୍ଵରେ ଚଳିତ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସକୁ ଆଇପିଏଲ୍ ଟ୍ରଫି ଜିତାଇ ପାରିନଥିଲେ ବି ଏବେ ତାଙ୍କ ନିକଟରେ ଡବ୍ଲ୍ୟୁଟିସି ଫାଇନାଲ୍ରେ ଇତିହାସ ରଚିବାର ସୁଯୋଗ ରହିଛି।

ରୋହିତ ଶର୍ମା ଫାଇନାଲ୍ ମୁକାବିଲା ଯଦି ଜିତି ଯାଆନ୍ତି ତେବେ ବିଶ୍ଵ ଟେଷ୍ଟ ଚାମ୍ପିଅନସିପ୍ର ଟାଇଟଲ୍ ଜିତିବାରେ ପ୍ରଥମ ଭାରତୀୟ ଅଧିନାୟକ ହେବାର ଉପଲବ୍ଧି ହାସଲ କରିବେ। ଏଥିସହ ସେ ସେହି ବଛା ବଛା ଅଧିନାୟକଙ୍କ ତାଲିକାରେ ସାମିଲ୍ ହୋଇଯିବେ ଯିଏ ଭାରତୀୟ ଦଳକୁ ନିଜ ନେତୃତ୍ଵରେ ଆଇସିସି ଟ୍ରଫି ଜିତାଇଛନ୍ତି। ଷ୍ଟାର ବ୍ୟାଟର ବିରାଟ କୋହଲି ନିଜର ଅଧିନାୟକତ୍ଵରେ ଭାରତକୁ କୌଣସି ଆଇସିସି ଟ୍ରଫି ଜିତାଇ ପାରିନଥିଲେ। ଅର୍ଥାତ ରୋହିତଙ୍କ ନିକଟରେ ଅଧିନାୟକ ଭାବେ ଆଇସିସି ଟ୍ରଫି ଜିତି ବିରାଟ କୋହଲିଙ୍କୁ ପଛରେ ପକାଇବାର ସୁଯୋଗ ରହିଛି।
ଏ ଖବର ପଢନ୍ତୁ- WTC final : ଅଷ୍ଟ୍ରେଲିଆକୁ ଚେକ୍ ଦେବାକୁ ରବି ଶାସ୍ତ୍ରୀଙ୍କ ଫର୍ମୁଲା, କହିଲେ-ଏହି ଖେଳାଳି ହିଁ ଟ୍ରମ୍ପ କାର୍ଡ
ଫାଇନାଲ୍ ମୁକାବିଲା ପୂର୍ବରୁ ରୋହିତ ଶର୍ମାଙ୍କ ଫର୍ମ ଭାରତୀୟ ଦଳର ଚିନ୍ତାକୁ ବଢାଇପାରେ। ରୋହିତ ଆଇପିଏଲ୍ ୨୦୨୩ରେ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି। ସେ ୨୦.୭୫ ହାରରେ ମାତ୍ର ୩୩୨ ରନ କରିଥିଲେ। ବର୍ତ୍ତମାନ ରୋହିତ ନିଜର ବିଫଳତାକୁ ଭୁଲି ଦମଦାର ପ୍ରଦର୍ଶନ କରିବାକୁ ଚାହିଁବେ। ରୋହିତଙ୍କ ବିପରୀତ ଶୁଭମନ ଗିଲ୍, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, ମହମ୍ମଦ ଶାମି, ରବୀନ୍ଦ୍ର ଜାଡ଼େଜା ଏବଂ ମହମ୍ମଦ ସିରାଜଙ୍କ ପରି ଖେଳାଳି ଆଇପିଏଲ୍ ୨୦୨୩ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଏହା ବ୍ୟତୀତ ଟେଷ୍ଟ ବିଶେଷଜ୍ଞ ଚେତେଶ୍ଵର ପୂଜାରା ମଧ୍ୟ ନିକଟ ଦିନରେ କାଉଣ୍ଟ୍ରି କ୍ରିକେଟ୍ରେ ଖୁବ୍ ରନ କରିଛନ୍ତି। ସେ ଇଂଲଣ୍ଡର ପରିବେଶ ସହ ସଂପୂର୍ଣ୍ଣ ଭାବେ ଖାପ ଖୁଆଇ ସାରିଛନ୍ତି।

ଶେଷ ହେବ ଦୀର୍ଘ ବର୍ଷର ଅପେକ୍ଷା
ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲ୍ ମ୍ୟାଚ୍ ଜିତିଲେ ଭାରତୀୟ କ୍ରିକେଟ୍ ଦଳର ଆଇସିସି ଟ୍ରଫି ଜିତିବାର ଦୀର୍ଘ ସମୟ ଅପେକ୍ଷାର ଅନ୍ତ ଘଟିବ। କାରଣ ୧୦ ବର୍ଷ ହେବ ଭାରତୀୟ ଦଳ କୌଣସି ଆଇସିସି ଟ୍ରଫି ଜିତିନାହିଁ। ଶେଷ ଥର ୨୦୧୩ରେ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ଵରେ ଭାରତୀୟ ଦଳ ଆଇସିସି ଚମ୍ପିଆନ ଟ୍ରଫି ଜିତିଥିଲା। ଏହା ପରଠୁ ଭାରତୀୟ ଦଳ ଅନେକ ଥର ସେମି ଫାଇନାଲ୍ କିମ୍ବା ଫାଇନାଲ୍ରେ ପହଞ୍ଚିଥିଲେ ହେଁ ଟାଇଟଲ୍ ଜିତି ପାରିନାହିଁ।
ଏ ଖବର ପଢନ୍ତୁ- WTC ଫାଇନାଲ ପ୍ରସ୍ତୁତି; ଇଂଲଣ୍ଡରେ କୋହଲିଙ୍କ ଜୋରଦାର ପ୍ରସ୍ତୁତି, ସାମ୍ନାକୁ ଆସିଲା ଫଟୋ
ଭାରତୀୟ ଦଳ
ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍, ଚେତେଶ୍ଵର ପୂଜାରା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, ଇଶାନ କିଷନ(ଓ୍ଵିକେଟ୍ କିପର), କେଏସ ଭରତ(ଓ୍ଵିକେଟ୍ କିପର), ରବିଚନ୍ଦ୍ରନ ଅଶ୍ଵିନ, ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ୍, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମେଶ ଯାଦବ, ଜୟଦେବ ଉନାଦକତ।
ଷ୍ଟାଣ୍ଡବାଇ ଖେଳାଳି- ଯଶସ୍ଵୀ ଜୟସଓ୍ଵାଲ, ମୁକେଶ କୁମାର, ସୂର୍ଯ୍ୟକୁମାର ଯାଦବ