ରୋହିଙ୍ଗିଆ ଶରଣାର୍ଥୀ ବଡ଼ ବୋଝ, ସେମାନଙ୍କୁ ଫେରାଇ ଦେବାରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରେ: ବାଂଲାଦେଶ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | September 04, 2022 IST

ନୂଆଦିଲ୍ଲୀ: ରୋହିଙ୍ଗିଆ ଶରଣାର୍ଥୀ ବାଂଲାଦେଶ ଓ ଅନ୍ୟଦେଶମାନଙ୍କ ପାଇଁ ବଡ଼ ବୋଝ। ତେଣୁ ଅନ୍ତର୍ଜାତୀୟ ଦେଶଗୁଡ଼ିକ ସେମାନଙ୍କୁ ନିଜ ଦେଶକୁ ଫେରାଇ ଦେବାକୁ ଉଦ୍ୟମ କରିବା ଉଚିତ। ଏଏନ୍‌ଆଇକୁ ପ୍ରତିକ୍ରିୟା ଦେଇ ଏପରି କହିଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା।

ଲକ୍ଷ ଲକ୍ଷ ରୋହିଙ୍ଗିଆ ଶରଣାର୍ଥୀ ବାଂଲାଦେଶ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛନ୍ତି। ସେମାନଙ୍କ ସୁରକ୍ଷିତ ଭାବେ ଫେରାଇ ଦେବାରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରେ ବୋଲି ଶେଖ ହସିନା କହିଛନ୍ତି।

ଏନେଇ ସେ କହିଛନ୍ତି "ଆପଣ ଜାଣିଛନ୍ତି ଯେ ଏହା ଆମ ପାଇଁ ବଡ଼ ବୋଝ। ଭାରତ ଏକ ବଡ଼ ଦେଶ। ତେଣୁ ଭାରତ ସେମାନଙ୍କ ରହିବା ଖାଇବାର ବନ୍ଦୋବସ୍ତ କରିପାରିବେ। ହେଲେ ଭାରତରେ କମ୍ ରୋବିଙ୍ଗିଆ ଥିବା ବେଳେ ଆମ ପାଖରେ ୧.୧ ମିଲିୟନ ରୋହିଙ୍ଗିଆ ଆସିଛନ୍ତି। ତେଣୁ ଆମେ ଅନ୍ତର୍ଜାତୀୟ ସମୁଦାୟ ଓ ପଡ଼ୋଶୀ ରାଷ୍ଟ୍ରମାନଙ୍କ ସହିତ ଆଲୋଚନା କରୁଛୁ। ସେମାନେ କିଛି ପଦକ୍ଷେପ ନେଲେ ଯାଇ ରୋହିଙ୍ଗିଆ ସୁରକ୍ଷିତ ଭାବେ ତାଙ୍କ ଦେଶକୁ ଫେରି ପାରିବେ।"    

ତେବେ ମାନବିକତା ଦୃଷ୍ଟିରୁ ବାଂଲାଦେଶ ରୋହିଙ୍ଗିଆମାନଙ୍କର ଯତ୍ନ ନେବାର ପୂରା ଚେଷ୍ଟା କରୁଛି। ସେମାନଙ୍କୁ ରହିବା ଓ ଖାଇବା ପିଇବା ଯୋଗାଉଛୁ। କୋଭିଡ୍ ସମୟରେ ବି ଆମେ ରୋହିଙ୍ଗିଆକୁ ଟିକା ଦେଇଥିଲୁ। ହେଲେ କେତେ ସମୟ ପର୍ଯ୍ୟନ୍ତ ସେମାନେ ଏଠାରେ ରହିପାରିବେ? ଯେଉଁ କ୍ୟାମ୍ପରେ ସେମାନେ ରହୁଛନ୍ତି ସେଠାରେ ଆମର ପରିବେଶଜନିତ ସମସ୍ୟା ସୃଷ୍ଟି ହେଉଛି। ସେମାନଙ୍କ ମଧ୍ୟରୁ କିଛି ଲୋକ ନିଶା କାରବାର, ମହିଳା ଚାଲାଣ  ଭଳି ଅପରାଧିକ କାମରେ ଲିପ୍ତ ରହୁଛନ୍ତି। ଏହା ଦିନକୁ ଦିନ ବଢ଼ି ଚାଲିଛି।

ତେଣୁ ଯେତେଶୀଘ୍ର ସେମାନେ ଫେରିଯିବେ ଏହା ଆମ ପାଇଁ ଓ ମିଆମାର ପାଇଁ ଭଲ ହେବ ବୋଲି ହସିନା କହିଛନ୍ତି। ଏଥିପାଇଁ ବାଂଲାଦେଶ ମିଆଁମାର ସହ ଆଲୋଚନା କରୁଥିବା ଜାରି ରଖିଥିବା ବେଳେ ଏଏସ୍ଇଏଏନ୍‌ ଓ ଜାତିସଂଘ ଭଳି ଅନ୍ତର୍ଜାତୀୟ ବୋର୍ଡ ସହ ମଧ୍ୟ ଆଲୋଚନା କରୁଛି। କିନ୍ତୁ ଭାରତ ଆମର ପଡ଼ୋଶୀ ରାଷ୍ଟ୍ର। ତେଣୁ ଏ କ୍ଷେତ୍ରରେ ସେ ବଡ଼ ଭୂମିକା ନିର୍ବାହ କରିବ ବୋଲି ଆମେ ଆଶା କରୁଛି ବୋଲି ଶେଖ୍ ହସିନା କହିଛନ୍ତି।

ତିସ୍ତା ନଦୀର ଜଳ ବଣ୍ଟନ ନେଇ ଭାରତ ଉଦାରତା ଦେଖାଇବା ଉଚିତ୍

ସେହିଭଳି ଦୁଇ ଦେଶ ମଧ୍ୟରେ ତିସ୍ତା ନଦୀର ଜଳ ବଣ୍ଟନକୁ ନେଇ ଭାରତ ଅଧିକ ଉଦାରତା ଦେଖାଇବ ଉଚିତ ବୋଲି ଶେଖ ହସିନା କହିଛନ୍ତି। ତେଣୁ ଏହା ଦୁଃଖର କଥା। ତେବେ ବାଂଲାଦେଶ ତଳିଆ ଭାଗରେ ରହିଛି। ପାଣି ଭାରତରୁ ଆସୁଛି। ତେଣୁ ଭାରତ ଅଧିକ ଉଦାରତା ଦେଖାଇବା ଉଚିତ। କାରଣ ଏଥିରେ ଉଭୟ ଦେଶ ଲାଭବାନ ହେବେ। ବେଲେ ଜଳ ଆଭାବରୁ ବାଂଲାଦେଶ ଲୋକେ ଅନେକ ହଇରାଣ ହରକତ ହୁଅନ୍ତି। ବିଶେଷ କରି ତିସ୍ତା ଜଳାଭାବକୁ ନେଇ ଅଧିକ ସମସ୍ୟା ଭୋଗିବାକୁ ପଡ଼ୁଛି। ଆମ ଲୋକମାନେ ଭଲଭାବରେ ଚାଷ ବି କରିପାରୁ ନାହାନ୍ତି।

ମୁଁ ଭାବୁଛି ଏହି ସମସ୍ୟାର ଖୁବ୍‌ଶୀଘ୍ର ସମାଧାନ ହେବା ଉଚିତ୍ ବୋଲି ବାଂଲାଦେଶ ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ସମସ୍ୟା  ସୁଧାରିବାକୁ ଇଚ୍ଛୁକ ଅଛନ୍ତି। ହେଲେ ସମସ୍ୟା ଆପଣଙ୍କ ଦେଶରେ ରହିଛି। ତେଣୁ ଆଶା କରୁଛୁ ଏହା ସମାଧାନ ହେଇଯିବା ଉଚିତ୍। ଆମ ଦୁଇ ଦେଶ ମଧ୍ୟରେ କେବଳ ଗେଙ୍ଗେଶ ନଦୀର ବଣ୍ଟନ ନେଇ ଚୁକ୍ତି ରହିଥିବା ବେଳେ ଆଉ ୫୪ ନଦୀର ଜଳ ଚୁକ୍ତି କରିବାରେ ବାକି ରହିଯାଇଛି। ଏହା ତୁରନ୍ତ ସମାଧାନ ହେବା ଉଚିତ ବୋଲି ଶେଖ୍ ହସିନା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.