ବେପାରୀଙ୍କୁ ନିଶା ଦେଇ ସର୍ବସ୍ଵ ଲୁଟି ନେଲେ ଦୁର୍ବୃତ୍ତ
27/12/2022 at 10:51 PM

ଆନନ୍ଦପୁର: ପରିବା ବେପାରୀଙ୍କୁ ନିଶା ଦେଇ ସର୍ବସ୍ବ ଲୁଟି ନେଲେ ଦୁର୍ବୃତ୍ତ। ଅଚେତ ଅବସ୍ଥାରେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କଲେ ପରିବାର ଲୋକେ। ହେଲେ ଏ ଯାଏଁ ଫେରିନି ଚେତା। ଖବର ପାଇ ପୋଲିସ୍ ତନାଘନା ଆରମ୍ଭ କରିଛି।
ଆନନ୍ଦପୁର ଥାନା ଫକିରପୁର ଗାଁର ବୈଷ୍ଣବ ମାଝୀ ନାମକ ଜଣେ ପରିବା ବେପାରୀ ନନ୍ଦିପଦା ଥାନା ବସନ୍ତିଆ ହାଟକୁ ପରିବା ବେପାର କରିବାକୁ ଯାଇଥିଲେ। ସେଠାରେ କେହି ଦୁର୍ବୃତ୍ତ ତାଙ୍କୁ ବାଇକରେ ନେଇ ଯାଇ ନିଶା ଦେଇ ସର୍ବସ୍ବ ଲୁଟି ନେବା ପରେ ସିଲନ୍ଦି ଗାଁ ନିକଟ ରାସ୍ତା କଡ଼ରେ ପକାଇ ଦେଇ ପଳାଇଥିଲେ।
ସ୍ଥାନୀୟ ଲୋକେ ବୈଷ୍ଣବଙ୍କୁ ଅଚେତ ଅବସ୍ଥାରେ ଦେଖି ପରିବାରକୁ ଖବର ଦେଇଥିଲେ। ପରିବାର ଲୋକେ ତାଙ୍କୁ ସେଠାରୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମଧ୍ୟ ତାଙ୍କର ଚେତା ଫେରି ନାହିଁ। ଅନ୍ୟପକ୍ଷରେ ଖବର ପାଇ ପୋଲିସ୍ ତଦନ୍ତ ଆରମ୍ଭ କରିଛି।