ଆଫଗାନିସ୍ତାନରେ ଆମେରିକା ଏୟାରବେସ୍ ଉପରେ ଆକ୍ରମଣ, ଗୋଟିଏ କି ଦୁଇଟି ନୁହେଁ କରାଗଲା ୫ ରକେଟ୍ ମାଡ

Published By : Prameya-News7 Bureau | December 19, 2020 IST

ନୂଆଦିଲ୍ଲୀ ୧୯।୧୨: ଆଫଗାନିସ୍ତାନର ରାଜଧାନୀ କାବୁଲର ଉତ୍ତରରେ ସ୍ଥିତ ଆମେରିକାର ମୁଖ୍ୟ ଏୟାରବେସ୍‌କୁ ଟାର୍ଗେଟ୍ କରି ଶନିବାର ରକେଟ୍ ମାଡ କରାଯାଇଛି। ଆଜି ସକାଳ ପ୍ରାୟ ୬ଟାରେ ପରଓ୍ଵାନ ପ୍ରଦେଶର ବଗ୍ରାମ ଏୟାରଫିଲ୍ଡ ଉପରେ ୫ଟି ରକେଟ୍ ମାଡ ହୋଇଥିବା ନାଟୋ ଏବଂ ଆଫଗାନିସ୍ତାନ ପକ୍ଷରୁ କୁହାଯାଇଛି। କିନ୍ତୁ ଏହି ଆକ୍ରମଣରେ କୌଣସି ମୃତାହତ ହୋଇନଥିବା ଜଣା ପଡିଛି।

ଏକ ବାହାନରେ ୧୨ଟି ରକେଟ୍ ସଜ୍ଜିତ କରି ରଖାଯାଇଥିଲା। ସେଥିରୁ ୫ଟି ରକେଟ୍ ଏୟାରବେସ୍‌କୁ ଲକ୍ଷ୍ୟ କରି ଆକ୍ରମଣ କରାଯାଇଥିଲା। ବାକି ୭ଟି ରକେଟ୍‌କୁ ପୋଲିସ ନିଷ୍କ୍ରିୟ କରିଛି। ଆଜି ସକାଳେ ବଗ୍ରାମ ଏୟାରଫିଲ୍ଡ ଉପରେ ଏହି ରକେଟ୍ ଆକ୍ରମଣ କରାଯାଇଥିାଲ। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ ଏହି ଆକ୍ରମଣରେ କୌଣସି ମୃତାହତ କି ଏୟାର ଫିଲ୍ଡର କୌଣସି କ୍ଷୟକ୍ଷତି ଘଟିନାହିଁ  ବୋଲି ନାଟୋ ପକ୍ଷରୁ ପ୍ରକାଶ।

ଏହି ଆକ୍ରମଣ ପାଇଁ କୌଣସି ଗୋଷ୍ଠୀ ଏ ପର୍ଯ୍ୟନ୍ତ ନିଜକୁ ଦାୟୀ କରି ନାହାନ୍ତି। ଏଥିସହ ତାଲିବାନ ଏଥିରେ ସଂପୃକ୍ତି ନଥିବା ସ୍ପଷ୍ଟ କରିଛି। କିଛି ଦିନ ପୂର୍ବେ ଗଜନୀ  ପ୍ରଦେଶର ଏକ ଧାର୍ମିକ ସ୍ଥଳ ନିକଟରେ ଏକତ୍ର ଲୋକଙ୍କ ଗହଳିରେ ବିସ୍ଫୋରକରେ ଲଦା ହୋଇଥିବା ବାଇକ୍‌ ବିସ୍ଫୋରଣ ଘଟିଥିଲା। ଏଥିରେ ୧୫ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ଏହି ଆକ୍ରମଣ ପାଇଁ ଆଫଗାନ ସରକାର ତାଲିବାନକୁ ଦାୟୀ କରିଥିଲେ।

ନିକଟ ଦିନରେ ଆଇଏସ ଆତଙ୍କୀ ସଂଗଠନ କାବୁଲରେ ଅନେକ ଆତଙ୍କୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା। ଏଥିରେ କାବୁଲ ସହରର ଅନେକ ସ୍ଥାନରେ ଦୁଇଟି ରକେଟ୍ ମାଡ୍ ସାମିଲ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.