ପଇଡ଼ରେ ନିଶା ମିଶାଇ ଲୁଟୁଥିଲେ ଟ୍ରେନ୍ ଯାତ୍ରୀଙ୍କୁ, ଧରିଲା ଜିଆରଏଫ  

Published By : Prameya-News7 Bureau | December 21, 2022 IST

ପୁରୀ, ୨୧/୧୨: ଟ୍ରେନରେ ଲୁଟ୍ କରିବାର ଲୁଟେରାଙ୍କ ନୂଆ ଉପାୟ। ପଇଡ଼ ଭିତରେ ନିଶା ଦେଉଥିଲେ… ଆଉ ଏହି ପଇଡ଼ ପିଇଲା ପରେ ବେହୋସ୍ ହୋଇପଡ଼ୁଥିଲେ ଗ୍ରାହକ। ଏହାର ଫାଇଦା ନେଇ ଟ୍ରେନ ଯାତ୍ରୀଙ୍କ ଠାରୁ କରୁଥିଲେ ଲୁଟ୍। ଯାତ୍ରୀଙ୍କ ସୁନାଗହଣା ଠାରୁ ଆରମ୍ଭ କରି ଟଙ୍କା ଏବଂ ମୋବାଇଲ ଲୁଟୁଥିଲେ। ତେବେ ଏଭଳି ଏକ ଆନ୍ତଃରାଜ୍ୟ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ପୁରୀ ଆରପିଏଫ ଏବଂ ଜିଆରପି।

ଗ୍ୟାଙ୍ଗର ୪ଜଣ ଲୁଟେରାକୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ଠାରୁ ୩ଟି ସୁନା ଚେନ୍, ପାଞ୍ଚୋଟି ସୁନା ମୁଦି, ଗୋଟିଏ ମଙ୍ଗଳସୂତ୍ର, ୮ଟି ଦାମି ମୋବାଇଲ୍, ନଗଦ ୩୯୩୫୦ ଟଙ୍କା ସମେତ ନିଶା ବଟିକା ଓ କଇଞ୍ଚି ଜବତ କରିଛି ପୋଲିସ। ଏସବୁର ମୂଲ୍ୟ ପାଖାପାଖି ୫ ଲକ୍ଷ ଟଙ୍କା ହେବ ବୋଲି କହିଛି ଆରପିଏଫ। ଗିରଫ ଅଭିଯୁକ୍ତ ମାନେ ହେଲେ ଝାଡ଼ଖଣ୍ଡର ଧ୍ରୁଗୁଜ ମଣ୍ଡଳ, ଅଶୋକ ମଣ୍ଡଳ, ସୁଶୀଲ ମଣ୍ଡଳ ଓ ବିନୋଦ ପୋଦାର ।

ଏହି ୪ଲୁଟେରା ଏକ ଗ୍ୟାଙ୍ଗ କରି ବିଭିନ୍ନ ରାଜ୍ୟ ସମେତ ଝାଡ଼ଖଣ୍ଡ ଏବଂ ଓଡ଼ିଶାରୁ ବିଭିନ୍ନ ଯାତ୍ରୀଙ୍କ ଠାରୁ ଲୁଟ୍ କରୁଥିଲେ। ଗତ ନଭେମ୍ବର ୩୦ ରେ ପୁରୀ-ଗୁଣୁପୁର ଏକ୍ସପ୍ରେସରେ କେ ସୁବାସ ଚନ୍ଦ୍ର ଆଚାରୀ ପରିବାର ସଦସ୍ୟଙ୍କ ସହ ପୁରୀରୁ ବ୍ରହ୍ମପୁର ଯାଉଥିଲେ। ତେବେ ସାକ୍ଷୀଗୋପାଳ ଠାରେ ଅଭିଯୁକ୍ତମାନେ ଆଚାରୀ ପରିବାର ସହ ବନ୍ଧୁତା ସ୍ଥାପନ କରି ସେମାନଙ୍କୁ ପଇଡରେ ନିଶା ଦ୍ରବ୍ୟ ମିଶାଇ ପିଇବା ପାଇଁ ଦେଇଥିଲେ। ଏହି ପଇଡ ପିଇବାର‌ କିଛି ସମୟ‌ପରେ ଆଚାରୀ ପରିବାର ବେହୋସ୍ ହୋଇଯାଇଥିଲେ। ପରେ ଲୁଟେରା ମାନେ ସେମାନଙ୍କ ଠାରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଲୁଟି ନେଇଥିଲେ।

ଆଚାରୀ ପରିବାର ବେହୋସ୍ ଅବସ୍ଥାରେ ଥିବାବେଳେ ଆରପିଏଫ ଏବଂ ଜିଆରପି କର୍ମଚାରୀ ସେମାନଙ୍କୁ ବ୍ରହ୍ମପୁରରୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଥିଲେ।‌ ଏନେଇ ପୁରୀ ଜିଆରପି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଏହି ଲୁଟେରାଙ୍କୁ ଗିରଫ କରିବାରେ ଆରପିଏଫ ଓ ଜିଆରପି ସଫଳ ହୋଇଛନ୍ତି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆରପିଏଫ ଏସପି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.