ରୋଡ୍ ସେଫ୍ଟି ଓ୍ଵାର୍ଲ୍ଡ ସିରିଜ୍: ପୁଣି ଥରେ କ୍ରିଜରେ ଜମିବ ସଚିନ-ସେହ୍ଵାଗଙ୍କ ଯୋଡି ! ଆଜି ଭାରତ-ବାଂଲାଦେଶ ମୁକାବିଲା

Published By : Prameya-News7 Bureau | March 05, 2021 IST

ରାୟପୁର ୦୫।୦୩: ପୁଣି ଥରେ ପଡିଆରେ ଗୁଞ୍ଜି ଉଠିବ ସଚିନ... ସଚିନ... ସଚିନ... ସଚିନ...। ସେହ୍ଵାଗଙ୍କ ଚୌକାରେ ଉଛୁଳିବ ଷ୍ଟାଡିୟମ। ପୁଣି ଥରେ ପଡିଆରେ ପରସ୍ପର ମୁହାଁମୁହିଁ ହେବେ କିମ୍ବଦନ୍ତୀ କ୍ରିକେଟ୍‌ର। ରୋଡ୍ ସେଫ୍‌ଟି ଓ୍ଵାର୍ଲ୍ଡ ସିରିଜ୍‌ ୨୦୨୧ ଟୁର୍ଣ୍ଣାମେଣ୍ଟ କ୍ରିକେଟ୍ ପ୍ରେମୀଙ୍କ ପାଇଁ କୌଣସି ମହାକୁମ୍ଭଠୁ କମ ନୁହେଁ। ମାର୍ଚ୍ଚ ୫ରୁ ମାର୍ଚ୍ଚ ୨୧ ମଧ୍ୟରେ ୧୬ ଦିନ କ୍ରିକେଟ୍‌ପ୍ରେମୀଙ୍କ ପାଇଁ ଖାସ୍ ଦିନ ହେବାକୁ ଯାଉଛି। ଏହି ଟୁର୍ଣ୍ଣାମଣ୍ଟରେ ବିଶ୍ଵ କ୍ରିକେଟ୍‌ ଜଗତର ଅନେକ ପୂର୍ବତନ ଖେଳାଳିଙ୍କୁ ପୁଣି ଥରେ ପଡିଆରେ ଦେଖିବାକୁ ମିଳିବ।

ଏହି ଟୁର୍ଣ୍ଣାମେଣ୍ଟରେ ଛଅଟି ଦଳ ଅଂଶଗ୍ରହଣ କରୁଛନ୍ତି। ଉଦ୍‌ଘାଟନୀ ମ୍ୟାଚ୍‌ ଇଣ୍ଡିଆ ଲିଜେଣ୍ଡ୍ସ ଓ ବାଂଲାଦେଶ ଲିଜେଣ୍ଡ୍ସ ମଧ୍ୟରେ ଖେଳାଯିବ। ଏହି ମୁକାବିଲା ଆଜି ସନ୍ଧ୍ୟା ୬ଟା ୨୦ରେ ଛତିଶଗଡର ରାୟପୁର ସ୍ଥିତ ସହିଦ ବୀର ନାରାୟଣ ସିଂହ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଏହି ମ୍ୟାଚ୍‌ର ମୁଖ୍ୟ ଅତିଥି ଭାବେ ଯୋଗ ଦେବେ।

ଏହି ଷ୍ଟାଡିୟମରେ ଦର୍ଶକଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଷ୍ଟାଡିୟମର କ୍ଷମତା ୪୬ ହଜାର ଥିବା ବେଳେ ୨୩ ହଜାର ଦର୍ଶକଙ୍କୁ  ହିଁ ପ୍ରବେଶ ଅନୁମତି ମିଳିବ। ଇଣ୍ଡିଆ ଲିଜେଣ୍ଡ୍ସର ନେତୃତ୍ଵ ସଚିନ ତେନ୍ଦୁଲକର ନେଉଥିବା ବେଳେ ବାଂଲାଦେଶ ଲିଜେଣ୍ଡ୍ସର ଅଧିନାୟକ ଦାୟିତ୍ଵ ମହମ୍ମଦ ରଫିକ ସମ୍ଭାଳୁଛନ୍ତି। ଇଣ୍ଡିଆ ଲିଜେଣ୍ଡ୍ସ ଓ ବାଂଲାଦେଶ ଲିଜେଣ୍ଡ୍ସଙ୍କ ବ୍ୟତୀତ ଏହି ଟୁର୍ଣ୍ଣାମେଣ୍ଟରେ ଶ୍ରୀଲଙ୍କା ଲିଜେଣ୍ଡ୍ସ, ଦକ୍ଷିଣ ଆଫ୍ରିକା ଲିଜେଣ୍ଡ୍ସ, ଓ୍ଵେଷ୍ଟଇଣ୍ଡିଜ ଲିଜେଣ୍ଡ୍ସ ଓ ଇଂଲଣ୍ଡ ଲିଜେଣ୍ଡ୍ସ ଅଂଶ ଗ୍ରହଣ କରୁଛନ୍ତି।

ରୋଡ୍ ସେଫ୍‌ଟି ଓ୍ଵାର୍ଲ୍ଡ ସିରିଜ୍‌ର ପ୍ରାରମ୍ଭ ଗତ ବର୍ଷ ହୋଇଥିଲା। ତେବେ କୋଭିଡ୍-୧୯ ମହାମାରୀ କାରଣରୁ ଟୁର୍ଣ୍ଣାମେଣ୍ଟ ସ୍ଥଗିତ ରହିଥିଲା। ଏହାର କେବଳ ୪ଟି ମ୍ୟାଚ୍‌ ଖେଳାଯାଇଥିଲା। ଇଣ୍ଡିଆ ଲିଜେଣ୍ଡ୍ସ ଟୁର୍ଣ୍ଣାମେଣ୍ଟରେ ଦମଦାର ଆରମ୍ଭ କରିଥିଲା ଏବଂ କ୍ରମାଗତ ଦୁଇଟି ମ୍ୟାଚ୍ ଜିତିଥିଲା।

ଇଣ୍ଡିଆ ଲିଜେଣ୍ଡ୍ସ

ସଚିନ ତେନ୍ଦୁଲକର(ଅଧିନାୟକ),  ବୀରେନ୍ଦ୍ର ସେହ୍ଵାଗ, ଯୁବରାଜ ସିଂହ, ମହମ୍ମଦ କୈଫ, ୟୁସୁଫ ପଠାନ, ନମନ ଓଝା, ଜାହିର ଖାନ, ପ୍ରଜ୍ଞାନ ଓଝା, ନିଓଲ ଡେଭିଡ୍, ମୁନାଫ ପଟେଲ୍, ଇରଫାନ ପଠାନ, ମନପ୍ରୀତ ଗୋନି।

ବାଂଲାଦେଶ ଲିଜେଣ୍ଡ୍ସ

ମହମ୍ମଦ ରଫିକ(ଅଧିନାୟକ), ଖଲିଲ ମହମୁଦ, ମହମ୍ମଦ ରଫିକ, ମୁସଫିକର ରେହମାନ, ଏ ଏନ ଏମ ମାମୁନ ଉର ରଶିଦ, ନଫିସ ଇକବାଲ, ଅବଦୁର ରଜାକ, ଖାଲିଦ ମସୁଦ, ହନ୍ନାନ ସରକାର, ଜାଭେଦ ଉମର, ରାଜିନ ସାଲେହ, ମେହତାବ ହୁସେନ, ଅଫତାବ ଅହମ୍ମଦ, ଆଲମଗିର କବିର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.