ବର୍ଷାରେ ରାସ୍ତା ଅବସ୍ଥା ଶୋଚନୀୟ : ସମୁଦ୍ର କୂଳରେ ବସିବା ଭଳି ପ୍ରତିବାଦ କଲେ ଗ୍ରାମବାସୀ

Published By : Prameya-News7 Bureau | July 04, 2022 IST

ନୂଆଦିଲ୍ଲୀ ୦୪/୦୭: ଅଜବ ପ୍ରତିବାଦ । ରାସ୍ତା ଘରାପ ଥିଲା । ପାଣି ଜମି ପୋଖରୀର ଭ୍ରମ ସୃଷ୍ଟି କରୁଥିଲା । ଏହାକୁ ସମୁଦ୍ର କୂଳ ଭଳି କରି ପ୍ରତିବାଦ ଜଣାଇଛନ୍ତି ସ୍ଥାନୀୟ ବାସିନ୍ଦା । ଏପରି ଘଟଣା ସାମ୍ନାକୁ ଆସିଛି ମଧ୍ୟପ୍ରଦେଶରେ ଅନୁପୁର ଓ ବିଜୁରୀ ମନେନ୍ଦ୍ରଗଡ଼କୁ ଯୋଗାଯୋଗ କରୁଥିବା ରାସ୍ତାରେ ।

ରାସ୍ତାର ବେହାଲ ଅବସ୍ଥାକୁ ନେଇ ପ୍ରତିବାଦ କରିଛନ୍ତି ସ୍ଥାନୀୟ ଲୋକେ। ଖାଲଖମାରେ ପରିପୂର୍ଣ୍ଣ ଏହି ରାସ୍ତା ଏକ ପ୍ରକାର ମରଣଯନ୍ତା ପାଲଟିଛି। ବଡ଼ ବଡ଼ ଗାତ ହେବା ଦ୍ବାରା ରାସ୍ତାରେ ବର୍ଷା ପାଣି ଜମି ହୋଇ ରହିଛି। ଏହାର ମରାମତି ଦାବୀ କରି ରାସ୍ତାରେ ଜମା ହୋଇଥିବା ପାଣି ଉପରେ ବସି ପ୍ରତିବାଦ କରିଛନ୍ତି ଗ୍ରାମବାସୀ।

ଗ୍ରାମବାସୀଙ୍କ କହିବାନୁସାରେ, ଘରକୁ ଘର ଯିବାକୁ ହେଲେ ବି ଏହି ପାଣି କାଦୁଅ ରାସ୍ତାରେ ଲୋକମାନଙ୍କୁ ଯିବାକୁ ପଡ଼ୁଛି। ତେଣୁ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିବା ପାଇଁ ଏକ ଭିନ୍ନ ଧରଣର ପ୍ରତିବାଦ କରିଛନ୍ତି । ସେମାନେ ରାସ୍ତାରେ ଜମା ହୋଇଥିବା ପାଣି ଉପରେ ଓ ତା ଚାରିପଟେ ଚେୟାର ପକାଇ, ଫୁଲ ଗଛ ଲଗାଇ ବସିଛନ୍ତି। କେବଳ ଏତିକି ନୁହେଁ ବରଂ କିଛି ଖାଉଥିବା ଓ ପିଉଥିବା ମଧ୍ୟ ଦେଖିବାକୁ ମିଳିଛି ।

ତେବେ ରାସ୍ତାର ଏଭଳି ଦୟନୀୟ ଅବସ୍ତାକୁ ନେଇ ବାରମ୍ବାର ସରକାରୀ ଅଧିକାରୀ ଏବଂ ଜନ ପ୍ରତିନିଧି ମାନଙ୍କ ପାଖରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ବି ପଦକ୍ଷେପ ନିଆଯାଇନଥିଲା। ଗ୍ରାମବାସୀ ଆହୁରି ମଧ୍ୟ କହିଛନ୍ତି ଯେ, ପଡ଼ିଶା ଘରକୁ ଯିବାକୁ ହେଲେ ବି ଏହି ପାଣି କାଦୁଅଭରା ରାସ୍ତାରେ ଯିବାକୁ ପଡ଼ୁଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ରାସ୍ତାଟି ରେଳ ଷ୍ଟେସନ୍‌ ଦେଇ ଯାଇଥିବାରୁ, ବଡ଼ ବଡ଼ କୋଇଲା ବୋଝେଇ ଗାଡ଼ି ଏହି ରାସ୍ତାରେ ଷ୍ଟସନକୁ ଯାତାୟତ କରୁଛନ୍ତି, ଫଳରେ ରାସ୍ତାରେ ବଡ଼ ବଡ଼ ଗାତ ସୃଷ୍ଟି ହେଉଛି ଏବଂ ବର୍ଷାଦିନ ଆସିଲେ ଏହି ଗାତ ଗୁଡ଼ିକ ଜଳମୟ ହୋଇଯାଉଛି। ତେବେ ଏହି ରାସ୍ତାର ତୁରନ୍ତ ମରାମତି ଦାବି କରି ଲୋକେ ଧାରଣା ଦେଇଥିବା ବେଳେ ବଡ଼ ଗାଡ଼ି ଯେପରି ଏପଟେ ନଯିବ ସେନଇ ଅଧିକାରୀମାନେ ବିଶେଷ ଧ୍ୟାନ ଦେବା ଆବଶ୍ୟକ ବୋଲି ଗ୍ରାମବାସୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.