ଦୋଳ ବିମାନକୁ ଧକ୍କା ଦେଲା ପିକ୍ଅପ୍ ଭ୍ୟାନ୍ : ଜଣେ ମୃତ, ୪ ଆହତ
12/03/2023 at 7:33 AM

କେନ୍ଦ୍ରାପଡ଼ା ୧୨।୦୩ : ଦୋଳ ବିମାନକୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍। ଜଣେ ମୃତ, ୪ ଆହତ । ମେଲଣ ସାରି ଫେରୁଥିବା ବେଳେ ଦୋଳ ବିମାନ ଦୁର୍ଘଟଣାଗ୍ରସ୍ତ l କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଦୁହୁରିଆ ନିକଟରେ ଏହି ଦୁର୍ଘଟଣା ଘଟିଛି l
ଖବର ଅନୁଯାୟୀ, କଟକ-ଚାନ୍ଦବାଲି ରାସ୍ତାର ଦୁହୁରିଆ ଠାରେ ଦୋଳ ବିମାନକୁ ଏକ ମାଛ ବୋଝେଇ ପିକଅପ୍ ଭ୍ୟାନ୍ ଧକ୍କା ଦେବା ଫଳରେ ବିମାନ କାନ୍ଧେଇ ଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି l ଏହି ଦୁର୍ଘଟଣାରେ ପ୍ରାୟ ୪ ଜଣ ବ୍ୟକ୍ତି ଆହତ ହୋଇଛନ୍ତି l ସ୍ଥାନୀୟ ବଣହରା ଗାଁର ଜୟନ୍ତ କୁମାର ଦାସଙ୍କ ଦୋଳ ବିମାନ ବାଲିଆ ମେଳଣ ସାରି ଦୁହୁରିଆ ମେଳଣରେ ଯୋଗଦେବାକୁ ଆସୁଥିଲେ l
ଦୁହୁରିଆ ମେଳଣରୁ କିଛି ଦୂରରେ କଟକ ଆଡୁ ଆସିଥିବା ଏକ ମାଛ ବୋଝେଇ ପିକଅପ୍ ଭ୍ୟାନ୍ ବିମାନକୁ ପଛ ପଟୁ ଧକ୍କା ଦେଇଥିଲା l ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଆହତ ହୋଇଛନ୍ତି l ବିମାନଟି ଭାଙ୍ଗିରୁଜି ଯାଇଛି l ପୋଲିସ ଦୁର୍ଘଟଣା ଘଟାଇଥିବା ପିକଅପ୍ ଭ୍ୟାନ୍କୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି l