ଚୁପ୍‌ ବସିଛି ପ୍ରଶାସନ, ଚୋରି ଘଟଣାରେ ସମାଧାନ ନହେବା ଯାଏଁ ଆନ୍ଦୋଳନ ଚାଲିବ

Published By : Prameya-News7 Bureau | November 10, 2022 IST

ବିନିକା ୧୦।୧୧: ସୋନପୁର ଜିଲ୍ଲା ବିନିକା ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ଚରଦା ମନ୍ଦିରରୁ ୨ ଥର ଚୋରି ହୋଇସାରିଲାଣି । ସବୁ ଜାଣି ବି ଚୁପ୍‌ ବସିଛି ପୋଲିସ । ଚୋରକୁ ଧରିବାରେ ବିଫଳ ହେଉଛି ପୋଲିସ । ଯାହାକୁ ବିରୋଧ କରି ମନ୍ଦିର କମିଟିଓ ଅଞ୍ଚଳବାସୀଙ୍କ ପକ୍ଷରୁ ବିନିକା-ସୋନପୁର ରାଜପଥର ଚୌକି ଜୋର ଠାରେ ରାସ୍ତାରୋକ କରିଛନ୍ତି । ସକାଳ ୭ଟାରୁ ରାସ୍ତାରୋକରେ ବସିଛନ୍ତି ଲୋକେ । ଉଭୟ ପଟେ ଶତାଧିକ ଗାଡ଼ି ଅଟକି ରହିଛି । ଜରୁରୀ କାଳୀନ ସେବାକୁ ଛାଡି ଅନ୍ୟ ସମସ୍ତ ଯାନବାହାନ ଉଭୟ ପଟେ ଅଟକି ରହିଛି ।

ଖବର ଅନୁଯାୟୀ, ଗତ ଅକ୍ଟୋବର ୨୨ ତାରିଖରେ ଚରଦା ମନ୍ଦିରରୁ ତିନି ଜଣ ମୁଖା ପିନ୍ଧା ଲୁଟେରା ଆସି ଦାନ ବାକ୍ସ ଚୋରି କରିନେଇଥିଲେ । ଯାହାର ଫୁଟେଜ୍‌ ସିସିଟିଭିରେ କଏଦ ହୋଇଥିଲା । ପୋଲିସ ନିକଟରେ ଅଭିଯୋଗ ପରେ ଚୋରକୁ ଧରିବାରେ ବିଫଳ ହୋଇଛି । ସେହିପରି ବାରମ୍ବାର ମନ୍ଦିର କମିଟି ଏନେଇ ଅଭିଯୋଗ କରିଆସୁଥିଲେ ବି ଚୋରକୁ ଧରିନି ପୋଲିସ । ଯାହାକୁ ନେଇ ଗୁରୁବାର ସକାଳୁ ମନ୍ଦିର ଟ୍ରଷ୍ଟ ବୋର୍ଡ, ସେବାୟତ, ଗ୍ରାମବାସୀ ମିଳିତ ଭାବେ ରାସ୍ତାରୋକ କରିଛନ୍ତି । ଘଟଣାସ୍ଥଳରେ ବିନିକା ତହସିଲଦାର, ଏସ୍‌ଡିପିଓ , ପୋଲିସ ଫୋର୍ସ ଉପସ୍ଥିତ ରହିଛନ୍ତି । ତେବେ ପ୍ରଶାସନ ପକ୍ଷରୁ ଲିଖିତ ପ୍ରତିଶୃତି ନମିଳିବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟଲୋକେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.