ରାଜପଥ ଅବରୋଧ କଲେ ଶହ ଶହ ଚାଷୀ, ଯାତାୟତ ଠପ୍
17/01/2023 at 12:47 PM

ନୂଆପଡ଼ା ୧୭।୦୧ : ନୂଆପଡ଼ା ଜିଲ୍ଲା ସରଦା ଛକରେ ଚାଷୀଙ୍କ ଜାତୀୟ ରାଜପଥ ଅବରୋଧ । ଯାହାଫଳରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । ନୂଆପଡ଼ା ଜିଲ୍ଲା ପତୋରା ଡ୍ୟାମ୍ର ପାଣି ଆବଣ୍ଟନକୁ ନେଇ ଦୀର୍ଘ ବର୍ଷ ହେବ ତଳମୁଣ୍ଡ ଓ ଉପରମୁଣ୍ଡ ସହ ବିବାଦ ଲାଗି ରହିଛି ।
ଉଚ୍ଚ ନ୍ୟାୟଳୟଙ୍କ ନିର୍ଦ୍ଦେଶ ଅନୁସାରେ , ପର୍ଯ୍ୟାୟକ୍ରମେ ଚଳିତ ରବି ରୁତୁ ପାଇ ତଳମୁଣ୍ଡ ପାଣି ପାଇବା କଥା । ସେପଟେ ଜିରୋ ହେଡ୍ରୁ ପାଣି ଦିଆଯାଉ ବୋଲି ଉପରମୁଣ୍ଡ ଚାଷି ଗତ ୧ ତାରିଖରୁ ଦିନରାତି କେନାଲ ଗେଟ୍ ପାଖରେ ଧାରଣାରେ ବସିଛି । ଯାହାକୁ ନେଇ ସୋମବାର ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ , ନୂଆପଡ଼ା ଜିଲ୍ଲାପାଳ ହେମକାନ୍ତ ସାଏ, ଏସ୍ପି ଜିଆର୍ ରାଘବେନ୍ଦ୍ର ଉଭୟ ତଳମୁଣ୍ଡ ଓ ଉପରମୁଣ୍ଡ ଚାଷୀକୁ ନେଇ ଏକ ଶାନ୍ତି କମିଟି ମାଧ୍ୟମରେ ସମାଧାନ ପାଇଁ ଚେଷ୍ଟା କରିଥିଲେ । ହେଲେ ବିଫଳ ହୋଇଥିଲା ।
୧୧ ତାରିଖ ଦିନ ତଳମୁଣ୍ଡ ଚାଷୀ ଜାତୀୟ ରାଜପଥ ୩୫୩କୁ ସିଲଦା ଠାରେ ଅବରୋଧ କରିଥିବା ବେଳେ ୧୪ ତାରିଖ ଭିତରେ ସମସ୍ୟାର ସମାଧାନ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପ୍ରତିଶୃତି ଦେଇଥିଲା । ତାହା ବି ହୋଇପାରିଲାନାହିଁ । ବାରମ୍ବାର ପ୍ରଶାସନଠୁ ନିରାଶ ହେବା ପରେ ମଙ୍ଗଳବାର ବାଧ୍ୟ ହୋଇ ତଳମୁଣ୍ଡ ଚାଷୀ ଜାତୀୟ ରାଜପଥ ବନ୍ଦ କରିବା ସହ ହଲଦି, ଡୁମେରପାନି ଓ ଆମସେନା ଗାଁରେ ରାସ୍ତା ଅବରୋଧ କରିଛନ୍ତି । ଯାହାଫଳରେ ନୂଆପଡ଼ା ଖରିଆର ରୋଡ ଦେଇ ସମସ୍ତ ଯାତାୟତ ବନ୍ଦ ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ବୁଝାସୁଝା କରୁଛି । ପାଣି ଛଡାନଗଲା ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବୁନାହିଁ ବୋଲି ଆନ୍ଦୋଳନକାରୀ କହୁଛନ୍ତି ।