ମଣ୍ଡିରୁ ଉଠୁନି ଧାନ, NH ଅବରୋଧ କଲେ ଶତାଧିକ ଚାଷୀ
18/01/2023 at 11:01 AM

ବୌଦ୍ଧ ୧୮।୦୧ : ବୌଦ୍ଧ ମଣ୍ଡିରୁ ଧାନ ନଉଠିବାରୁ ଶହ ଶହ ଧାନ ବସ୍ତା ରଖି ରାସ୍ତାରୋକ । ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ ୫୭ ବାମଣ୍ଡା ଠାରେ ରାସ୍ତାରୋକ କଲେ ଗ୍ରାମବାସୀ । ମଣ୍ଡିରୁ ମିଲର ଧାନ ଉଠାଉ ନଥିବା ଅଭିଯୋଗ । ହଜାର ହଜାର ବସ୍ତା ଧାନ ମଣ୍ଡିରେ ଖୋଲା ଆକାଶ ତଳେ ପଡ଼ିରହିଛି ।

ଖବର ଅନୁଯାୟୀ, ହରଭଙ୍ଗା ବ୍ଲକ୍ ବାମଣ୍ଡା ପଞ୍ଚାୟତରେ ଥିବା ଧାନ ମଣ୍ଡିରେ ଖୋଲା ଆକାଶ ତଳେ ହଜାର ହଜାର ବସ୍ତା ଧାନ ପଡ଼ିଛି । ମିଲାର ଗାଡ଼ି ପଠାଉନଥିବା ଏବଂ ଧାନ ନେଇ ନଥିବା ଅଭିଯୋଗକୁ ନେଇ ବାରମ୍ବାର ଯୋଗାଣ ବିଭାଗ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରିନଥିଲେ । ଶେଷରେ ଚାଷୀମାନେ ବାଧ୍ୟ ହୋଇ ରାସ୍ତାରେ ଧାନ ବସ୍ତା ରଖି ରାସ୍ତାରୋକ କରିଛନ୍ତି । ଯେ ପର୍ଯ୍ୟନ୍ତ ସଠିକ୍ ଭାବରେ ଧାନ ନିଆନଯାଏ । ସେପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି।

ସେପଟେ ଘଟଣା ସ୍ଥଳରେ ପୋଲିସ ଏବଂ ଅତିରିକ୍ତ ଯୋଗାଣ ଅଧିକାରୀ ବିଷ୍ଣୁ ପ୍ରଧାନ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି । ରାସ୍ତା ରୋକ ଫଳରେ ଉଭୟ ପାର୍ଶ୍ଵରେ ଶହ ଶହ ଯାନବାହନ ଅଟକି ରହିଛି । ଯାତୟତରେ ମଧ୍ୟ ବାଧାପ୍ରାପ୍ତ ହୋଇଛି ।