ଝାରସୁଗୁଡା ୧୮|୧୦: ଝାରସୁଗୁଡା ବିଟିଏମ ଛକରେ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକେ ୪୯ନମ୍ବର ଜାତୀୟ ରାଜପଥକୁ ବିଟିଏମଠାରେ ଅବରୋଧ କରିଛନ୍ତି । ଫଳରେ ବ୍ୟାପକ ଟ୍ରାଫିକ ସମସ୍ୟା ଉପୁଜିଛି । ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି ।
ସୂଚନାଯୋଗ୍ୟ ଯେ, ବ୍ରଜରାଜନଗର ବୁନ୍ଦିଆ ଅଞ୍ଚଳର ରିକି କୁମ୍ଭାର ମଟରସାଇକେଲ ଯୋଗେ ନିଜ ପରିବାରକୁ ନେଇ ଦୁର୍ଗାପୂଜା ବୁଲିବାକୁ ଯାଉଥିଲେ । ଏହି ସମୟରେ ଝାରସୁଗୁଡା ବିଟିଏମ ଛକ ନିକଟରେ ଏକ ଅଜଣା ଟ୍ରକ୍ ତାଙ୍କୁ ପଛରୁ ଧକ୍କା ଦେଇଥିଲା । ରିକି ପରିବାର ସହ ରାସ୍ତା ଉପରକୁ ଛିଟିକି ପଡିଥିଲେ । ଘଟଣାସ୍ଥଳରେ ରିକିଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଆହତ ହୋଇଥିଲେ । ଆହତମାନଙ୍କୁ ଝାରସୁଗୁଡା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଏହି ଘଟଣା ଘଟିବା ପରେ ବ୍ରଜରାଜନଗରରୁ କିଛି ଯୁବକ ଘଟଣାସ୍ଥଳକୁ ଆସି ରାସ୍ତାରୋକ କରିଥିଲେ । ଦୁର୍ଗାପୂଜା ଯୋଗୁଁ ପ୍ରବଳ ଭିଡ ହେଉଥିବାରୁ ପୋଲିସ ରାସ୍ତାରୋକ ହଟାଇବା ପାଇଁ ଉଦ୍ୟମ କରିଥିଲା । ଫଳରେ ରାସ୍ତାରୋକ କରିଥିବା ଉତ୍ୟକ୍ତ ଲୋକ ଏବଂ ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି ।