ଚାଷୀ ପ୍ରସଙ୍ଗରେ NDA ହାତ ଛାଡିଲା RLP, ଘୋଷଣା କଲେ ପାର୍ଟି ସଂଯୋଜକ

Published By : Prameya-News7 Bureau | December 26, 2020 IST

ନୂଆଦିଲ୍ଲୀ ୨୬।୧୨: ରାଜଧାନୀରେ ଚାଷୀଙ୍କ ଆନ୍ଦୋଳନକୁ ନେଇ ରାଷ୍ଟ୍ରୀୟ ଗଣତନ୍ତ୍ରିକ ପାର୍ଟି (ଆରଏଲପି) ବିଜେପି ନେତୃତ୍ୱାଧୀନ ଏନଡିଏ ଛାଡିଛି। ପାର୍ଟିର ସଂଯୋଜକ ତଥା ନାଗୌର ସାଂସଦ ହନୁମାନ ବେନିୱାଲ ଶନିବାର ଏହି ଘୋଷଣା କରିଛନ୍ତି। ସଂସଦରେ ସଂଶୋଧିତ କୃଷି ଆଇନ-୨୦୨୦ ଉପସ୍ଥାପନ କାଳରେ ଦଳର ସହଯୋଗୀ ଅକାଳୀ ଦଳ ମେଣ୍ଟରୁ ନିଜ ସମର୍ଥନ ପ୍ରତ୍ୟାହାର କରିନେଇଥିଲା। ତେବେ ଚାଷୀଙ୍କ ସମସ୍ୟା ତୁରନ୍ତ ସମାଧାନ ଲାଗି ବେନିୱାଲ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ପତ୍ର ଲେଖିବା ସହ ଟାଳଟୁଳ ନୀତି ଅବଲମ୍ବନ କଲେ ଦଳ ମେଣ୍ଟ ସମର୍ଥନ ନେଇ ଦ୍ୱିତୀୟବାର ବିଚାର କରିବ ବୋଲି ଘୋଷଣା କରିଥିଲେ।

ଦିଲ୍ଲୀରେ ଚାଷୀଙ୍କ ଆନ୍ଦୋଳନକୁ ୨୩ ଦିନ  ପୂରଣ ହୋଇଛି। ତେବେ ସରକାର କୃଷକ ଆନ୍ଦୋଳନ ସମାପ୍ତ କରିବା ଲାଗି ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇ ନାହାନ୍ତି। ଏଣୁ ବେନିୱାଲ ୨ଲକ୍ଷ ଚାଷୀଙ୍କ ସହ ଦିଲ୍ଲୀ ଯାତ୍ରାରେ ବାହାରିବେ ବୋଲି କହିବା ସହ କେନ୍ଦ୍ର ସରକାରରେ ଥିବା ତାଙ୍କ ଦଳର ସମର୍ଥନ ପ୍ରତ୍ୟାହାର ଘୋଷଣା କରିଛନ୍ତି। ଏନଡିଏ ସହଯୋଗୀଙ୍କ ମଧ୍ୟରେ ବିଜେପିର ସଂଖ୍ୟା ସର୍ବାଧିକ।  ବିଜେପି ଏବେ ଚାଷୀଙ୍କୁ ସଂଶୋଧିତ କୃଷି ଆଇନର ଲାଭ ସମ୍ପର୍କରେ ବୁଝେଇବାକୁ ଚେଷ୍ଟା କରୁଛି ବୋଲି ବେନିୱାଲ କହିଛନ୍ତି।

 ସେ କହିଛନ୍ତି ଯେ ନରେନ୍ଦ୍ର ମୋଦିଙ୍କୁ  ସଂସଦରେ ୩୦୩ ସାଂସଦଙ୍କ ସମର୍ଥନ ରହିଛି। ଏଣୁ ଗୃହୀତ କରିଥିବା ଆଇନ ଲାଗି ବୁଝାମଣା କରିବା ମାନସିକତାରେ ନାହାନ୍ତି। ଏଣୁ ଦିଲ୍ଲୀରୁ ୧ହଜାର ୨୦୦ କିଲୋମିଟର ଦୂର ରାଜସ୍ଥାନରୁ ଦିଲ୍ଲୀକୁ ୨ଲକ୍ଷ ଚାଷୀଙ୍କୁନେଇ ସେ ଯାତ୍ରାରେ ବାହାରିଥିବା କହିଛନ୍ତି। ଏଥିଲାଗି ଗତ ଡିସେମ୍ବର ୧୯ ତାରିଖ ଦିନ ବେନିୱାଲ ସଦସ୍ୟ ଥିବା ୩ ସଂସଦୀୟ କମିଟିରୁ ଇସ୍ତଫା ଦେଇଥିଲେ। ସେ ତାଙ୍କର ଇସ୍ତଫା ପତ୍ର ଲୋକସଭା ବାଚସ୍ପତି ଓମ ବିରଳାଙ୍କ ନିକଟକୁ ପଠାଇଥିବା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.