ବିହାର ଆରଜେଡିରେ ଝଡ଼: ଦଳରୁ ଇସ୍ତଫା ଦେଲେ ଅମରେଶ ରାୟ, ତେଜପ୍ରତାପଙ୍କ ସହ ହୋଇଥିଲା ଝଗଡ଼ା
2/11/2020 at 5:03 PM

ପାଟନା : ବିହାର ବିଧାନସଭା ଲାଗି ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପୂର୍ବରୁ ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡିରେ ଝଡ଼ ଉଠିଛି। ଏଥିରେ ସମସ୍ତିପୁର ଜିଲ୍ଲା ଯୁବ ଆରଜେଡି ସଭାପତି ଅମରେଶ ରାୟ ଦଳରୁ ଇସ୍ତଫା ଦେଇଛନ୍ତି। ହସନପୁର ବିଧାନସଭା ନିର୍ବାଚନମଣ୍ଡଳିରୁ ପ୍ରତିଦ୍ୱନ୍ଦ୍ୱୀତା କରୁଥିବା ଲାଲୁଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବଙ୍କ ବ୍ୟବହାରରେ କ୍ଷୁବ୍ଧ ହୋଇ ସେ ଏପରି ପଦକ୍ଷେପ ନେଇଥିବା କହିଛନ୍ତି।

ମଙ୍ଗଲଗଡ଼ରେ ତେଜପ୍ରତାପଙ୍କ ନିର୍ବାଚନୀ ସଭାକୁ ଯୁବ ଆରଜେଡି ସଭାପତି ଅମରେଶ ରାୟ ଯାଇଥିବା ବେଳେ ଅଚାନକ ତେଜ ପ୍ରତାପ ତାଙ୍କ ଉପରେ କ୍ଷୁବ୍ଧ ହୋଇଥିଲେ। ତାଙ୍କୁ ତେଜପ୍ରତାପ ଗାଳି ମଧ୍ୟ ଦେଇଥିବାର ସେ ଅଭିଯୋଗ କରିଛନ୍ତି। ଏଥିଲାଗି ସେ ତେଜପ୍ରତାପଙ୍କୁ ବିରୋଧ ମଧ୍ୟ କରିଥିଲେ। ହେଲେ ତେଜ୍ ନିଜ ଜିଦ୍ରେ ଅଡି ରହିବା ଯୋଗୁ ଅମରେଶ ଦଳଛାଡିବାକୁ ବାଧ୍ୟ ହୋଇଥିବା କହିଛନ୍ତି।

ହାସନପୁରରେ ତେଜ ପ୍ରତାପ ନିର୍ବାଚନ ପ୍ରଚାର କରୁଛନ୍ତି ଏଥିଲାଗି ସେ ସେଠାରେ ଘୋଡ଼ସବାରୀ ମଧ୍ୟ କରୁଛନ୍ତି। କେବଳ ସେତିକି ନୁହେଁ ନିର୍ବାଚନ ମଣ୍ଡଳୀରେ ଟ୍ରାକ୍ଟର ଚଳାଇ ଭୋଟରଙ୍କୁ ଭୋଟ ଭିକ୍ଷା କରିବା ସାଙ୍ଗକୁ ପଡିଆରେ ପିଲାଙ୍କ ସହ କ୍ରିକେଟ୍ ମଧ୍ୟ ଖେଳିଛନ୍ତି। ଚାଷୀଙ୍କ ସହ ଗାଈଙ୍କ ଲାଗି ତେଜ ଘାଷ କାଟି ଜନତାଙ୍କ ନଜର ଆକର୍ଷଣ କରିବାକୁ ଉଦ୍ୟମ କରିଛନ୍ତି। ମଙ୍ଗଳବାର ତାଙ୍କ ନିର୍ବାଚନ ମଣ୍ଡଳିରେ ଭୋଟ ହେବ। ତା ପୂର୍ବରୁ ଦଳର ଯୁବଶାଖା ସଭାପତି ଦଳରୁ ଇସ୍ତଫା ଦେବା ତାଙ୍କ ଭୋଟ ଉପରେ କି ପ୍ରକାର ପ୍ରଭାବ ପକାଉଛି ତା ଉପରେ ଏବେ ସମସ୍ତଙ୍କ ନଜର।