ବିହାରରେ ବଦଳିବ ରାଜନୈତିକ ସମୀକରଣ : କଂଗ୍ରେସ-ଆରଜେଡି ସମର୍ଥନରେ ସରକାର ଗଢିବେ ନୀତିଶ !

Published By : Prameya-News7 Bureau | August 09, 2022 IST

ନୂଆଦିଲ୍ଲୀ ୦୯/୦୮:  ବିହାରରେ ରାଜନୈତିକ ଗତିବିଧି ଜୋର ଧରିବାରେ ଲାଗିଛି । ଜେଡିୟୁ-ବିଜେପି ମେଣ୍ଟରେ କିଛି ଠିକ୍ ଠାକ୍ ଚାଲୁନି  । ଏହାମଧ୍ୟରେ କଂଗ୍ରେସ, ବାମଦଳ ଓ ଆରଜେଡି  ମଧ୍ୟରେ ବୈଠକ ବସିଛି । ବୈଠକରେ କଂଗ୍ରେସ ଓ ବାମଦଳ ନିଜ ବିଧାୟକଙ୍କ ସମର୍ଥନ ପତ୍ର ଆରଜେଡି ନେତା ତେଜସ୍ୱୀ ଯାଦବଙ୍କୁ ପ୍ରଦାନ କରିଛନ୍ତି । କୁହାଯାଉଛି ଯେ, ତେଜସ୍ୱୀ ଏହି ସମର୍ଥନ ପତ୍ର ଜେଡିୟୁ ନେତା ତଥା ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଦେବେ । ସୂତ୍ରାନୁସାରେ, ନୀତିଶ ବୁଧବାର କିମ୍ବା ଗୁରୁବାର ଆଉ ଥରେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇପାରନ୍ତି ।

ବିଜେପିରୁ ଭାଙ୍ଗିଛି ମୋହ । ନୂଆ ଦଳ ସହ ସରକାର ଗଢିବା ଦିଗରେ ନୀତିଶ । ଏଥିପାଇଁ ଗତ କିଛି ଦିନ ଧରି ଚର୍ଚ୍ଚା ଜୋର୍ ଧରିଥିଲା । ଏବେ ଚର୍ଚ୍ଚା ଧିରେଧିରେ ସତ ହେବାରେ ଲାଗିଛି । କାରଣ କଂଗ୍ରେସ-ଆରଜେଡି-ବାମଦଳ ସମର୍ଥନରେ ନୀତିଶ ମୁଖ୍ୟମନ୍ତ୍ରୀ ହେବେ ବୋଲି ଶୁଣାଯାଉଛି  । ବିଜେପିଠୁ ଅଲଗା ହୋଇ ରାଜ୍ୟ ରାଜନୀତିର ସମୀକରଣ ବଦଳାଇବେ ।

ଏହାମଧ୍ୟରେ ବିହାର କଂଗ୍ରେସ ବିଧାୟକ ସକିଲ ଅହମ୍ମଦ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ନୀତିଶ ମେଣ୍ଟ ସରକାରରେ ମୁଖ୍ୟମନ୍ତ୍ରୀ ହେବେ । ଅନ୍ୟ ବିଧାୟକମାନେ ମଧ୍ୟ ନୀତିଶଙ୍କ ମୁଖ୍ୟମନ୍ତ୍ରୀତ୍ୱକୁ ସମର୍ଥନ କରିଛନ୍ତି ।

ଏତତ୍ ବ୍ୟତୀତ ନୀତିଶ ରାଜ୍ୟପାଳଙ୍କୁ ଭେଟିବାକୁ ସମର୍ଥନ ମାଗିଛନ୍ତି । ସେ ରାଜ୍ୟପାଳଙ୍କୁ ସମର୍ଥନ ପତ୍ର ପ୍ରଦାନ କରିବେ ବୋଲି ଅନୁମାନ କରାଯାଉଛି ।

ସୂଚନାଯୋଗ୍ୟ, ବିଜେପି ଓଜେଡିୟୁ ୨୦୨୦ରେ ମିଳିବ ଭାବେ ବିଧାନସଭା ନିର୍ବାଚନ ଲଢିଥିଲେ । କିନ୍ତୁ ଆରଜେଡି ସର୍ବବୃହତ ଦଳ ଭାବେ ଉଭା ହୋଇଥିଲା । କିନ୍ତୁ ବିଜେପି-ଜେଡିୟୁ ସରକାର ଗଠନ କରିଥିଲେ । ସେବେଠୁ ଉଭୟ ଦଳ ମଧ୍ୟରେ ମନାନ୍ତର ଓ ମତାନ୍ତର ବଢିଥିଲା । ଅନେକ ପ୍ରସଙ୍ଗରେ ଉଭୟ ଦଳ ମୁହାଁମୁହିଁ ହୋଇଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.