ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶରଦ ଯାଦବଙ୍କ ପରଲୋକ, ୭୫ ବର୍ଷ ବୟସରେ ଆଖି ବୁଜିଲେ

Published By : Prameya-News7 Bureau | January 12, 2023 IST

ପାଟନା: ବରିଷ୍ଠ ଆର୍‌ଜେଡି ନେତା ଶରଦ ଯାଦବଙ୍କ ପରଲୋକ ହୋଇଛି। ଗୁରୁବାର(ଜାନୁଆରୀ ୧୨ ) ୭୫ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଏହି ଭେଟେରାନ ନେତା। ଏନେଇ ତାଙ୍କ ଝିଅ ଶୁଭାଶିନ ଶରଦ ଯାଦବ ସୂଚନା ଦେଇଛନ୍ତି। ସେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି " ବାପା ଆଉ ନାହାନ୍ତି।"

wp:html /wp:html

ମିଳିଥିବା ସୂଚନା ଅନୁସାରେ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯାଦବଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯିବାରୁ ତାଙ୍କୁ ଗୁରୁଗ୍ରାମର ଫୋର୍ଟିସ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ ଆଜି ତାଙ୍କର ପରଲୋକ ହୋଇଛି।

୧୯୯୯-୨୦୦୪ ପର୍ଯ୍ୟନ୍ତ ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ ଶରଦ ଯାଦବ କେନ୍ଦ୍ରମନ୍ତ୍ରୀ ଭାବେ ବିଭିନ୍ନ ଦାୟିତ୍ୱ ସମ୍ଭାଳିଥିଲେ। ୨୦୦୩ରେ ଯାଦବ ଜନତା ଦଳ ୟୁନାଇଟେଡ୍‌(ଜେଡିୟୁ)ର ଅଧ୍ୟକ୍ଷ ହୋଇଥିଲେ। ୨୦୦୪ରେ ଲୋକସଭା ନିର୍ବାଚନ ହାରିବା ପରେ ନୀତୀଶ ତାଙ୍କୁ ରାଜ୍ୟସଭାକୁ ପଠାଇଥିଲେ।  

୨୦୦୯ରେ ଶରଦ ପୁଣିଥରେ ମାଧେପୁରା ଲୋକସଭା ନିର୍ବାଚନ ଜିତିଥିଲେ। ତେବେ ଜେଡିୟୁ ୨୦୧୪ ସାଧାରଣ ନିର୍ବାଚନ ହାରିବା ପରେ ନୀତୀଶଙ୍କ ସହ ତାଙ୍କର  ସମ୍ପର୍କ ଖରାପ ହୋଇଯାଇଥିଲା। ୨୦୧୭ରେ ନୀତୀଶ ବିଜେପି ସହ ମିଶି ସରକାର ଗଠନ କରିବା ପରେ ଶରଦ ସମର୍ଥନ ଦେଇନଥିଲେ। ଫଳରେ ଜେଡିୟୁ ତାଙ୍କୁ ରାଜ୍ୟସଭାରୁ ବହିସ୍କାର କରିବାକୁ ଦାବି କରିଥିଲା।

ଏହାପରେ ଶରଦ ନୀତୀଶଙ୍କ ଠାରୁ ଅଲଗା ହୋଇ  ୨୦୧୮ରେ ଲୋକତାନ୍ତ୍ରୀକ ଜନତା ଦଳ(ଏଲ୍‌ଜେଡି) ନାମରେ ଏକ ଦଳ ଗଠନ କରିଥିଲେ। ଏହାପରେ ମାର୍ଚ୍ଚ ୨୦୨୨ରେ ଏଲ୍‌ଜେଡି ଆର୍‌ଜେଡିର ବିଲୟ ହୋଇଯିବ ବୋଲି ସେ ଘୋଷଣା କରିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.