ବିହାର ବିଧାନସଭା ନିର୍ବାଚନ: ଯୁଦ୍ଧ ପୂର୍ବରୁ ମୈଦାନ ବଦଳାଇଲେ ତେଜପ୍ରତାପ, ମହୁଆ ନୁହେଁ ଲଢିବେ ହସନପୁର ଆସନରୁ
6/09/2020 at 5:01 PM

ପାଟନା ୬।୯: ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହେଲା। ବ୍ୟକ୍ତିଗତ ଜୀବନରେ ଉଠିଥିବା ଝଡ଼ ଏବେ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜ ପ୍ରତାପଙ୍କ ରାଜନୈତିକ କ୍ୟାରିୟର ଉପରେ ପଡିବାରେ ଲାଗିଲାଣି। ଏଣୁ ପାରିବାରିକ ଆସନ ମହୁଆରୁ ସେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରିବେନି ବୋଲି ନିଷ୍ପତ୍ତି ନେଇଥିବା ଜଣାପଡିଛି। ସେ ମହୁଆ ବଦଳେ ହସନପୁର ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହେବାକୁ ଯାଉଛନ୍ତି।
हर घर होगा तेज संवाद। कल दिनांक 07/09/2020 को आ रहा हूँ हसनपुर विधानसभा क्षेत्र।। pic.twitter.com/WklqVduHaP
— Tej Pratap Yadav (@TejYadav14) September 6, 2020
ତେଜପ୍ରତାପ ହସନପୁର ବିଧାନସଭା କ୍ଷେତ୍ରରୁ ପ୍ରାର୍ଥୀ ହେଉଥିବା ନିଜ ଟ୍ୱିଟ୍ ହ୍ୟାଣ୍ଡଲରେ ସେୟାର କରିଛନ୍ତି। ଏଥିରେ ସେ ହସନପୁର ବିଧାନସଭା ନିର୍ବାଚନମଣ୍ଡଳି ଲାଗି ଏକ ବ୍ୟାନର ସେୟାର କରିଛନ୍ତି। ତେଜପ୍ରତାପ ବିଧାନସଭା ନିର୍ବାଚନରେ ତାଙ୍କର ଆସନ ବଦଳାଇ ପାରନ୍ତି ବୋଲି ଅନେକ ପୂର୍ବରୁ ଆଶଙ୍କା କରାଯାଉଥିଲା। ଏଠାରେ ତାଙ୍କୁ କଡା ମୁକାବିଲାର ସମ୍ମୁଖୀନ ହେବାର ଆଶଙ୍କା ଥିବାରୁ ସେ ସିଟ୍ ବଦଳାଇ ପାରନ୍ତି ବୋଲି ଅନୁମାନ କରାଯାଉଥିବା ବେଳେ ତାହା ହିଁ ହୋଇଛି।

ପାର୍ଟି ସୂତ୍ରରୁ ମିଳୁଥିବା ସୂଚନାରୁ ତେଜସ୍ୱୀ ମଧ୍ୟ ଚାହୁଁ ନଥିଲେ ତେଜପ୍ରତାପ ତାଙ୍କ ପୁରୁଣା ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱୀତା କରନ୍ତୁ। ଏଣୁ ତାଙ୍କ ଲାଗି ଏକ ସୁରକ୍ଷିତ ଆସନର ତଲାସ ଥିବା ବେଳେ ହସନପୁର ଅଥବା ବଖତିଆରପୁରରୁ ତାଙ୍କୁ ଦଳ ପ୍ରାର୍ଥୀକରିପାରେ ବୋଲି ଅନୁମାନ କରାଯାଉଥିଲା। ତେବେ ହସନପୁର ଶେଷରେ ଚୂଡାନ୍ତ ହୋଇଛି।

ତେଜପ୍ରତାପଙ୍କ ଶ୍ୱଶୁର ଆରଜେଡି ଛାଡି ନିତିଶଙ୍କ ଦଳରେ ଯୋଗ ଦେଇଛନ୍ତି। ଏଥିରେ ତେଜ ପ୍ରତାପଙ୍କ ପତ୍ନୀ ଐଶ୍ୱର୍ଯ୍ୟାଙ୍କ ରାଜନୀତି ପ୍ରବେଶ ଚର୍ଚ୍ଚା ଜୋର ଧରିଥିବା ବେଳେ ସେ ମହୁଆରେ ତାଙ୍କ ବିରୋଧରେ ପ୍ରାର୍ଥୀ ହେବାର ଆଶଙ୍କା କରାଯାଉଛି। ଏଣୁ ତେଜସ୍ୱୀ ଚିନ୍ତାରେ ପଡିଥିବା ବେଳେ ତେଜ ପ୍ରତାପଙ୍କ ଲାଗି ନୂଆ ଆସନ ତଲାସରେ ଥିଲେ।