ପରିବାର ଲୋକଙ୍କୁ ଭେଟିବାକୁ ଗାଁ ଆସିଥିଲା ଆତଙ୍କୀ ନାଇକୁ, ସେନା ଗୁଳିରେ ଟଳି ପଡିଲା
6/05/2020 at 3:13 PM

ଶ୍ରୀନଗର ୦୬।୦୫: ଜାମ୍ମୁ-କାଶ୍ମୀରର ଅବନ୍ତିପୋରାରେ ମଙ୍ଗଳବାର ଘଟିଥିବା ଗୁଳି ବିନିମୟରେ ସୁରକ୍ଷାକର୍ମୀଙ୍କୁ ବହୁତ ବଡ ସଫଳତା ମିଳିଛି। ଆତଙ୍କୀ ସଂଗଠନ ହିଜବୁଲ ମୁଜାହିଦ୍ଦୀନର କମାଣ୍ଡର ରିୟାଜ ନାଇକୁ ବୁଧବାର ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛି। ଦୀର୍ଘ ଦିନ ହେବ ସୁରକ୍ଷାକର୍ମୀ ନାଇକୁର ସନ୍ଧାନରେ ଥିଲେ। ଅନେକ ଥର ଘେରି ଥିଲେ ମଧ୍ୟ ନାଇକୁ ଖସି ପଳାଇବାରେ ସକ୍ଷମ ହୋଇଥିଲା।
ମଙ୍ଗଳବାର ସୁରକ୍ଷାବଳଙ୍କୁ ନାଇକୁ ନିଜ ଗାଁ ବେଗପୋରା ଆସୁଥିବା ଗୁଇନ୍ଦା ତଥ୍ୟ ମିଳିଥିଲା। ସେ ସେଠାକୁ ନିଜ ମାଙ୍କ ସ୍ଵାସ୍ଥ୍ୟବ୍ୟସ୍ଥା ଦେଖିବାକୁ ଆସିଥିଲା। ଏହି ସମୟରେ ଗାଁରେ ନିଜ ଆଡ୍ଡାରେ ଛପି ରହିଥିଲା। ଯେମିତି ସୁରକ୍ଷାବଳଙ୍କୁ ଏହାର ଇନପୁଟ୍ ମିଳିଲା, ସେନାର ଯବାନ ପୂରା ଗାଁକୁ ଚାରି ଆଡୁ ଘେରି ଯାଇଥିଲେ। ସେଠାରେ ଆହୁରି ଦୁଇରୁ ତିନି ଆତଙ୍କବାଦୀ ଛପି ରହିଥିଲେ। ଘମାଘୋଟ୍ ଗୁଳି ବିନିମୟରେ ଯବାନଙ୍କ ଗୁଳିରେ ଏସବୁ ଆତଙ୍କାବାଦୀ ପ୍ରାଣ ହରାଇଥିଲେ।
ସୁରକ୍ଷାକର୍ମୀ ଗୋଟିଏ ଘରକୁ ଉଡାଇ ଦେଇଥିଲେ। ଏଥିରେ ଛପି ରହିଥିବା ରିୟାଜ ନାଇକୁ ନିହତ ହୋଇଥିଲା। ପରେ ସ୍ପଷ୍ଟ ହୋଇଥିଲା ମୁଜାହିଦ୍ଦୀନର କମାଣ୍ଡର ରିୟାଜ ନାଇକୁ ସେନା ଗୁଳିରେ ପ୍ରାଣ ହରାଇଛି।
ପରିସ୍ଥିତିକୁ ଦୃଷ୍ଟିରେ ରଖି ଏବେ ଜାମ୍ମୁ-କାଶ୍ମୀରରେ ଇଣ୍ଟରନେଟ୍ ସେବା ବନ୍ଦ କରି ଦିଆଯାଇଛି। ଏପରିକି ଭଏସ୍ କଲିଂ ମଧ୍ୟ ବନ୍ଦ କରି ଦିଆଯାଇଛି। ଜାମ୍ମୁ-କାଶ୍ମୀର ପୋଲିସ୍ ଓ ଭାରତୀୟ ସେନାର ସୁରକ୍ଷାବଳଙ୍କ ଦ୍ଵାରା ଏହି ମିଳିତ ଅପରେସନ କରାଯାଇଥିଲା।
ଜାମ୍ମୁ-କାଶ୍ମୀରର ଆଇଜି ବିଜୟ କୁମାର କହିଛନ୍ତି, କାଲି ସକାଳୁ ହିଁ ଆତଙ୍କବାଦୀଙ୍କ ବିରୋଧରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଆଜି ହୋଇଥିବା ଘମାଘୋଟ୍ ଗୁଳି ବିନିମୟରେ ସେନା ଟାର୍ଗେଟ୍ରେ ଥିବା ଆତଙ୍କବାଦୀ ପ୍ରାଣ ହରାଇଛନ୍ତି।
ବିଜୟ କୁମାର କହିଛନ୍ତି, ରିୟାଜ ନାଇକୁ ଅନେକ ପ୍ରକାରର ଆକ୍ରମଣରେ ସାମିଲ ଥିଲା। ସେ ସ୍ଥାନୀୟ ଲୋକଙ୍କୁ ଆତଙ୍କବାଦୀ ଗୋଷ୍ଠୀରେ ସାମିଲ ହେବାକୁ ଉସୁକାଉଥିଲା। ଏବେ ରିୟାଜ ନାଇକୁର ମୃତ୍ୟୁ ପରେ ଘାଟିରେ ଆତଙ୍କୀ ସଂଗଠନରେ ଲୋକଙ୍କ ଭର୍ତ୍ତିରେ ହ୍ରାସ ଘଟିବ ବୋଲି ଆଶା କରାଯାଉଛି।