ରିୟାଙ୍କ ଚାଟ୍ ଏବଂ କଙ୍ଗନାଙ୍କ ବୟାନ: ରେଭ୍ ପାର୍ଟିରେ ପାଣି ପରି କଳା ଟଙ୍କା ଉଡ଼ାଉଥିଲେ ଓଡିଶାର ବିଲ୍ଡର, ଖଣି ବେପାରୀ ଏବଂ ଡ୍ରଗ୍ସ ମାଫିଆ
1/09/2020 at 6:17 PM

ମୁମ୍ବାଇ୧/୯: କେତେ ସତ କହୁଛନ୍ତି ବଲିଉଡ଼ ଅଭିନେତ୍ରୀ କଙ୍ଗନା ରଣୱତ। ଓଡିଶାର ଖଣି ବେପାରୀ କଣ ସତରେ ରେଭ୍ ପାର୍ଟିରେ ପାଣି ପରି ଉଡ଼ାଉଥିଲେ କଳା ଟଙ୍କା ? ଯେଉଁଠି ବଲିଉଡ଼ ତାରକା ଓ ନିଶା ବେପାରୀ ଏକାଠି ମସଗୁଲ୍ ହେଉଥିଲେ। ଯଦି କଙ୍ଗନା ରାଣୱତଙ୍କ ଏଭଳି ଅଭିଯୋଗ ସତ ହୋଇଥାଏ, ତାହା ହେଲେ କଥାଟି ସାଙ୍ଘାତିକ ନିଶ୍ଚୟ। କଙ୍ଗନା ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ବେଳେ କହିଛନ୍ତି, ଓଡ଼ିଶାର ଖଣି ବେପାରୀ ମୁମ୍ବାଇ ଆସି ବଲିଉଡ଼ ହିରୋଇନଙ୍କ ସହ ପାର୍ଟିରେ ମସଗୁଲ ହୋଇ ପ୍ରଚୁର ଟଙ୍କା ଉଡାଉଥିଲେ। ଏଭଳି ପାର୍ଟି ଆୟୋଜନ ପଛରେ ଖଣି ବେପାରୀ, ବିଲଡର ଓ ଡ୍ରଗସ୍ ମାଫିଆଙ୍କର ହାତ ରହୁଥିଲା ।
କଙ୍ଗନାଙ୍କ ଏଭଳି ବୟାନପରେ ଓଡ଼ିଶାରେ ହଲଚଲ। କେଉଁ ଖଣି ବେପାରୀ ବଲିଉଡ୍ରେ ରେଭ୍ ପାର୍ଟି ଆୟୋଜନ କରୁଥିଲେ ତାର ଖୋଳତାଡ଼ ନେଇ ଦାବି ଉଠିଲାଣି। କଂଗ୍ରେସ ପକ୍ଷରୁ ଦାବି ହେଉଛି ଯେ କଙ୍ଗନା ନାଁ କୁହନ୍ତୁ, କେଉଁମାନେ ଏଭଳି ପାର୍ଟିର ଆୟୋଜନ କରୁଥିଲେ। ଏହି ଘଟଣା ଓଡ଼ିଶାକୁ ନିନ୍ଦିତ କରିଥିବାରୁ କଙ୍ଗନାଙ୍କୁ ତଦନ୍ତ ପରିସରକୁ ଆଣିବାକୁ ଦାବି କରିଛି କଂଗ୍ରେସ। ତେବେ କଙ୍ଗନାଙ୍କ ବୟାନକୁ ଖାରଜ କରିଛି, ପୂର୍ବାଞ୍ଚଳ ଖଣି ମାଲିକ ସଂଘ। ସଂଘ ପକ୍ଷରୁ କୁହାଯାଇଛି ସଂଘରେ ଥିବା କୌଣସି ଲିଜ୍ ଧାରି ଏଭଳି ଘଟଣାରେ ସଂପୃକ୍ତି ନାହିଁ।
ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଫସିଥିବା ରିଆ ଚକ୍ରବର୍ତ୍ତୀ ତାଙ୍କ ବାନ୍ଧବୀଙ୍କ ସହ ଯେଉଁ ଚାଟ କରିଛନ୍ତି, ସେଥିରେ ସ୍ପଷ୍ଟ ଭାବେ ଲେଖିଛନ୍ତି, ଭୁବନେଶ୍ବରରେ ଭଲ ଗଞ୍ଜେଇ ମିଳେ। ଲକ୍ ଡାଉନ୍ ସମୟରେ ସେ ଭୁବନେଶ୍ବରରେ ଥିବା ନେଇ ମଧ୍ୟ ସୂଚନା ଦେଇଛନ୍ତି। ସୋସିଆଲ ମିଡିଆରେ ରିୟାଙ୍କ ଏଭଳି ଭାଇରାଲ ଭୁବନେଶ୍ବରକୁ ଏକ ନିଶା ହବ୍ ବୋଲି ଚିତ୍ରଣ କରୁଥିବା ବେଳେ କଙ୍ଗନାଙ୍କ ଅଭିଯୋଗ ବିଲଉଡ୍, ନିଶା ଓ ଖଣି ମାଫିଆଙ୍କ ଲିଙ୍କ୍କୁ ନୂଆ ଟୁଇଷ୍ଟ ଦେଇଛି। ଏବେ ସମସ୍ତଙ୍କ ଦାବି କଙ୍ଗନା ସ୍ପଷ୍ଟ କରନ୍ତୁ ରାଜ୍ୟରୁ କେଉଁମାନେ ବଲିଉଡ୍ ରେଭ୍ ପାର୍ଟିରେ ଯୋଗ ଦେଉଥିଲେ।
ଉଭୟ ବିଜେପି ଓ ବିଜେଡି ମଧ୍ୟ ଦାବି କରିଛନ୍ତି ଘଟଣାର ସତ୍ୟତା ଉପରୁ ପରଦା ଉଠୁ ଓ ଏହାର ତଦନ୍ତ ହେଉ। ରିଆ ଚକ୍ରବର୍ତ୍ତୀଙ୍କ ଚାଟ୍ ଓ କଙ୍ଗନାଙ୍କ ବୟାନ, ଓଡ଼ିଶାରେ ନିଶା କାରବାର ଓ ନିଶା ବ୍ୟବସାୟକୁ ନେଇ ଯେଉଁ ଚାଞ୍ଚଲ୍ୟକର ତଥ୍ୟ ରଖୁଛି ତାର ତଦନ୍ତ କରିବାକୁ ସବୁ ରାଜନୈତିକ ଦଳ ଦାବି କରୁଛନ୍ତି।