ଦ୍ଵିତୀୟ ଦିନରେ ରିୟାଙ୍କୁ ସାତ ଘଣ୍ଟା ଜେରା କଲା ସିବିଆଇ, କାଲି ସକାଳ ୧୦ଟାରେ ପୁଣି ଥରେ ହାଜିରା

Published By : Prameya-News7 Bureau | August 29, 2020 IST

ମୁମ୍ବାଇ ୨୯।୦୮: ସୁଶାନ୍ତ ସିଂହ ରାଜପୁତ କେସରେ ସିବିଆଇର ଦ୍ରୁତ ଗତିରେ ତଦନ୍ତ ଜାରି ରହିଛି। ଏହି କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସିର ଶନିବାର ଥିଲା ତଦନ୍ତର ନବମ ଦିନ। ସିବିଆଇ ଶନିବାର ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ଶୌଭିକ, ସିଦ୍ଧାର୍ଥ ପିଠାନୀ ସମେତ କେସ୍‌ ସହ ଜତିତ ଅନେକ ଲୋକଙ୍କୁ ଜେରା କରିଛି। ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଜେରା କରିବାର ଆଜି ଥିଲା ଦ୍ଵିତୀୟ ଦିନ। ସିବିଆଇ ରିୟାଙ୍କୁ ରବିବାର ସକାଳ ୧୦ଟାରେ ହାଜର ହେବାକୁ ପୁଣି ଥରେ ତଲବ କରିଛି।

ଶନିବାର ସିବିଆଇ ରିୟାଙ୍କୁ ସାତ ଘଣ୍ଟା ଧରି ଜେରା କରିଛି। ଏହି ସମୟରେ ସିଦ୍ଧାର୍ଥ ପିଠାନୀ, ମିରାଣ୍ଡା, ନିରଜ ସାମ୍ନାରେ ରିୟାଙ୍କୁ ପଚରା ଉଚୁରା କରାଯାଇଛି। ରିୟାଙ୍କୁ ସିବିଆଇ ସୁଶାନ୍ତଙ୍କ ଡିପ୍ରେସନ ଏବଂ ଆର୍ଥିକ କାରବାରକୁ ନେଇ ପ୍ରଶ୍ନ କରିଛି। ସିବିଆଇ ଏହି ସଂପର୍କରେ କାଗଜପତ୍ର ଦେବାକୁ ରିୟାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଜିର ଜେରା ପରେ ରିୟା ଡିଆରଡିଓ ଗେଷ୍ଟ ହାଉସ୍‌ରୁ ବାହାରି ପୋଲିସ ସୁରକ୍ଷାରେ ସାନ୍ତାକ୍ରୁଜ ରେଜିମେଣ୍ଟ ପହଞ୍ଚିଛନ୍ତି। ପୋଲିସ ରିୟା ଓ ତାଙ୍କ ଭାଇଙ୍କୁ ଘର ପର୍ଯ୍ୟନ୍ତ ଛାଡି ଦେଇଛି।

କାଲି ପୁଣି ଜେରା

କାଲି ଅର୍ଥାତ ରବିବାର ମଧ୍ୟ ସିବିଆଇ ରିୟାଙ୍କୁ ଜେରା ପାଇଁ ସକାଳ ୧୦ଟାରେ ଡକାଇଛି। ସିବିଆଇର ରିୟାଙ୍କୁ ଜେରା ପ୍ରକ୍ରିୟା ଶେଷ ହୋଇ ନାହିଁ। ଏବେ ମଧ୍ୟ ଅନେକ ଦିଗ ରହିଛି ଯାହା ଉପରେ ତଦନ୍ତ ଏଜେନ୍ସିର ପଚରାଉଚୁରା ବାକି ରହିଛି।

ଉଲ୍ଲେଖଯୋଗ୍ୟ ଶୁକ୍ରବାର ରିୟାଙ୍କୁ ସିବିଆଇ ୧୦ ଘଣ୍ଟା ଜେରା କରିଥିଲା। ଏହି  ଜେରାରେ ସିବିଆଇ ରିୟା ଓ ସୁଶାନ୍ତଙ୍କ ସଂପର୍କକୁ ନେଇ ପ୍ରଶ୍ନ କରିଥିଲା। ଅପରପକ୍ଷେ ସିଦ୍ଧାର୍ଥ ପିଠାନୀଙ୍କୁ ମଧ୍ୟ ଆଜି  ଜେରା କରାଯାଇଛି। ସିଦ୍ଧାର୍ଥ ସିବିଆଇକୁ କହିଛନ୍ତି ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ଓ ରିୟାଙ୍କ ମଧ୍ୟରେ ଝଗଡା ହୋଇଥିଲା। ପଓ୍ଵନା ଡ୍ୟାମ୍ ଫାର୍ମ ହାଉସ୍‌ରେ ଭୋଜି ସମୟରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ସେହି ସମୟରେ ସୁଶାନ୍ତ ରିୟାଙ୍କୁ ସମର୍ଥନ ଦେଇଥିଲେ। ଏଥିରେ ପ୍ରିୟଙ୍କା ଓ ତାଙ୍କ ସ୍ଵାମୀ କ୍ଷୁବ୍ଧ ହୋଇଥିଲେ। ହେଲେ ରିୟା ଓ ପ୍ରିୟଙ୍କା ମଧ୍ୟରେ କେଉଁ କାରଣରୁ ଝଗଡା ହେଲା ସିଦ୍ଧାର୍ଥ ଏହାର କାରଣ କହି ନାହାନ୍ତି। ସିଦ୍ଧାର୍ଥ ଏହା ମଧ୍ୟ କହିଛନ୍ତି ରିୟା ସୁଶାନ୍ତଙ୍କ କାର୍ଡରେ ଅନେକ ସପିଂ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.