ରାଜ୍ୟର ପ୍ରମୁଖ ୫୫ଟି ହ୍ରଦ ଓ ଜଳାଶୟ ପ୍ରଦୂଷିତ: ୨୩ ଜିଲ୍ଲାପାଳଙ୍କ ଠାରୁ ବିବରଣୀ ଲୋଡିଲା ଜଳସମ୍ପଦ ବିଭାଗ

Published By : Prameya-News7 Bureau | November 14, 2021 IST

ଭୁବନେଶ୍ୱର ୧୪/୧୧: ରାଜ୍ୟର ବିଭିନ୍ନ ଜଳାଶୟ ଓ ହ୍ରଦ ଜଳ ପ୍ରଦୂଷିତ । ପ୍ରଦୂଷଣର ମାତ୍ରା ଏତେ ଅଧିକ ଯେ ତାହା ଜନସାଧାରଣଙ୍କ ନିତ୍ୟ ବ୍ୟବହାର ପାଇଁ ଉପଯୋଗୀ ହୋଇ ରହିନାହିଁ । ଏହାକୁ ନେଇ ସାଧାରଣ ଲୋକେ ଅତିଷ୍ଠ ହେଉଛନ୍ତି । କେତେବେଳେ ଲୋକେ ଜଳଜନିତ ରୋଗରେ ଆକ୍ରାନ୍ତ ହୋଇ ଛଟପଟ ହେଉଥିବାବେଳେ ଆଉ କେତେବେଳେ ଦୂଷିତଜଳ ପାଇଁ ଜୀବନ ଯାଉଛି । ଏହି ଘଟଣା ଆଉ ଲୁଚି କରି ନାହିଁ ।

ରାଜ୍ୟର ୫୫ଟି ଜଳାଶୟ ପ୍ରଦୂଷିତ ହୋଇଥିବାରୁ ଏହାକୁ ଜାତୀୟ ସବୁଜ ପ୍ରାଧିକରଣ (ଏନଜିଟି) ଉଦବେଗ ପ୍ରକାଶ କରିଛି । ଏହି ଜଳ ପ୍ରଦୂଷଣ ରୋକିବାପାଇଁ କିପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ବା କରାଯିବାକୁ ରହିଛି ସେନେଇ ଏନଜିଟି ତ୍ବରିତ ବିବରଣୀ ଲୋଡିଛି। ଏହାକୁ ନେଇ ଜଳସମ୍ପଦ ବିଭାଗ ପକ୍ଷରୁ ୨୩ ଜିଲାପାଳଙ୍କୁ ଅବଗତ କରାଯିବା ସହିତ ଚଳିତମାସ ୧୫ତାରିଖ ସୁଦ୍ଧା ପଦକ୍ଷେପ ବିବରଣୀ(ଏଟିଆର୍) ପ୍ରଦାନ କରିବାକୁ ଜଳସମ୍ପଦ ବିଭାଗ ପ୍ରମୁଖ ସଚିବ ଅନୁ ଗର୍ଗ ପତ୍ର ଲେଖିଛନ୍ତି ।

ଶ୍ରୀମତୀ ଗର୍ଗ ଦର୍ଶାଇଛନ୍ତି ଯେ ରାଜ୍ୟରେ ୫୫ଟି ଜଳାଶୟ ପ୍ରଦୂଷିତ ହୋଇଛି । ଏଥିରୁ ୧୪ଟି ଜଳାଶୟ ଜଳସମ୍ପଦ ବିଭାଗ ଅଧୀନରେ ରହିଥିବାବେଳେ ଅବଶିଷ୍ଟ ୪୧ଟି ୨୩ ଟି ଜିଲ୍ଲାପାଳଙ୍କ ଅଧୀନରେ ରହିଛି । ନିଜ ଜିଲ୍ଲାରେ ଥିବା ପ୍ରଦୂଷିତ ଜଳାଶୟକୁ କିଭଳି ପ୍ରଦୂଷଣ ମୁକ୍ତ କରାଯିବ ସେଥିନେଇ ମୁଖ୍ୟଯନ୍ତ୍ରୀ, କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କୁ ନେଇ ସ୍ଥଳ ପରିଦର୍ଶନ କରି ଏହାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କର ।

ଏହାସହ ଆବଶ୍ୟକ ସ୍ଥଳେ ଜଳାଶୟଗୁଡିକର ପୁନରୁଦ୍ଧାର, ଜଳ ଉତ୍ସ ଏବଂ ମାନ, ପ୍ରଦୂଷଣର କାରଣ, ବ୍ୟବହାର ଇତ୍ୟାଦି ଉପରେ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିବାକୁ କୁହାଯାଇଛି । କେଉଁ କାରଣ ଯୋଗୁଁ ଜଳାଶୟ ପ୍ରଦୂଷିତ ହେଉଛି ତାହା ଚିହ୍ନଟ କରି ଆଗାମୀ ଦିନରେ ତାହାକୁ କିଭଳି ଏଡାଯାଇ ପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ଶ୍ରୀମତୀ ଗର୍ଗ ଦର୍ଶାଇଛନ୍ତି ।

ଏନଜିଟିର ତଥ୍ୟ ଅନୁଯାୟୀ କୋରାପୁଟର ଚଣ୍ଡାଳଗୁଡା ନିକଟସ୍ଥ କୋଲାବ ଜଳ ସଂରକ୍ଷଣ ଯାହାକି ସର୍ବାଧିକ ୫୪୯୯.୫୭ ହେକ୍ଟର ଜଳାଶୟ ପ୍ରଦୂଷିତ ହୋଇଥିବାବେଳେ ଗଞ୍ଜାମ ଟାମ୍ପରା ହ୍ରଦର ୩୩୭.୮୫୭ ହେକ୍ଟର ପରିମିତ ଜଳାଶୟ ପ୍ରଦୂଷିତ ହୋଇଛି। ଏହାବାଦ୍ ପ୍ରଦୂଷିତ ଚିହ୍ନଟ ହୋଇଥିବା ଜଳାଶୟ ମଧ୍ୟରେ କଟକ ଜିଲା ବାଙ୍କୀର ଅଂଶୁପା ଓ ଏସ୍ତିଆ ପଟା, ଓ ଦାହା, ଖୋର୍ଦ୍ଧାର କାଞ୍ଜିଆ ହ୍ରଦ ଏବଂ ପୁରୀର ଚିଲିକା ଭଳି ବଡ ହ୍ରଦମାନ ମଧ୍ୟ ରହିଛି ।

ଏଗୁଡିକରେ ପ୍ରଦୂଷଣ ମାତ୍ରା ବଢିବା ପରିବେଶ ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା କରାଯାଉଥିବା ବେଳେ ଏହା ଉପରେ ନିର୍ଭର କରୁଥିବା ଲୋକଙ୍କ ପ୍ରତି ମଧ୍ୟ ବିପଦ ବଢାଉଛି । ତେଣୁ ତୁରନ୍ତ ଏଟିଆର ପ୍ରଦାନ କରିବାକୁ ଶ୍ରୀମତୀ ଗର୍ଗ ଅନୁଗୁଳ, ବାଲେଶ୍ବର, ବରଗଡ, ଭଦ୍ରକ, ବଲାଙ୍ଗୀର, ବୌଦ୍ଧ, କଟକ, ଦେଓଗଡ, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, ଝାରସୁଗୁଡା, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ଖୋର୍ଦ୍ଧା, ମୟୁରଭଞ୍ଜ, ନୟାଗଡ, ପୁରୀ, ସୁନ୍ଦରଗଡ ଜିଲାପାଳଙ୍କୁ ନିର୍ଦେଶ ଅବଗତ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.