ଆଣ୍ଠେଇ କଥାହେଲେ ଋଷି, ଶେଖ୍ ହସିନାଙ୍କ ସହ ସାକ୍ଷାତ ସମୟରେ ବ୍ରିଟିସ୍ ପ୍ରଧାନମନ୍ତ୍ରୀଙ୍କୁ କରାଯାଉଛି ପ୍ରଶଂସା
11/09/2023 at 12:14 PM

ନୂଆଦିଲ୍ଲୀ 11/09 : ‘ଜି୨୦’ ଶିଖର ସମ୍ମିଳନୀରେ ବ୍ରିଟିସ୍ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନି। ତାଙ୍କର ନମ୍ର ସ୍ୱଭାବ, ଆଚରଣ ଓ ବ୍ୟବହାରର ଖୁବ୍ ପ୍ରଶଂସା କରାଯାଉଛି। ନିକଟରେ ସେମିତି ଏକ ଫଟୋ ଏହି ଚର୍ଚ୍ଚାକୁ ଖୋରାଗ ଯୋଗାଉଛି।
ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ପାଖରେ ବ୍ରିଟିସ୍ ପ୍ରଧାନମନ୍ତ୍ରୀ ଋଷି ସୁନକ ଗୋଟିଏ ଆଣ୍ଠୁ ତଳେମାଡ଼ି କଥା କହୁଥିବାର ଫଟୋ ଇଣ୍ଟର୍ନେଟ୍ରେ ଖୁବ୍ ଭାଇରାଲ୍ ହେଉଛି। ଯାହାପରେ ସୁନକଙ୍କର ବିନମ୍ରତାକୁ ନେଇ କରାଯାଉଛି ଖୁବ୍ ପ୍ରଶଂସା।

ସୂଚନାନାସାରେ, ‘ଜି୨୦’ ଶିଖର ସମ୍ମିଳନୀର ସମାବର୍ତ୍ତନ ସମାରୋହ ବେଳେ ସୁନକ ଓ ହସିନା ଦିଲ୍ଲୀରେ ଥିଲେ। ଦୁହେଁ କଥାବାର୍ତ୍ତା ହେବା ସମୟରେ ଫଟୋ ଉଠାଯାଇଥିଲା। ଯାହାକୁ ଏବେ ଅନେକ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀ ପୋଷ୍ଟ୍ କରିବା ସହିତ ସୁନକଙ୍କୁ ପ୍ରଶଂସା କରୁଛନ୍ତି। ଏହି ଫଟୋ ସେୟାର୍ କରି ଜଣେ ୟୁଜର ଲେଖଛନ୍ତି, ବଡ଼ଲୋକମାନଙ୍କର ଅହଙ୍କାର ନ ଥାଏ! ପ୍ରଧାନମନ୍ତ୍ରୀ ହସିନାଙ୍କ ସହିତ କଥାବର୍ତ୍ତା କରିବାକୁ ସୁବିଧା ହେବ ବୋଲି ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଋଷି ସୁନକ ଚଟାଣରେ ବସିଛନ୍ତି। ଆଉ ଜଣେ ଏହି ଫଟୋକୁ କମନୀୟ ଓ ଆଦରଣୀୟ ବୋଲି ଲେଖିଥିବା ବେଳେ ପୁଣି ଜଣେ ସୁନକଙ୍କୁ ଭଦ୍ରଲୋକ କହି ପ୍ରଶଂସା କରିଛନ୍ତି। ଏମିତି ଲୋକମାନେ ତାଙ୍କ ପ୍ରଶଂସା କରିବାକୁ ଥକୁ ନାହାନ୍ତି।
ରବିବାରକୁ ଋଷି ସୁନକ ତାଙ୍କ ପତ୍ନୀ ଅକ୍ଷତାଙ୍କ ସହଲ ଅକ୍ଷରାଧାମ ମନ୍ଦିରରେ ପୂଜା କରିଥିଲେ। ଜି-20 ସମ୍ମିଳନୀ ମଧ୍ୟରୁ ସମୟ ବାହାର କରି ଅକ୍ଷରାଧାମରେ ଅନେକ ସମୟ ବିତାଇଥିଲେ। ସୁନକ କହିଛନ୍ତି ସେ ହିନ୍ଦୁ, ଆଉ ଏକଥାକୁ ନେଇ ସେ ଖୁବ୍ ଗର୍ବ ଅନୁଭବ କରନ୍ତି।
Also Read- କାନାଡା ପ୍ରଧାନମନ୍ତ୍ରୀଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି, ଠିକ୍ ନହେବା ଯାଏଁ ଭାରତରେ ରହିବେ
ଉଲ୍ଲେଖଯୋଗ୍ୟ, ‘ଜି୨୦’ ଶିଖର ସମ୍ମିଳନୀ ସମୟରେ ସୁନକ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ‘ଫ୍ରି ଟ୍ରେଡ୍ ଏଗ୍ରିମେଣ୍ଟ୍’ (ଏଫ୍ଟିଏ) ରାଜିନାମାର ଅଗ୍ରଗତି ବିଷୟରେ ଆଲୋଚନା କରିବା ସହିତ ଏଥିରେ ଥିବା ବାକି ସମସ୍ୟାର ଶୀଘ୍ର ସମାଧାନ ହୋଇଯିବ ବୋଲି ଆଶାବ୍ୟକ୍ତ କରିଥିଲେ।