ପ୍ରଧାନମନ୍ତ୍ରୀ ଦୌଡରୁ ଓହରିଲେ ଜନସନ, ସୁନକଙ୍କ ରାସ୍ତା ସଫା: ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ଋଷି ହୋଇପାରନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | October 24, 2022 IST

ଲଣ୍ଡନ: ପ୍ରଧାନମନ୍ତ୍ରୀ ଦୌଡ଼ରୁ ଓହରିଲେ ବୋରିଶ ଜନସନ। ଇଂରାଜୀ ଗଣମାଧ୍ୟମ ବିବିସିରେ ଏହି ଖବର ପ୍ରକାଶ ପାଇଛି। ଏହି ଖବର ସହତି ବ୍ରିଟେନ୍‌ର ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକ ଏହି ଦୌଡ଼ରେ ପ୍ରବଳ ଦାବିଦାର ହୋଇଛନ୍ତି। ସେ ଦେଶର ପରବର୍ତ୍ତି ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।  

ପ୍ରଧାନମନ୍ତ୍ରୀ ଦୌଡ଼ରୁ ଓହରିଯିବା ନେଇ ନିଜେ ଘୋଷଣା କରିଛନ୍ତି ବୋରିସ ଜନସନ। ତାଙ୍କର ଏହି ଘୋଷଣା ପରେ ସୁନକଙ୍କ ରାସ୍ତା ସଫା ହୋଇଯାଇଛି। ସୋମବାର ସୁଧା ସୁନକ ଦେଶର ପରବର୍ତ୍ତି ପ୍ରଧାନମନ୍ତ୍ରୀ ହୋଇପାରନ୍ତି। ଯଦି ଏପରି ହେଲା ତେବେ ସେ ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ବ୍ରିଟେନ୍‌ରେ ପ୍ରଧାନମନ୍ତ୍ରୀ ହେବେ।  

କିଛିଦିନ ପୂର୍ବରୁ ଜନସନ ତାଙ୍କ ପାଖରେ ଥିବା ୧୦୦ରୁ ଅଧିକ ସାଂସଦଙ୍କ ସମର୍ଥନ ଥିବା ଦାବି କରିଥିଲେ। ଅପରପକ୍ଷରେ ସୁନକ ମଧ୍ୟ ସମାନ ଦାବି କରିଥିଲେ। ହେଲେ ଯଦି ଜନସନ କ୍ଷମତାକୁ ଆସନ୍ତି ତେବେ ପୁଣି ରାଜନୈତିକ ସଂକଟ ଦେଖାଦେବ ବୋଲି ସାଂସଦମାନେ ବିଚାର କରୁଥିବା ଇଂରାଜୀ ଖବର କାଗଜ ଦି ଗାର୍ଡିଆନ୍‌ରେ ଖବର ପ୍ରକାଶ ପାଇଥିଲା। ଅନ୍ୟପଟେ ସୁନକଙ୍କ ପାଖରେ ୧୫୦ ସାଂସଦଙ୍କର ସମର୍ଥନ ଥିବା କୁହାଯାଉଛି।

ବିବିସିକୁ ପ୍ରତିକ୍ରିୟା ଦେଇ ଜନସନ କହିଛନ୍ତି “ ୨୦୨୪ ସାଧାରଣ ନିର୍ବାଚନ ଜିତିବା ପାଇଁ ସେ ସମ୍ପୂର୍ଣ୍ଣ ସକ୍ଷମ। ତେବେ ପରେ ଭାବିଲେ ଯେ ଏପରି କରିବା ଠିକ୍ ହେବନି। ଯଦି ସଂସଦରେ ତୁମର ଦଳୀୟ ଏକତା ନାହିଁ ତେବେ ପ୍ରଭାବିତ ଢଙ୍ଗରେ ସରକାର ଚଳାଇପାରିବ ନାହିଁ। ” ଜନସନ ଋଷ ସୁନକଙ୍କ ଠାରୁ ଅନେକ ପଛରେ ରହିଛନ୍ତି ବୋଲି ଜନସନ କହିଛନ୍ତି।

ସେ ଆହୁରି କହୁଛନ୍ତି “ତେଣୁ ମୁଁ ଭୟ କଲି ଯେ ସବୁଠାରୁ ଭଲ ହେବ ମୁଁ ନାମାଙ୍କନ ଭରିବି ନାହିଁ। ବରଂ ଯିଏ ଜିତିବେ ତାଙ୍କୁ ସମର୍ଥନ ଦେବି।” ରବିବାର ରାତିରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଜନସନ।

ସେପଟେ ବ୍ରିଟେନର ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ପେନୀ ମୋର୍ଡାଣ୍ଟଙ୍କର ସୁନକଙ୍କ ସହିତ ଲଢେଇ ହେବ। ସେ ମଧ୍ୟ ଜିତିବା ନେଇ ପ୍ରବଳ ଦାବି କରୁଛନ୍ତି। ତେବେ ତାଙ୍କ ପାଖରେ ୨୪ ସାଂସଦଙ୍କ ସମର୍ଥନ ରହିଛି ବୋଲି ସୂଚନା ମିଳିଛି। ସେପଟେ କଞ୍ଜରଭେଟିବ ପାର୍ଟିର କହିବା କଥା ହେଲା ସୋମବାର ସୁଧା ତାଙ୍କୁ ଦେଶକୁ ପ୍ରଧାନମନ୍ତ୍ରୀ ଦେବାର ଅଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.