ଇସ୍କନ ମନ୍ଦିରରେ ଜନ୍ମାଷ୍ଟମୀ ପାଳନ କଲେ ଋଷି ସୁନକ, ସାଙ୍ଗରେ ଥିଲେ ପତ୍ନୀ ଅକ୍ଷତା

Published By : Prameya-News7 Bureau | August 18, 2022 IST

ନୂଆଦିଲ୍ଲୀ: ବ୍ରିଟେନର ପ୍ରଧାନମନ୍ତ୍ରୀ ପଦର ପ୍ରାର୍ଥୀ ତଥା ଭାରତୀୟ ବଂଶୋଦ୍ଭବ ଋଷି ସୁନକ ନିଜ ପତ୍ନୀ ଅକ୍ଷତା ମୂର୍ତ୍ତିଙ୍କ ସହ ଜନ୍ମାଷ୍ଟମୀ ଉତ୍ସବରେ ଯୋଗ ଦେଇଛନ୍ତି। ସେ ପତ୍ନୀଙ୍କ ସହିତ ଫଟୋ ଟୁଇଟ୍ କରିଛନ୍ତି। ଜନ୍ମାଷ୍ଟମୀ ପର୍ବ ପାଳନ ପାଇଁ ଇଣ୍ଟରନ୍ୟାସନାଲ ସୋସାଇଟି ଫର କୃଷ୍ଣ କନସିଏସନେସ(ଇସ୍କନ)ର ୟୁକେ ମୁଖ୍ୟାଳୟ ଭକ୍ତି ବେଦାନ୍ତ ମନୋର ମନ୍ଦିର ପହଞ୍ଚିଥିଲେ। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ପଦ ଦୌଡରେ ସୁନକ ନିଜ ପ୍ରତିଦ୍ଵନ୍ଦ୍ଵୀ  ଲିଜ୍‌ ଟ୍ରସଙ୍କଠୁ ବହୁ ପଛରେ ପଡି ଯାଇଥିବା ଦେଖିବାକୁ ମିଳିଛି।

ବ୍ରିଟେନ୍‌ରେ ବୋରିସ୍ ଜନସନଙ୍କ ସରକାର ସମୟରେ ଅର୍ଥ ମନ୍ତ୍ରୀ ଥିବା ଋଷି ସୁନକ ଲେଖିଛନ୍ତି, ଆଜି ମୁଁ ନିଜ ପତ୍ନୀ ଅକ୍ଷତାଙ୍କ ସହିତ ଭକ୍ତି ବେଦାନ୍ତ ମନୋର ମନ୍ଦିରରେ ଜନ୍ମାଷ୍ଟମୀ ପାଳନ କରିବାକୁ ଯାଇଥିଲି। ଏହି ମନ୍ଦିର ଭଗବାନ କୃଷ୍ଣଙ୍କ ଜନ୍ମଦିନକୁ ପାଳନ କରିବାରେ ଲୋକପ୍ରିୟ ହିନ୍ଦୁ ମନ୍ଦିର।

ବ୍ରିଟେନ୍‌ରେ ପ୍ରଧାନମନ୍ତ୍ରୀ ପଦକୁ ନେଇ ଚାଲିଥିବା ନିର୍ବାଚନରେ ଋଷି ସୁନକ ଏବଂ ପୂର୍ବତନ ବୈଦେଶିକ ସଚିବ ଲିଜ୍ ଟ୍ରସଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି। କଞ୍ଜରଭେଟିଭ୍ ସାଂସଦଙ୍କ ଭୋଟିଂ ସମୟରେ ସୁନକ ସବୁଠୁ ଆଗରେ ଥିଲେ ମାତ୍ର ତାଜା ଘଟଣାକ୍ରମରେ ସେ ଦୌଡରେ ବହୁତ ପଛରେ ପଡି ଯାଇଛନ୍ତି। ସଂପ୍ରତି ଲିଜ୍ ଟ୍ରସ ସୁନକଙ୍କଠୁ ୩୨ ପ୍ରତିଶତ ପଏଣ୍ଟ ଆଗରେ ରହିଛନ୍ତି। ରୟଟର୍ସ ଅନୁଯାୟୀ, ଭୋଟିଂରେ ଟ୍ରସ ୬୬ ପ୍ରତିଶତ ଏବଂ ସୁନକ ୩୪ ପ୍ରତିଶତରେ ରହିଛନ୍ତି। ବ୍ରିଟେନକୁ ଆଗାମୀ ସେପ୍ଟେମ୍ବର ୫ ସୁଦ୍ଧା ନୂତନ ପ୍ରଧାନମନ୍ତ୍ରୀ ମିଳିଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.