ଓଭର ସ୍ପିଡ୍ ଯୋଗୁ ଋଷଭ ପନ୍ଥଙ୍କ ମର୍ସିଡିଜ୍ର କଟିଛି ୨ଥର ଚାଲାଣ, ଜରିମନା ପୈଠ ଲାଗି UP ପୋଲିସ କରିଥିଲା ନୋଟିସ୍
30/12/2022 at 3:40 PM

ଲକ୍ଷ୍ନୌ ୩୦।୧୨: କ୍ରିକେଟର ଋଷଭ ପନ୍ଥ ଶୁକ୍ରବାର ଭୋର ଦିଲ୍ଲୀ-ଡେରାଡୁନ ହାଇୱେରେ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି। ରୋଡ ଡିଭାଇଡରରେ ଗାଡ଼ି ଧକ୍କା ଲାଗିବା ଯୋଗୁ କ୍ରିକେଟରଙ୍କୁ ଆଘତ ଲାଗିଥିବା ବେଳେ ତାଙ୍କ ଗାଡ଼ି ଜଳି ପାଉଁଶ ହୋଇଯାଇଛି। ଢୁଳେଇ ପଡିବା ଯୋଗୁ ଗାଡ଼ି ଉପରୁ ତାଙ୍କର ନିୟନ୍ତ୍ରଣ ହରାଇଥିଲେ ଓ ଦୁର୍ଘଟଣା ହୋଇଛି ବୋଲି ଋଷଭ ପନ୍ଥ କହିଛନ୍ତି। ତେବେ ତୀବ୍ର ଗତିରେ ଗାଡ଼ି ଚଳାଇବା ଯୋଗୁ କ୍ରିକେଟରଙ୍କୁ ଉତ୍ତର ପ୍ରଦେଶରେ ଥରେ ନୁହେଁ ଦୁଇ ଦୁଇଥର ଚାଲାଣ କଟିଥିଲା।
ଉତ୍ତରପ୍ରଦେଶ ପୋଲିସର ଯାତାୟାତ ନିର୍ଦ୍ଦେଶାଳୟ ପକ୍ଷରୁ ଚାଲାଣ ବାବଦ ଜରିମନା ପୈଠ କରିବା ପାଇଁ ନୋଟିସ୍ ମଧ୍ୟ ଦିଆଯାଇଥିଲା। ନୋଟିସ୍ ଅନୁସାରେ ଚଳିତବର୍ଷ ଫେବୃଆରୀ ୨୨ ତାରିଖ ରାତି ସାଢେ ୧୧ଟା ବେଳେ ଋଷଭ ପନ୍ଥଙ୍କ ମର୍ସିଡିଜ୍ କାର ନମ୍ବର ଡିଏଲ୧୦ସିଏନ୧୭୧୭ ଟ୍ରାଫିକ ନିୟମର ଉଲ୍ଲଂଘନ କରିଥିଲା। ଓଭର ସ୍ପିଡରେ ଚାଲୁଥିବା କାର ରାସ୍ତାକଡରେ ଲଗାଯାଇଥିବା କ୍ୟାମେରାରେ ଧରାପଡିଥିଲା। ଏଥିଲାଗି ମୋଟର ଭେଇକ୍ଲ ଆକ୍ଟରେ ପନ୍ଥଙ୍କୁ ୨ ହଜାର ଟଙ୍କାର ଜରିମନା କରାଯାଇଥିଲା। ଏହି ଚାଲାଣ ଏବେବି ପେଣ୍ଡିଂ ରହିଛି।

ଏହା ଛଡା ଗତ ମେ ୨୫ ତାରିଖ ଅପରାହ୍ନ ୫ଟା ବେଳେ ଏହି କାରଟି ପୁଣି ଗତି ସୀମା ଉଲ୍ଲଂଘନ କରିଥିଲା। ଏଥିଲାଗି ଦ୍ୱିତୀୟବାର କାର ମାଲିକଙ୍କୁ ୨ହଜାର ଟଙ୍କାର ଜରିମନା ନୋଟିସ୍ କରାଯାଇଥିଲା। ଉତ୍ତରପ୍ରଦେଶ ପରିବହନ ବିଭାଗ ଅନୁସାରେ ବାହନ ମାଲିକଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ୨ଟି ନୋଟିସ୍ର ଜରିମନା ରାଶି ପୈଠ ହୋଇ ନାହିଁ।
ଉଲ୍ଲେଖଯୋଗ୍ୟ ଯେ ଟିମ୍ ଇଣ୍ଡିଆର ୱିକେଟ୍ କିପର ତଥା ବ୍ୟାଟସ୍ମ୍ୟାନ୍ ଦିଲ୍ଲୀରୁ ତାଙ୍କ ରୁରକୀସ୍ଥିତ ଘରକୁ ଯାଉଥିଲେ। ସେ ଗାଡିକୁ ନିଜେ ଡ୍ରାଇଭ କରୁଥିଲେ। ଶୁକ୍ରବାର ସକାଳ ପ୍ରାୟ ସାଢେ ୫ଟା ବେଳେ ଗାଡି ଚଳାଉଥିବା ବେଳେ ଢୁଳେଇ ପଡିଥିଲେ । ଫଳରେ ଗାଡି ଅନିୟନ୍ତ୍ରିତ ହୋଇ ରୋଡ ଡିଭାଇଡର ସହ ଧକ୍କାଲାଗି ଜଳିଯାଇଛି। ଏହି ଦୁର୍ଘଟଣା ରୁରକୀ ନିକଟସ୍ଥ ମହମ୍ମଦପୁର ଜାଟ୍ରେ ହୋଇଛି। ଦୁର୍ଘଟଣା ପରେ ଋଷଭ ପନ୍ଥ ୱିଣ୍ଡସ୍କ୍ରିନ୍ ଭାଙ୍ଗି ବାହାରକୁ ବାହାରିଥିଲେ। ଏଥିରେ ସ୍ଥାନୀୟ ଲୋକେ ତାଙ୍କୁ ସହାଜ୍ୟ କରିଥିଲେ।

ଆହତ ପନ୍ଥଙ୍କୁ ଗାଡିରୁ ବାହାର କରିବା ପରେ ସ୍ଥାନୀୟ ଲୋକେ ଫୋନ କରି ଆମ୍ବୁଲାନ୍ସ ଡକାଇଥିଲେ। ତାଙ୍କୁ ରୁରକୀ ସକ୍ଷମ ହସ୍ପିଟାଲ ପଠାଯାଇଥିଲା, ଯେଉଁଠୁ ତାଙ୍କୁ ଡେରାଡୁନର ମ୍ୟାକ୍ସ ହସ୍ପିଟାଲ ରେଫର କରାଯାଇଛି। ଡାକ୍ତରଙ୍କ ସୂଚନା ଅନୁସାରେ ଋଷଭ ପନ୍ଥଙ୍କ ମୁଣ୍ଡ, ପିଠି ଓ ଗୋଡରେ ଆଘାତ ଲାଗିଛି। ହସ୍ପିଟାଲ ସୂତ୍ରାନୁସାରେ ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ପୂର୍ବରୁ ଋଷଭ ପନ୍ଥଙ୍କ ଗୋଡରେ ଆଘାତ ଥିଲା। ଏଣୁ ବିସିସିଆଇ ତାଙ୍କୁ ଶ୍ରୀଲଙ୍କା ସିରିଜରୁ ବାଦ ଦେଇ ଷ୍ଟ୍ରେନ୍ଥ ଟ୍ରେନିଂ ଲାଗି ନ୍ୟାସନାଲ କ୍ରିକେଟ୍ ଆକାଡେମୀ (ଏନସିଏ) ପଠାଇଥିଲେ।