ଛଅ ମାସ ପର୍ଯ୍ୟନ୍ତ କ୍ରିକେଟ୍ ଖେଳିପାରିବେନି ପନ୍ତ, IPL ସମେତ ଗୁରୁତ୍ବପୂର୍ଣ୍ଣ ମ୍ୟାଚରୁ ପଡ଼ିପାରନ୍ତି ବାଦ୍
31/12/2022 at 6:23 PM

ନୂଆଦିଲ୍ଲୀ, ୩୧/୧୨: ଅଷ୍ଟ୍ରେଲିଆ ସହ ହେବାକୁ ଥିବା ଟେଷ୍ଟ ଏବଂ ଆଇପିଏଲ ୨୦୨୩ରୁ ବାଦ୍ ପଡ଼ିପାରନ୍ତି ଋଷଭ ପନ୍ତ। କାରଣ ଦୁର୍ଘଟଣାରେ ଗୁରୁତର ଭାବରେ ଆହତ ହୋଇଥିବା ପନ୍ତଙ୍କୁ ସୁସ୍ଥ ହେବା ପାଇଁ ତିନିରୁ ଛଅ ମାସର ସମୟ ଲାଗିପାରେ । ଶୁକ୍ରବାର ପନ୍ତ କାର୍ ଦୁର୍ଘଟଣାରେ ଗୁରୁତର ଭାବରେ ଆହତ ହୋଇଥିଲେ। ନୂଆଦିଲ୍ଲୀ-ଦେହରାଦୁନ ଜାତୀୟ ରାଜପଥରେ ପନ୍ତଙ୍କ କାର୍ ଡିଭାଇଡରେ ପିଟିହୋଇ ଓଲଟିପଡ଼ିଥିଲା ଏବଂ ଏହାପରେ କାର୍ରେ ନିଆଁ ଲାଗିଯାଇଥିଲା। ଅବଶ୍ୟ କାର୍ରୁ ବାହାରିବାରେ ପନ୍ତ ସଫଳ ହୋଇଥିଲେ କିନ୍ତୁ ତାଙ୍କୁ ଗଭୀର ଆଘାତ ଲାଗିଥିଲା। ବର୍ତ୍ତମାନ ଦେହରାଦୁନର ମ୍ୟାକ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଆଉ ଏଥିରୁ ସୁସ୍ଥ ହେବାରୁ ଋଷଭ ପନ୍ତଙ୍କୁ ସୁସ୍ଥ ହେବାକୁ ତିନିରୁ ଛଅ ମାସ ପର୍ଯ୍ୟନ୍ତ ସମୟ ଲାଗିବ।
ଏହାରି ମଧ୍ୟରେ ପନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ବିସିସିଆଇ ଏକ ବିବୃତ୍ତି ଜାରି କରି ପନ୍ତଙ୍କ ସ୍ବାସ୍ଥାବସ୍ଥାକୁ ନେଇ ଏକ ବିବୃତ୍ତି ଜାରି କରିଛି। ଏଥିରେ ପନ୍ତଙ୍କ ମୁଣ୍ଡରେ ଦୁଇଟି କ୍ଷତ ହୋଇଛି, ଆଣ୍ଠୁ ଫ୍ରାକ୍ଚର ହୋଇଛି, ହାତ ଏବଂ ପିଠିରେ ଆଘାତ ହୋଇଥିବା ନେଇ କୁହାଯାଇଛି । କୁହାଯାଉଛି ଯେ ପନ୍ତଙ୍କୁ ସଂପୂର୍ଣ୍ଣ ଭାବରେ ସୁସ୍ଥ ହେବାକୁ ତିନିରୁ ଛଅ ମାସ ସମୟ ଲାଗିବ। ପନ୍ତଙ୍କ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍ଙ୍କ ସୂଚନା ଅନୁଯାୟୀ ପନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଏମ୍ସ ଋଷିକେଶର ଡାକ୍ତର କମର ଆଜମ ପନ୍ତଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ କହିଛନ୍ତି ଯେ ପନ୍ତଙ୍କୁ ତିନିରୁ ଛଅ ମାସ ବିଶ୍ରାମ ନେବାକୁ ହେବ।
ତେବେ ପନ୍ତଙ୍କ ଆହତ ହେବା ଟିମ୍ ଇଣ୍ଡିଆ ପାଇଁ ନୁହେଁ ବରଂ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ମଧ୍ୟ ବଡ଼ ଝଟକା ଲାଗିଛି। କାରଣ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରୁ ପନ୍ତ ବାହାର ହୋଇପାରନ୍ତି। ଏହା ବ୍ୟତୀତ ଆଇପିଏଲର ୧୬ତମ ସଂସ୍କରଣରୁ ମଧ୍ୟ ବାଦ୍ ପଡ଼ିବାର ସମ୍ଭାବନା ରହିଛି। ଯଦି ପାଞ୍ଚ ମାସ ମଧ୍ୟରେ ଠିକ୍ ହେଉନାହାନ୍ତି ଏବଂ ଟିମ୍ ଇଣ୍ଡିଆ ଆଇସିସି ଟେଷ୍ଟ ଚାମ୍ପିୟନସିପ୍ର ଫାଇନାଲରେ ପହଞ୍ଚୁଛି ତେବେ ଜୁନ୍ରେ ହେବାକୁ ଥିବା ଆଇସିସି ଟାଇଟଲରୁ ବାଦ୍ ପଡ଼ିପାରନ୍ତି।
ପନ୍ତ ଦୀର୍ଘ ଦୁଇ ବର୍ଷରୁ ଅଧିକ ସମୟ ଧରି ଭାରତୀୟ ଟେଷ୍ଟ ଟିମ୍ର କୋର୍ ଖେଳାଳି ଭାବରେ ରହିଆସିଛନ୍ତି। କିନ୍ତୁ ଟିମ୍ରେ ତାଙ୍କର ଅନୁପସ୍ଥିତି ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଭାରତ ପାଇଁ ଅସୁବିଧା କରିପାରେ। ଅବଶ୍ୟ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ତଥାପି ତାଙ୍କ ସ୍ଥାନରେ କାହାକୁ ଖେଳିଯିବ ତାହା ମଧ୍ୟ ଦେଖିବାକୁ ବାକି ରହିଲା।